କ୍ଷମା କରିବେ

 

 

 

 

 

 

 

 

 

 

କ୍ଷମା କରିବେ

ଶ୍ରୀ ଗିରିଧାରୀ ମହାରଣା

 

ଫ୍ଲୁରୋସେଣ୍ଟ ଟିଉବ ଲାଇଟର ତଳେ ତଳେ ନଗରୀର ବୁକୁ ଉପରେ ଲମ୍ବି ଯାଇଥିବା ପିଚୁଢଳା ରାସ୍ତାଟି ଉପରେ ମାଡ଼ି ଚାଲିଥିଲା ସଂଗ୍ରାମକେଶରୀ ପଟ୍ଟନାୟକଙ୍କର ରୋଲସ ରଏସ ଆଗକୁ ଆଗକୁ-ଅଗଣିତ ରିକ୍‍ସା, ସାଇକେଲକୁ ବିଦ୍ରୁପ କରି । ଫୁଟପାଥ୍‍ସ୍ଥ ଭ୍ରମଣକାରୀ ନାଗରିକଗଣଙ୍କର ଚକ୍ଷୁ ସ୍ୱତଃପ୍ରବୃତ୍ତ ଭାବରେ କେନ୍ଦ୍ରୀଭୂତ ହେଉଥିଲା ପଛ ସିଟରେ ବସିଥିବା ହେମଗୌରକାନ୍ତି ସୌମ୍ୟଦର୍ଶନା ତରୁଣୀଟି ଉପରେ । କ୍ଷଣକ ଲାଗି ବିଚଳିତ ହୋଇ ଉଠୁଥିଲେ ସେମାନେ । ସେମାନଙ୍କ ଚକ୍ଷୁରେ ଜାଗି ଉଠୁଥିଲା ଅଦମ୍ୟ ପିପାସା । ସେ ପିପାସା କିନ୍ତୁ ନିର୍ବାପିତ ହେବାର ନୁହେଁ..ଏଇ ନିଷ୍ଠୁର ସତ୍ୟଟି ମନେ ମନେ ଉପଲବ୍ଧି କରିହେଲେ ମଧ୍ୟ ସେମାନଙ୍କର ଚକ୍ଷୁ ମୁହୂର୍ତ୍ତକ ପାଇଁ ଆନନ୍ଦୋଜ୍ଜ୍ୱଳ ହୋଇଉଠୁଥିଲା । ମୁହୂର୍ତ୍ତକ ଦେଖାରେ ସେଇ ସାକାର ମୂର୍ତ୍ତିଟିକୁ ସେମାନେ ଯେମିତି ଯୁଗ ଯୁଗ ପାଇଁ ନିଜ ନିଜର ଚକ୍ଷୁ ଭିତରେ ସାଇତି ରଖିବାକୁ ଚାହୁଁଥିଲେ ।

 

ସେମାନଙ୍କ ଭାବନାରେ ଏଇ ତରୁଣୀଟି ଯେମିତି ଥିଲା ମରୁଉଦ୍ୟାନରେ ଓ୍ୱେସିସ ତଥା ଭଗବାନଙ୍କ ସୃଷ୍ଟିର ଯେମିତି ସମସ୍ତ ସୌନ୍ଦର୍ଯ୍ୟ ନେଇ ସେ ଆସିଥିଲା ଏଇ ମର ଜଗତକୁ ।

 

ଅହରହ ଏଇ ଅଗଣିତ ପିପାସିତ ରକ୍ଷ କିନ୍ତୁ ବେଶ ଆରାମଦାୟକ ହେଉଥିଲା ବିଶ୍ୱମାୟାକୁ । ସେତେବେଳେ ବୟସର ଅଞ୍ଜନ ମନପ୍ରାଣକୁ ପୁଲକିତ କରି ତୋଳୁଥିଲା । ମନକାନନରେ କୋକିଳର କୂଜନ ଯେମିତି ଏକ ମାୟାର ଇନ୍ଦ୍ରଜାଲ ସୃଷ୍ଟି କରୁଥିଲା, ଆଉ ଅବୟବର ମୁହୁର୍ମୁହୁଃ ପରିବର୍ତ୍ତନରେ ଫୁଟି ଉଠୁଥିଲା ନନ୍ଦନକାନନର ଲକ୍ଷ ଲକ୍ଷ ପାରିଜାତ ।

 

ସେ ଆଜି କି କିନ୍ତୁ ଦୀର୍ଘ ଦୁଇବର୍ଷ ତଳର କଥା । ଜୀବନର ବେଳାଭୂମିରେ ଲକ୍ଷ ଲକ୍ଷ ସ୍ମୃତିର ଢେଉ ମଥା ପିଟି ଅପସରି ଯାଇଚି । କେତେ ନୂଆ ନୂଆ ସ୍ମୃତି, କେତେ ଅନୁଭୂତି ପୁରୁଣା ହେଇଚି । ଏଇ ରାଜରାସ୍ତାର ଫ୍ଲୁରୋସେଣ୍ଟ ଟିଉବ ଲାଇଟର ଅତ୍ୟୁଜ୍ଜ୍ୱଳ ଆଲୋକରେ ସେ କେତେଥର ରିକ୍‍ସା, ଟ୍ୟାକ୍ସି ଅଥବା ବାପା ସଂଗ୍ରାମକେଶରୀଙ୍କର ଗୃହରେ ଅବସ୍ଥିତି ସମୟରେ ଏଇ କାରରେ ସେ ଅତିକ୍ରମ କରିଚି......ପ୍ରତ୍ୟେକ ଥର ସେ ଦେଖିଚି ଏଇ ଲୋଭାତୁର ଦୃଷ୍ଟି । ତଥାପି ସେମାନେ ନିଜ ନିଜର ସେଇ ଦୃଷ୍ଟି ତାର ଲୋଭନୀୟ ଅବୟବ ଉପରେ ଫୁଟାନ୍ତି । ଦିନରେ ସେଇ ରାସ୍ତାରେ ଲକ୍ଷେଥର ଅତିକ୍ରମ କଲେ ବି ସେଥିରେ କେବେହେଲେ ସେ ବ୍ୟତିକ୍ରମ ଦେଖେନି । ସେମାନଙ୍କ ଉପରେ ବିରକ୍ତ ହେବା ପରିବର୍ତ୍ତେ ସେ କିନ୍ତୁ ଅମୋଦିତ ହୁଏ । କରୁଣାର ଚକ୍ଷୁ ନେଇ ବରଂ ସେମାନଙ୍କୁ ସେ କୃପା କରେ । ସାଙ୍ଗରେ କେହି ସହପାଠିନୀ ଥିଲେ ଭାଷାର ମାଧ୍ୟମରେ ସେମାନଙ୍କୁ ଜର୍ଜ୍ଜରିତ କରେ ।

 

ଆଜି କିନ୍ତୁ ସେଇ ଅଫୁରନ୍ତ ହସର ଝରଣାରେ ହଠାତ୍ ଯେମିତି ଏକ ବ୍ୟତିକ୍ରମ ଦେଖାଦେଇଚି । ଦୀର୍ଘ ନୀରବତାରେ ବିଶ୍ୱମାୟାର ଅନ୍ତର ଯେମିତି ଭରପୂର ହେଇଯାଇଚି ।

 

ପୋର୍ଟିକୋ ଭିତରେ ଡ୍ରାଇଭର ଗାଡ଼ି ବନ୍ଦ କରିବାମାତ୍ରେ ଧୀର ପଦକ୍ଷେପରେ ବାହାରି ଆସିଲା ବିଶ୍ୱମାୟା । ଦରଓ୍ୟାନ ସଲାମ କରିବାକୁ ଯାଇ ବିଶ୍ୱମାୟାର ମୁଖମଣ୍ଡଳ ଦେଖି ଯେମିତି ପ୍ରମାଦ ଗଣିଲା । ଚାକର ଚାକରାଣୀଙ୍କର ମୁଖରୋଳ ବିଶ୍ୱମାୟାର ମୁଖ ଦର୍ଶନରେ ଯେମିତି ପ୍ରଶମିତ ହୋଇଗଲା ।

 

ବାପାଙ୍କର ଶୟନ କକ୍ଷ ବନ୍ଦ ଥିଲା । ସେଆଡ଼ୁ ଦୃଷ୍ଟି ଫେରାଇ ଆଗକୁ ପାଦ ବଢ଼ାଇଲା ବିଶ୍ୱମାୟା । ସର୍ବଜୟା ହୁଏତ ସଂସ୍କୃତ ମୁଖସ୍ଥ କରୁଚି । ଭାରି ସଉକ ତାର ସେଇ ସବ୍ ଜେକ୍ଟରେ । ତଥାପି ପାଦ ଚିପି ଚିପି ନିଜ କୋଠରୀ ଭିତରେ ପ୍ରବେଶ କଲା ସେ । ଅହେତୁକ ଆଶଙ୍କାରେ ମନ ପ୍ରାଣ ତାର ଶଙ୍କାକୁଳ ହେଇଉଠୁଥିଲା ।

 

ଦରଜା ସାମନାରେ ଥିବା ବିରାଟ ଦର୍ପଣରେ ପ୍ରତିଫଳିତ ନିଜର ପ୍ରତିବିମ୍ୱ ଦେଖି ଚମକିଉଠିଲା ବିଶ୍ୱମାୟା । ଜୀବନର ଅଠରଟି ବସନ୍ତର ମଧୁର ପୁଲକ ତାର ଅବୟବ ଚୁମ୍ୱି ଅପସରି ଯାଇଥିଲେ ବି ଏ ପର୍ଯ୍ୟନ୍ତ ସେ ଏଭଳି ମାନସିକ ଅଶାନ୍ତି ଆଉ ଦୁଶ୍ଚିନ୍ତା ଭିତରେ ଅତିବାହିତ କରି ନ ଥିଲା । ମୁଖମଣ୍ଡଳର ନିଷ୍ପ୍ରଭ ଜ୍ୟୋତି ସୂଚେଇ ଦେଉଥିଲା, ଏଇ କେଇଘଣ୍ଟା ବ୍ୟବଧାନରେ ବୟସର ସୀମାରେଖା ଆହୁରି ଯେମିତି ଦଶବର୍ଷ ଆଗେଇ ଯାଇଚି ।

 

ବେଲଜିୟମ ଅଇନାର ଅପର ପାର୍ଶ୍ୱକୁ ପଡ଼ିଥିବା ଟିକ୍ଉଡ଼୍‍ର ଟେବୁଲ ଉପରେ ଘୂରୁଥିବା ଟେବୁଲ ଫ୍ୟାନ ପାଖରେ ବସିପଡ଼ିଲା ସେ । ଭ୍ୟାନିଟି ବ୍ୟାଗରୁ ପ୍ଲାଷ୍ଟିକ କଭରଖଚିତ ବିରାଟ କଳେବର ଏକ ବହି ବାହାର କରି ନିର୍ନିମେଷ ନୟନରେ ତାକୁ ଅନେଇ ରହିଲା ।

 

“କ୍ଷମା କରିବେ”

 

“ଲେଖିକା : କୁମାରୀ ବିଶ୍ୱମାୟା ପଟ୍ଟନାୟକ”......

 

ପୃଷ୍ଠା ପରେ ପୃଷ୍ଠା ଲେଉଟାଇ ଚାଲିଲା ସେ । ଫ୍ୟାନର ଅହରହ ଘୂର୍ଣ୍ଣନ ସତ୍ତ୍ୱେ ମୁଖମଣ୍ଡଳରେ ବିନ୍ଦୁ ବିନ୍ଦୁ ସ୍ୱେଦ ଫୁଟି ଉଠୁଥିଲା । ପରିଚାରିକା ଟେବୁଲ ଉପରେ ଗରମ କଫି କପ୍‍ଟି ଥୋଇ ନୀରବରେ ଛିଡ଼ା ହେଲା । ଏକା ନିଶ୍ୱାସକେ ବିଶ୍ୱମାୟା ଗରମ କଫିତକ ଶେଷ କରିଦେଲା ।

 

ସେଦିନର ଡାକ ସଂସ୍କରଣ ପେପରଟିଏ ଜଣେ କିଏ ଅଣି ତା ଟେବୁଲ ଉପରେ ଦେଇଗଲା । ଅନ୍ୟମନସ୍କ ଭାବରେ ପେପରର ହେଡ଼୍‍ଲାଇନ ଉପରେ ଆଖି ବୁଲାଉ ବୁଲାଉ ହଠାତ୍ ସେ ସ୍ଥିର ହୋଇ ବସିପଡ଼ିଲା । ସମ୍ୱାଦପତ୍ରର ପ୍ରଧାନ କଳେବର ଉପରେ ଆତ୍ମପ୍ରକାଶ କରିଚି ତାହାରି ଫଟୋଗ୍ରାଫ୍ ଆଉ ତା’ ତଳେ “କ୍ଷମା କରିବେ”ର ସମାଲୋଚନା । ସମାଲୋଚକଙ୍କ କଲମରୁ ଝରିପଡ଼ିଚି ଅଜସ୍ର ପ୍ରଶଂସାର ଧାରା । କୁମାରୀ ବିଶ୍ଵମାୟା ପଟ୍ଟନାୟକ ସାହିତ୍ୟ ଜଗତରେ ନବାଗତା ହେଲେ ମଧ୍ୟ, ତାଙ୍କର ଉନ୍ନତ ଚିନ୍ତାଧାରା ଯେ ଉପନ୍ୟାସଟିକୁ ଉଚ୍ଚକୋଟୀର କରି ତୋଳିଚି, ଏ ବିଷୟରେ ସେ ନିଃସନ୍ଦେହ ।

 

ପ୍ରତିପତ୍ତସଂପନ୍ନ ପଟ୍ଟନାୟକ ପରିବାର । ସଂଗ୍ରାମକେଶରୀ ପଟ୍ଟନାୟକ ଜଣେ “ଏ” କ୍ଲାସ କଣ୍ଟ୍ରାକ୍ଟର ଆଉ ତୁଙ୍ଗ ଜନନେତା । କୋଟି କୋଟି ଟଙ୍କାର ବ୍ୟାଙ୍କ ବ୍ୟାଲାନ୍‍ସ ସଂଗରେ ଅଜସ୍ର ପ୍ରତିପତ୍ତ । ତାଙ୍କରି ରକ୍ତରେ ଗଢ଼ା ବିଶ୍ୱମାୟା ଆଉ ସର୍ବଜୟା ଦୁଇଟି ସୁମନ । ସର୍ବଜୟା ଚଞ୍ଚଳ ଆଉ ଶାନ୍ତ; କିନ୍ତୁ ବିଶ୍ୱମାୟା ଗମ୍ଭୀର ଏବଂ ଉଦ୍ଧତ । ଏତେ ବଡ଼ ସ୍ୱନାମଧନ୍ୟ ଆଉ ପ୍ରତିପତ୍ତଶାଳୀ ପରିବାରରେ ତାର ଜନ୍ମ । ନିଜର ଦାମ୍ଭିକତା ବଜାୟ ନ ରଖିଲେ ବଂଶର ସୁନାମ ଧ୍ୱଂସ ହେବ । ଏଇ ଅହଙ୍କାର ନେଇ ସେ ସହପାଠିନୀମାନଙ୍କ ସହ ମିଶିପାରେ ନା । ନିଃସ୍ୱ ନିର୍ଦ୍ଧନଙ୍କୁ ସେ ଭଗବାନଙ୍କ ରାଜ୍ୟର ଅଭିଶପ୍ତ ଜୀବ ବୋଲି ଘୃଣାରେ ଚକ୍ଷୁ ଫେରାଇଆଣେ । ସେ ଭାବେ, ପୂର୍ବକୃତ ଅପରାଧ ବଳରୁ ଅହରହ ସେମାନେ ମାନସିକ ଜଞ୍ଜାଳରେ ଅସ୍ତବ୍ୟସ୍ତ, ଆଉ ନିର୍ଦ୍ଧନତା ଜୀବନରେ ମରଣ ସଙ୍ଗେ ସମାନ ।

 

କିନ୍ତୁ ଆଜ......

 

ତାହାହିଁ ଚିନ୍ତା କରୁଥିଲା ବିଶ୍ୱମାୟା ।

 

କୁମାରୀ ବିଶ୍ୱମାୟା ପଟ୍ଟନାୟକ ।

 

ଏକାଦଶ ଶ୍ରେଣୀର କୃତିତ୍ୱସଂପନ୍ନା ଛାତ୍ରୀ ।

 

ସର୍ବୋପରି ସଂଗ୍ରାମକେଶରୀ ପଟ୍ଟନାୟକଙ୍କର ଜ୍ୟେଷ୍ଠା କନ୍ୟା ।

 

ନିଜ ଭାବନାରେ ଅନ୍ତର ଭିତରେ ସେ ଯେମିତି ଶିହରୀ ଉଠୁଥିଲା । ଟେବୁଲସ୍ଥିତ ପୁସ୍ତକ ଆଉ ସମ୍ବାଦପତ୍ର ତା ଆଡ଼କୁ ଯେମିତି ବିଦ୍ରୂପ ଦୃଷ୍ଟିରେ ଅନାଇ ରହିଥିଲେ ।

 

ସେ ଚିନ୍ତା କରି ପାରୁ ନ ଥିଲା–ଏଭଳି ଦୁଃସାହସ କରିବାକୁ କିଏ ସାହସ କରିପାରିଲା, ଆଉ ବା କୋଉ ଉଦ୍ଦେଶ୍ୟ ନେଇ ନିଜର ଏତେବଡ଼ ସୁନାମକୁ ଅପର ଜଣକ ନାମରେ ଅଜାଡ଼ି ଦେବାକୁ ପ୍ରୟାସୀ ହେଇପଡ଼ିଲା ?

 

ପୁସ୍ତକର ଭାବଧାରା ଆଉ ଭାଷାର ଉନ୍ନତ ଶୈଳୀ ଭିତରଦେଇ ସେ ଏଇ ଦୁଃସାହସୀଟିକୁ ବାହାର କରିବାକୁ ଚେଷ୍ଟା କରୁଥିଲା । କିନ୍ତୁ ଏ କଣ ସମ୍ଭବ ?

 

ଦୀର୍ଘ ଅଠରବର୍ଷ ଭିତରେ ପାଠ୍ୟପୁସ୍ତକ ବ୍ୟତୀତ ଯେ ଅନ୍ୟ ପୁସ୍ତକ ସଂସ୍ପର୍ଶରେ କେବେ ଆସିନା...ସେ କେମିତି ଭାଷାର ମାଧ୍ୟମରେ ତାକୁ ଆବିଷ୍କାର କରିପାରିବ ? ତେବେ ସେ ଏତିକିରେ ନିଶ୍ଚିତ ଯେ ବହିର ସ୍ରଷ୍ଟା ନିଶ୍ଚୟ ସୁପଣ୍ଡିତ ଧୂର୍ତ୍ତ, ଆଉ ଅସମ୍ଭବ ଭାବେ ସୈତାନ ।

 

ଯଦି ସେ ଏଇ ଉପକାରୀ ପୁରୁଷଟିକୁ ଆବିଷ୍କାର କରିପାରନ୍ତା ? ଆଃ...

 

ମନ ଭିତରେ ସେ ଯେମିତି ଦୃଢ଼ପ୍ରତିଜ୍ଞ ହୋଇଉଠିଲା । ସେ ନିଶ୍ଚୟ ତାକୁ ବାହାର କରିବ ଆଉ ତାକୁ ଇମିତି ଶାସ୍ତି ଦେବ ଯେ ଜୀବନରେ ସେ କେବେ ଯେମିତି ଏଭଳି ଦୁଃସାହସ କରିବାକୁ ସାହସ କରିପାରିବ ନାହିଁ ।

 

କିନ୍ତୁ କିଏ ଦବ ତା’କୁ ତାର ପରିଚୟ ?

 

ସର୍ବଜୟା ରୁମର କବାଟ ବନ୍ଦ ହେବାର ଶବ୍ଦ ଶୁଭିଲା ।

 

ମନେ ମନେ ଅଶାୟୀ ହୋଇଉଠିଲା ବିଶ୍ୱମାୟା । ଅମାବାସ୍ୟାର ନିବିଡ଼ ମସୀ ଭିତରେ ସେ ଯେମିତି ଦେଖିବାକୁ ପାଇଲା ଖଦ୍ୟୋତର ସ୍ୱଳ୍ପ ଅଲୋକଶିଖା ।

 

ସର୍ବଜୟା ସାହିତ୍ୟ ପ୍ରିୟା ।

 

ଭାଷା ସାହିତ୍ୟରେ ନିବିଡ଼ ତାର ମନପ୍ରାଣ ।

 

ଶହ ଶହ ଉପନ୍ୟାସ ଭିତରେ ନିଜର ରିସେସ ସମୟତକ ସେ ବ୍ୟୟ କରେ । ରହି ତା ଚକ୍ଷୁରେ ଏଇ ଦୁଃସାହସୀ ବ୍ୟକ୍ତିଟି ଲୁକ୍‍କାୟିତ ହୋଇ ନ ପାରେ ?

 

କିନ୍ତୁ ତା’ ଆଗରେ ଯଦି ସେ ଧରାପଡ଼ିଯାଏ ? ନିଜର କୌଣସି ଦୁର୍ବଳତାରୁ ସେ ଯଦି ଜାଣିପାରେ, ‘କ୍ଷମା କରିବେ’ର ଲେଖିକା ବିଶ୍ୱମାୟା ପଟ୍ଟନାୟକ ନୁହେଁ...... ?

 

ତା’ହେଲେ... ? ଚିନ୍ତିତ ହୋଇପଡ଼ିଲା ବିଶ୍ୱମାୟା । ହେଇ ସର୍ବଜୟାର ପଦଶବ୍ଦ ଶୁଭୁଚି-। ସେ ନିଶ୍ଚୟ ଏଇ କୋଠରୀକୁ ଆସିବ । ହୃତ୍‍ପିଣ୍ଡର ସ୍ପନ୍ଦନ ଯେମିତି ବଢ଼ିଗଲା ବିଶ୍ୱମାୟାର-। ଟେବୁଲ ଡ଼୍ରଏର ଭିତରେ ସେ ସଦ୍ୟ ପ୍ରକାଶିତ ସମ୍ବାଦପତ୍ରଟିକୁ ଭର୍ତ୍ତି କରିଦେଲା

 

ସର୍ବଜୟା ଆସି ଦ୍ୱାରଦେଶରେ ଛିଡ଼ା ହୋଇ ବିଶ୍ୱମାୟା ଉପରେ ଚକ୍ଷୁ ନିବଦ୍ଧ କଲା । ବିଶ୍ୱମାୟାର ଦୁଇବର୍ଷ ତଳର ଭଉଣୀ ଚିର ହର୍ଷମୁଖରା ଏଇ ସର୍ବଜୟା–ସମସ୍ତଙ୍କର ସ୍ନେହରପାତ୍ର-। ବାପ-ମାଆଙ୍କଠାରୁ ଆରମ୍ଭ କରି ଗୃହର ପରିଚାରକଗଣଙ୍କ ଉପରେ ନିଜର କର୍ତ୍ତୃତ୍ୱ ବିସ୍ତାର କରେ-। ତେଣୁ ସମସ୍ତଙ୍କର ଅଖଣ୍ଡ ମାୟା ଏଇ ଝିଅଟି ଉପରେ । ସମସ୍ତଙ୍କ ସାଙ୍ଗରେ ଅବାଧ ମିଳାମିଶା ତାର । କିନ୍ତୁ ବିଶ୍ୱମାୟା ଯେମିତି ଏକ ମୂର୍ତ୍ତିମନ୍ତ ଦୁର୍ଭେଦ୍ୟ ପ୍ରହେଳିକା ନେଇ ତା’ ଆଗରେ ଛିଡ଼ା ହୁଏ ।

 

ଗୋଟିଏ ବୃନ୍ତରେ ଦୁଇଟି ସୁମନ । କିନ୍ତୁ ଜଣକ ସହିତ ଅନ୍ୟ ଜଣକର ରୁଚି ସମତାଳ ବିକ୍ଷେପରେ ଚାଲିପାରେ ନା । ସେଥିପାଇଁ ପ୍ରତ୍ୟେକ ମୁହୂର୍ତ୍ତରେ ଦୁଇ ଭଉଣୀଙ୍କ ଭିତରେ ଝଗଡ଼ାର ସୂତ୍ରପାତ ହୁଏ । ବିଶ୍ୱମାୟାର ଉଦ୍ଧତ ପ୍ରକୃତିକୁ ଆହୁରି ଉଦ୍ଧତ କରିବାପାଇଁ ବିଶ୍ୱମାୟାର ଅନୁପସ୍ଥିତିରେ ତାର ବହିପତ୍ର ବିଶୃଙ୍ଖଳ କରିପକାଏ । ଆଉ ସେଇଥିପାଇଁ ବି ପ୍ରତିଦିନ କାନମୋଡ଼ା ସେ ଖାଏ ।

 

ଆଜି ବି ସେଥିରୁ ସେ ବ୍ୟତିକ୍ରମ କରିନାହିଁ । ଅନ୍ୟ ଦିନଠାରୁ ଆଜିର ବିଶ୍ୱମାୟାର ମୁଖମଣ୍ଡଳ ଦେଖି ଗତି ତାର ସ୍ତମ୍ଭିତ ହୋଇଗଲା ।

 

ଜୟା...... ।

 

ଜୟା ଆଡ଼େ ମୁହଁ ଫେରାଇ ଚାହିଁଲା ସେ । ବିନା ଆପତ୍ତରେ ଜୟା ଯାଇ ଟେବୁଲ ସମ୍ମୁଖରେ ବସିପଡ଼ିବା ମାତ୍ରେ ଦୃଷ୍ଟି ତାର ଆକର୍ଷିତ କଲା ସେଇ ବହିଟି । କୌତୁହଳୀ ହୋଇ ବହିଟି ଉଠେଇନେବା ମାତ୍ରେ ସେ ସ୍ତମ୍ଭୀଭୂତ ହୋଇଗଲା ଯେମିତି । ମୂକଙ୍କ ଭଳି ସେ ବିଶ୍ୱମାୟାର ମୁଖମଣ୍ଡଳକୁ ଅନାଇ ରହିଲା ।

 

ତୁ ଏ ବହି ଲେଖିଛୁ, ଅପା ?

 

କାହିଁକି, ତୋର କଣ ବିଶ୍ୱାସ ଆସୁନାହଁ ? ଧୀର କଣ୍ଠରେ କହିଲା ବିଶ୍ୱମାୟା ।

 

ଚିରଦିନ ଯେ ସାହିତ୍ୟ ପ୍ରତି ଅନାସକ୍ତ ତା ଲେଖନୀରୁ ଯେ ଏମିତି ବହି ମୁକ୍ତିଲାଭ କରିବ ଏ ବିଶ୍ୱାସ ମୁଁ କେମିତି କରିବି, ଅପା । ତଥାପି ବର୍ତ୍ତମାନକୁ ତ ଆଉ ମୁଁ ଅସ୍ୱୀକାର କରି ପାରିବି ନାହଁ । ବିଶ୍ୱମାୟା ଉପରେ କୃତ୍ରିମ କ୍ରୋଧ ପ୍ରକାଶ କଲା ଜୟା ।

 

ତୁ ଯୋଉ ପ୍ରକୃତିର ଝିଅ ନା–ତୋର ଜ୍ଞାତସାରରେ ବହିଟି ପ୍ରକାଶକକୁ ଦେଲା ପରେ, ତାହା ଯଦି ମୁକ୍ତିଲାଭ କରି ନଥାନ୍ତା, ତୁ କ’ଣ ମୋତେ ଆଉ ରଖେଇ ଥୋଇ ଦେଇଥାଆନ୍ତୁ । ଆଚ୍ଛା ଜୟା । ବିଭିନ୍ନ ସାହିତ୍ୟକଙ୍କର ବହିର ସଂସ୍ପର୍ଶରେ ତୁ ତ ଆସିଚୁ–ଏ ବହିଟି ନେ, ପଢ଼ିବୁ ଆଉ ମୋତେ କହିବୁ, କୋଉ ଲେଖକଙ୍କ ଲେଖା ସହ ମୋ ଲେଖାର ସିମିଲାରିଟି ରହୁଚି ବୁଝିଲୁ...... ?

 

କଣ କହିବ ବୋଲି ଚିନ୍ତା କରି ନୀରବ ରହିଲା ସର୍ବ-ଜୟା । ତା’ର ସୁନ୍ଦର ମୁଖମଣ୍ଡଳଟି ନଇଁପଡ଼ିଲା ବହିର ପୃଷ୍ଠା ଉପରେ । ବିଶ୍ୱମାୟାର ମନେହେଲା, ଗଭୀର ମନଯୋଗ ସହକାରେ ସେ ଯେମିତି ଲେଖାଟିକୁ ପଢ଼ୁଚି ।

 

ବିଶ୍ୱମାୟାର ମନସମୁଦ୍ରରେ ଯେମିତି ଉଦବେଳିତ ତରଙ୍ଗ ତରଙ୍ଗାୟିତ ହେଉଥିଲା ସର୍ବଜୟାର ପ୍ରଗାଢ଼ ମନୋନିବେଶରେ । ମନ ଭିତରେ ତା’ର ବୋଧହୁଏ ଭାବନାର ଢେଉ କେନ୍ଦ୍ରୀଭୂତ ହେବାକୁ ଚେଷ୍ଟା କରୁଚି । ପୃଷ୍ଠା ପରେ ପୃଷ୍ଠା ଚମ୍ପକବର୍ଣ୍ଣ ଅଙ୍ଗୁଳିର ସ୍ପର୍ଶରେ ଅପସାରିତ ହେଉଛି, ଆଉ ତା’ର ନୀଳ ସୁନ୍ଦର ନୟନ ଦ୍ୱୟ ଲାଇନ ପରେ ଲାଇନ ଅତିତ୍ରମ କରି ଚାଲିଚି ।

 

ଇସ୍, କେଡ଼େ ଚଞ୍ଚଳ ବହିଟି ଅର୍ଦ୍ଧସମାପ୍ତ କରିଦେଲା ସର୍ବଜୟା ।

 

ହଠାତ୍ ଗୋଟିଏ ପ୍ୟାସେଜ ଉପରେ ଅଙ୍ଗୁଳି ରଖି ମୁହଁ ଉଠାଇଲା ସର୍ବଜୟା । ମୁହଁରେ ବିଜୟିନୀର ଦୀପ୍ତି–ହୁଏତ ସେ ଆବିଷ୍କାର କରିପାରିଚି ସେହି ଦୁଃସାହସୀ ସାହିତ୍ୟକକୁ । ନିଜ ଭାବନାର କେନ୍ଦ୍ରୀଭୂତ ପରିଧିରେ ଯେମିତି ଘୂରିବାକୁ ଲାଗିଲା ବିଶ୍ୱମାୟା ।

 

ବୁଝିଲ, ଅପା । ତୋ ଲେଖାରେ ଯେମିତି ଉନ୍ନତ ଶୈଳୀର ସ୍ଵାକ୍ଷର ମିଳୁଚି ଆଉ ରଚନାର ସାବଲୀଳତା ରକ୍ଷା କରାଯାଇଚି, ତାହା କେବଳ ଜଣେ ଲେଖକଙ୍କର ଭାବଧାରାକୁ ଅବିଚ୍ଛିନ୍ନଭାବେ ସଂଯୋଗ କରୁଚି । ସେ ଲେଖକ ଯେ ଜଣେ ବିଖ୍ୟାତ ସାହିତ୍ୟିକ, ତାହା ନୁହେଁ । ସମାଜରେ କୌଣସି ପ୍ରତିପତ୍ତ ମଧ୍ୟ ତାଙ୍କର ନାହିଁ । ସର୍ବୋପରି ନିଜର ପ୍ରତିପୋଷଣ ପାଇଁ କୌଣସି ଅବଲମ୍ବନ ବି ନାହିଁ । ଆମର ହେଡ୍‍ମିଷ୍ଟ୍ରେସ କହନ୍ତି, ସେ ଲେଖକଙ୍କର ସଂଖ୍ୟାଧିକ ବହି ଯଦି ପବ୍ଳିଶର ପ୍ରକାଶ କରନ୍ତି, ତା ହେଲେ ଦିନେ ଯେ ସେ ପ୍ରଖ୍ୟାତ ସାହିତ୍ୟକମାନଙ୍କର ସମକକ୍ଷ ହେଇପାରିବେ ଏ ବିଷୟରେ ସେ ନିଃସନ୍ଦେହ ।

 

ଜୟା । ...ଯେମିତି ଅଗ୍ନିସ୍ପୁଲିଙ୍ଗ ଉଦ୍‍ଗୀରଣ ହେଲା ବିଶ୍ୱମାୟାର ଚକ୍ଷୁରେ । ସେହି ଅଗ୍ନିସ୍ପୁଲିଙ୍ଗ ଯେମିତି ସେ ସାହିତ୍ୟକ ଭଷ୍ମ ହେଇଯିବ । ମନେ ମନେ ଭୟ ପାଇଗଲା ଜୟା ।

 

ଏ ଲେଖା ଯେ ତୋର ନିଜସ୍ଵ, ଏହା ମୁଁ ସ୍ୱୀକାର କରୁଚି, ଅପା ! ହେଲେ ତୁ ଯେତେବେଳେ ମୋତେ ପଚାରିଲୁ, ମୁଁ ଅପ୍ରିୟ ସତ୍ୟ କଥାଟା ପ୍ରକାଶ କଲି । ଏଥିରେ ମୋର କଣ ଦୋଷ ରହିଲା, କହିଲୁ ?

 

ତୁ ସେ ଲେଖକକୁ ଚିହ୍ନୁ, ଜୟା ।

 

ଏଇ କଥା ପଦକରେ ସର୍ବଜୟାର ଅନ୍ତର ଯେମିତି କମ୍ପିଉଠିଲା ।

 

ନିଜକୁ ସଂଯତ କରି ସେ କହିଲା, ତୋ ଏଲଜେବ୍ରା, ଟ୍ରିଗୋନମେଟ୍ରି, ସୋସିଆଲ ଷ୍ଟଡ଼ି ବହିମାନଙ୍କର ଲେଖକଙ୍କୁ ତୁ ଜାଣୁ ?

 

ସ୍ତମ୍ଭ ତ ହୋଇ ସର୍ବଜୟାକୁ ଅନାଇ ରହିଲା ବିଶ୍ୱମାୟା ।

 

ଆହୁରି ସାହସ ସଞ୍ଚୟ କରି ସେ କହିଲା, ଠିକ୍ ଯେମିତି ବହିର ପୃଷ୍ଠାଉପରେ ଏ ଲେଖକଙ୍କ ସହିତ ତୋର ପରିଚୟ, ମୋର ମଧ୍ୟ ସେଇ ବହି ଭିତରେ ତାଙ୍କ ସାଙ୍ଗରେ ପରିଚୟ ଘଟିଚି । ଆଉ ତାଙ୍କର ପବ୍ଳିଶରଙ୍କ ପାଖରୁ ବୁଝିଚି ସେଇ ଲେଖକଙ୍କର ଦୁରବସ୍ଥା । ଏ ପର୍ଯ୍ୟନ୍ତ ତାଙ୍କର ଏକମାତ୍ର କ୍ଷୁଦ୍ର ପୁସ୍ତକ ପ୍ରକାଶିତ ଏବଂ ସର୍ବଜନଆଦୃତ ।

 

ତୁ ସେ ପବ୍ଳିଶରଙ୍କୁ ଚିହ୍ନିଚୁ ?

 

ଆହୁରି ଆଶ୍ଚର୍ଯ୍ୟ ହେଲା ସର୍ବଜୟା । ନିଜର ଚକ୍ଷୁଦ୍ଵୟ ଥରେ ବିଶ୍ୱମାୟାର କମ୍ପିତ ମୁଖମଣ୍ଡଳ ଉପରୁ ଲେଉଟାଇଆଣି କହିଲା–ଏ ବିଷୟରେ ତୁ ଆମ ହେଡ୍‍ମିଷ୍ଟ୍ରେସଙ୍କ ସହ ଆଲୋଚନା କରିପାରୁ । କାରଣ, ତୁ ତ ଜାଣୁ, ସେ ଲେଖିକା–ସେଇଥିପାଇଁ ସେ ବିଭିନ୍ନ ପବ୍ଳିଶରମାନଙ୍କ ପାଖରୁ ପ୍ରତ୍ୟେକ ଲେଖକଙ୍କର ସବିଶେଷ ବିବରଣୀ ସଂଗ୍ରହ କରି ଏକ ଗ୍ରନ୍ଥ ପ୍ରକାଶ କରିବାର ପରିକଳ୍ପନା କରିଛନ୍ତି । ତାଙ୍କରି ସହିତ ମୁଁ ଅନେକ ଥର ସେ ପବ୍ଳିଶରଙ୍କ ପାଖକୁ ଯାଇଚି । ହେଲେ ତୋର ତ ଈର୍ଷା କରିବାର କୌଣସି କାରଣ ନାହଁ । କାରଣ ତାଙ୍କ ଲେଖାଠାରୁ ଏ ବହିଟି ଯେ ଉଇକୋଟୀର ହେଇଚି ଏ ବିଷୟରେ ମୁଁ ନିଃସନ୍ଦେହ । ଆଉ ଯେକୌଣସି ପାଠକ ନିଶ୍ଚୟ ସ୍ଵୀକାର କରିବ ଯେ ଏପର୍ଯ୍ୟନ୍ତ ଯେତେ ବହି ପ୍ରକାଶିତ ହେଇଚି ଏ ବହିଟି ନିଶ୍ଚୟ ସବୁଠାରୁ ନିଜର ସ୍ୱାତନ୍ତ୍ର୍ୟ ରକ୍ଷା କରିଚି ।

 

ଏକଧ୍ୟାନରେ ସର୍ବଜୟାର ବକୃତା ଶୁଣିଯାଉଥିଲା ବିଶ୍ୱମାୟା । ତା’ର ରୂଢ଼ ବାକ୍ୟରେ ସେ ଯେ ଭୀତ ହୋଇଯାଇଚି ଏଥିରେ ନିଃସନ୍ଦେହ ହେଇ କହିଲା, ମୁଁ ଈର୍ଷା ବା ଅକ୍ରୋଶରେ ଏ କଥା କହୁନାହିଁ, ଜୟା ! ମୋର ଉଦ୍ଦେଶ୍ୟ, ଅନ୍ୟ କୌଣସି ବହିର ଛାପ ଯେମିତି ମୋ ବହି ଉପରେ ନ ପଡ଼ୁ । ପାଠକମାନେ ଯେମିତି ନିଃସନ୍ଦେହ ହେବେ ଯେ, ମୋ ଲେଖା ଅନ୍ୟ କୌଣସି ଲେଖାର ପ୍ରତିଫଳନ ନୁହେଁ । ତୁ ବହୁ ଉପନ୍ୟାସ ପଢ଼ୁ, ଆଉ ସେଇଥିପାଇଁ ତୋତେ ମୁଁ ମୋର ଦୋଷଗୁଣ ବାହାର କରିବାକୁ କହିଥିଲି ।

 

ଏଥର ଟିକେ ଆଶ୍ଚର୍ଯ୍ୟ ହେଲା ସର୍ବଜୟା । ହେଲେ ବିଶ୍ୱମାୟାର କହିବାର ଭଙ୍ଗୀରୁ ସେ ଯେମିତି ଅନେକ କିଛି ଧାରଣା କରିନେଇଥିଲା । ତେଣୁ କୌଣସି ପ୍ରତିବାଦ ନ କରି ନୀରବ ଭାବରେ ବହିପଢ଼ାରେ ପୁଣି ମନୋନିବେଶ କଲା ।

 

କିଛିକ୍ଷଣ ନୀରବତା ପରେ ବିଶ୍ୱମାୟା ପୁଣି କହିଲା, ଆଚ୍ଛା, ଜୟା, ଯୋଉ ଲେଖକଙ୍କର କେତେକ ପାରାଗ୍ରାଫ ସହିତ ମୋ ପାରାଗ୍ରାଫମାନଙ୍କର ସିମିଲାରିଟି ବହୁଚି, ତାଙ୍କ ନାମ କହିପାରିବୁ ?

 

ହେ ଆଲ୍ଲା ! ସେକଥା ତୁଣ୍ଡରେ ତୁ ମୋଟେ ଧର ନା, ଅପା । କାରଣ ତୋର ରୁଚି ଆଉ ତାଙ୍କର ରୁଚି ଭିତରେ ଯଥେଷ୍ଟ ପାର୍ଥକ୍ୟ ଅଛି । ଏକ ପକ୍ଷରେ ତୁ ରାଜପ୍ରାସାଦର ସଯତ୍ନବର୍ଦ୍ଧିତା ଗୋଲାପକଢ଼ି ହେଲେ ସେ ବର୍ଷାବିଧୌତ ଏକ ଅଖ୍ୟାତ କୁଡ଼ିଆର ବଣମଲ୍ଲୀ । ଯୋଉମାନଙ୍କୁ ଅଭିଶପ୍ତ ଜୀବ ଭାବି ତୁ ଘୃଣାରେ ନାକ ଟେକୁ, ସେହିମାନଙ୍କ ଭିତରୁ ସେ ଅନ୍ୟତମ । ତାଙ୍କ ବିଷୟରେ ହେଡ୍‍ମିଷ୍ଟ୍ରେସଙ୍କୁ ଯୋଉ ଧାରଣା ପବ୍ଳିଶର ଦେଲେ, ସେଇ ଧାରଣା ନେଇ ମୁଁ କହୁଚି ସେ ନିତାନ୍ତ ଦରିଦ୍ର ଆଉ ନିଃସ୍ୱ । ସେଇଥିପାଇଁ ତାଙ୍କ ନାଆଁ ଜାଣିବାରେ ବି ମୁଁ ବିଶେଷ ଆଗ୍ରହ କରିନାହଁ ।

 

ତାଙ୍କ ବହିଟା ମୋତେ ଦେଇପାରିବୁ ?

 

ହେ ଆଲ୍ଲା ! ସେ ବହିଟାର ବିଷୟବସ୍ତୁ ଯଦିଚ ମୋର ମନେ ଅଛି, ତଥାପି ବହିଟାର ନାମ ମୋର ଆଦୌ ମନେନାହଁ । ଆମ ସ୍କୁଲ ଲାଇବ୍ରେରୀ ଆଉ ପବ୍ଳିକ ଲାଇବ୍ରେରୀ ବ୍ୟତୀତ ମୋର ଟିଫିନ ଖର୍ଚ୍ଚରୁ ସଂଚୟ କରି ମୁଁ ପ୍ରାୟ ବହୁତ ଉପନ୍ୟାସ କିଣେ–ତାହାରି ଭିତରୁ ସେ ବହିଟି ନିଶ୍ଚୟ ଖଣ୍ଡିଏ । ହେଲେ ତୋର ସେଥିରେ ଭୟ କରିବାର କଣ ଅଛି ? ସେ ଯୋଉଭଳି ବହି, ତାକୁ ଯେ ବହୁତ ଲୋକ ପଢ଼ିଥିବେ ଏ ବିଶ୍ୱାସ ବି ମୋର ନାହିଁ ।

 

ବାହାରେ କାର୍‍ର ହର୍ଣ୍ଣ ଶୁଭିଲା । ବହିଟାକୁ ହାତରେ ଧରି ଦ୍ରୁତ ପଦରେ ସେ କକ୍ଷରୁ ଅନ୍ତର ହେଇଗଲା ସର୍ବଜୟା । ହେଲେ ବିଶେଷ ପରିମାଣରେ ବିଚଳିତ ହେଇପଡ଼ିଲା ବିଶ୍ୱମାୟା ।

 

ଉଚ୍ଛ୍ୱସିତ ଆନନ୍ଦର ତରଙ୍ଗ ନେଇ ଭିତରକୁ ପ୍ରବେଶ କରିବାମାତ୍ରେ ବିଶ୍ୱମାୟାକୁ ଶୂନ୍ୟେ ଶୂନ୍ୟେ ଉଠାଇନେଲେ ସଂଗ୍ରାମକେଶରୀ । ତାଙ୍କର ହୃଦୟ ଯେମିତି ଅବ୍ୟକ୍ତ ଆନନ୍ଦରେ ଆତ୍ମହରା ହେଇଉଠୁଥିଲା ।

 

ଆରେ ବେବୀ, ୟୁ ଆର ଏ ରାଇଟର ! କାହିଁ, ୟା ଭିତରେ ତୁ ଏତେ କାମ କରିଗଲୁ, ଅଥଚ ତୋର ଏ ପୋଅର ଡାଡ଼ିଟାକୁ ଟିକେ ବି ଜଣେଇଲୁ ନାହିଁ । ରାସ୍ତା, ଘାଟ, ପେପରସବୁଥିରେ ତୋ ବହିର ଉଚ୍ଛ୍ୱସିତ ପ୍ରଶଂସା ମୁଖରିତ ହେବା ପରେ ମୁଁ ଜାଣୁଚି । ଆଇ ୟାମ ଭେରୀ ଗ୍ଲାଡ୍, ବେବୀ, ଆଇ ୟାମ ଭେରୀଗ୍ଲାଡ଼୍ । ତୋ ମାଆକୁ ପଚାର, ଆଜି ଆମ ବିଭାଗୀୟ ମନ୍ତ୍ରୀ, ଯେ କି ଜଣେ ବିରାଟ ସାହିତ୍ୟିକ–ସେ ତୋତେ ପ୍ରଶଂସା କଲେ । ଆଉ କଣ କହିଚନ୍ତି, ଜାଣୁ ? ଏ ବର୍ଷ ସାହିତ୍ୟ ଏକାଡେମୀରୁ ସର୍ବଶ୍ରେଷ୍ଠ ପୁସ୍ତକରୂପେ ତୋ ବହିଟି ଯେ ବିବେଚିତ ହେବ ଏ ବିଷୟରେ ସେ ନିଃସନ୍ଦେହ ।

 

ବିଶ୍ୱମାୟାକୁ ପଲଙ୍କ ଉପରେ ବସାଇଦେଇ ବସିପଡ଼ିଲେ ସେ । ସାହିତ୍ୟ ସାଧନାର ମୂଲ୍ୟ ବହୁତ ବେଶି, ମା ! କାହିଁ, ତୋ ବହିଟା ଦେଲୁ ।

 

ସର୍ବଜୟା ବାପାଙ୍କ ହାତକୁ ବହିଟା ବଢ଼େଇଦେଇ କହିଲା, ଅପା ଯେ ଏଡ଼େ କପଟୀ, ତମପରି ମୁଁ ବି ଆଜି ଜାଣୁଚି, ଡାଡ଼ି । ଭାରି ସୁନ୍ଦର ହେଇଚି ଏ ବହିଟା ।

 

ଆଉ ତୁ...ବିଭିନ୍ନ ପତ୍ରପତ୍ରିକା ପଢ଼ି ଯାହା କରି ନ ପାରିଲୁ, ଦେଖିଲୁ, ଅନାୟାସରେ ତୋ ଅପା କିପରି ଏତେ ପ୍ରଶଂସାଭାଜନ ହେଇପାରିଲା ।

 

ନୀରବରେ ହସିବାକୁ ଲାଗିଲା ସର୍ବଜୟା । ସର୍ବଜୟାର ଏହି ହସ ଯେମିତି ଶତ ବୃଶ୍ଚିକର ଦଂଶନ ଖେଳେଇଦେଲା ବିଶ୍ୱମାୟାର ମସ୍ତିଷ୍କରେ ।

 

ରାତ୍ରି ଭୋଜନ ପ୍ରସ୍ତୁତ ହେଇସାରିଥିଲା । ସଂଗ୍ରାମକେଶରୀଙ୍କ ନିର୍ଦ୍ଦେଶରେ ଦୁଇ ଭଉଣୀ ଡାଇନିଙ୍ଗ ରୁମକୁ ଚାଲିଗଲେ ।

 

ସେଦିନ କିନ୍ତୁ ଗହଳ ଶେଯ ନିଦ୍ରାରାଣୀଙ୍କୁ ଆକୃଷ୍ଟ କରିପାରିଲା ନାହିଁ । ମାନସିକ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲା ବିଶ୍ୱମାୟା । ଉଦ୍ଧତ ଆତ୍ମଭିମାନ ସମସ୍ତଙ୍କ ଅଜାଣତରେ ଯେମିତି ନିଷ୍ଠୁର ପରିହାସ କରୁଥିଲା ତାକୁ । ସର୍ବୋପରି ଜୟାହିଁ ଦେଇଥିଲା ସେଇ ଚିନ୍ତାର ପ୍ରଧାନ ଖୋରାକ । ଘରେ ସେଇ ଉପନ୍ୟାସ ନେଇ ବାପା ଗର୍ବ କରୁଥିବାବେଳେ ସର୍ବଜୟାର ସେହି ସ୍ପଷ୍ଟବାଦିନୀ ମୁଖରେ ସେ ଦେଖିପାରିଲା ଯେମିତି ବିଦ୍ରୂପର ଇଙ୍ଗିତ । ସାହିତ୍ୟର ସାଧକ ସେ–

 

ଭାବି ପାରୁ ନ ଥିଲା ସେ–କିଏ ସେହି ଅପରିଚିତ ଲେଖକ, ଯିଏ ନିଜର ସୁନାମକୁ ଅପର ଜଣକ ପାଇଁ ଅକାତରରେ ତ୍ୟାଗ କରିପାରୁଚି ? ତା’ ସାଙ୍ଗରେ ବା ତା’ର ସଂପର୍କ କଣ ? ଅତୀତର ବିସ୍ମୃତି ଗର୍ଭରୁ ପରିଚିତ ବ୍ୟକ୍ତିମାନଙ୍କର ନାମ ସ୍ମରଣ କରିବାକୁ ଲାଗିଲା ସେ । ବନ୍ଧୁମାନଙ୍କର ବ୍ୟକ୍ତିଗତ ପରିଚୟ ବିଶ୍ୱମାୟା ପାଖରେ ଅବିଦିତ ନ ଥିଲା । ଆଶ୍ଚର୍ଯ୍ୟ ହେଲା ସେ–ପରିଚିତ ବନ୍ଧୁମାନଙ୍କ ଭିତରୁ କେହି ଜଣେ ହେଲେବି ସାହିତ୍ୟର ଧାର ଧାରନ୍ତି ନାହିଁ-। ସେମାନଙ୍କର ଧାରଣା, ସାହିତ୍ୟ ଏକ ବିକୃତ ମନର ପ୍ରଳାପ । ବାପାଙ୍କର ଅତି ପରିଚିତ ଆଉ ତା’ର ବନ୍ଧୁ ଶଶାଙ୍କବାବୁ କହନ୍ତି, ସାହିତ୍ୟିକଗଣ ଭଣ୍ତ, ମିଥ୍ୟାବାଦୀ ଆଉ ଚରିତ୍ରହୀନ-। ଏହିଭଳି ବନ୍ଧୁମାନଙ୍କ ଭିତରେ ସାହିତ୍ୟର ଆଦିଅକ୍ଷରର ଯେ ସ୍ଥାନ ନାହିଁ । ତା’ ହେଲେ କିଏ ସେ ?

 

ଚିନ୍ତିତ ହେଲା ବିଶ୍ୱମାୟା । ସର୍ବଜୟା ହୁଏତ ତାକୁ ବିଦ୍ରୂପ କରିଚି । ସେହି ଲେଖକକୁ ସେ ଜାଣିଶୁଣି ତା’ର ପରିଚୟ ଯେମିତି ତା ପାଖାରେ ଗୋପନ ରଖିଚି । ନା, ଯେକୌଣସିମତେ ତା ପାଖରୁ ସନ୍ଧାନ ସଂଗ୍ରହ କରିବାକୁ ପଡ଼ିବ । ଗଭୀର ଉତ୍ତେଜନାରେ ପଲଙ୍କ ଉପରୁ ଉଠିପଡ଼ିଲା ବିଶ୍ୱମାୟା ।

 

ରୁମ୍‍ର କବାଟ ମୁକୁଳା ଥିଲା । ଧୀର ପଦକ୍ଷେପରେ ବିଶ୍ୱମାୟା ଯାଉଁ ଯାଉଁ ଅକସ୍ମାତ୍ ପାଦ ଦୁଇଟା ତା’ର ଅଟକିଗଲା ଜୟାର ରୁମ୍ ନିକଟରେ । ଭିତରେ ଲାଇଟ୍ ଜଳୁଚି । ଛକି ଛକି ଝରକା ପାଖକୁ ଗଲା ସେ । ମୁକୁଳା ଝରକା ଦେଇ ସେ ଏଥର ପରିଷ୍କାର ଦେଖିପାରିଲା ସର୍ବଜୟାକୁ ।

 

ଗଭୀର ମନଯୋଗ ସହକାରେ ବିରାଟ ଏକ ବହିସ୍ତୂପ ସାମନାରେ ବସିଥିଲା ସେ । ସେହି ଅସଂଖ୍ୟା ବହି ମଧ୍ୟରୁ ସେ ଯେମିତି କଣ ଖୋଜିବାରେ ଲାଗିଥିଲା । ସ୍ତମ୍ଭିତ ହେଲା ବିଶ୍ୱମାୟା । ସର୍ବଜୟା ତା ପାଖରେ ଛଳନା କରିନାହିଁ । ସେ ହୁଏତ ମନପ୍ରାଣ ଦେଇ ଖୋଜିବାରେ ଲାଗିଚି ସେଇ ଲେଖକକୁ ।

 

ତା’ହେଲେ ଜୟା ପାଖରେ ସେ କଣ ଆବିଷ୍କୃତ ହେଇସାରିଚି ? ନିଜ ପ୍ରଶ୍ନରେ ନିଜେ ଯେମିତି ଚମକି ଉଠିଲା ବିଶ୍ୱମାୟା । ହୃତପିଣ୍ଡର ସ୍ପନ୍ଦନ ଯେମିତି ବହୁ ପରିମାଣରେ ବୃଦ୍ଧି ପାଇଗଲା ତା’ର ।

 

ତା’ ହେଲେ ?

 

ଆଭିଜାତ୍ୟଗର୍ବିଣୀ ବିଶ୍ୱମାୟାର ପ୍ରାଣର କୋମଳ ତନ୍ତ୍ରୀ ଦୋହଲାଇ ବାହାରି ଆସିଲା ଏକ ଦୀର୍ଘଶ୍ୱାସ । ଅସ୍ଥିର ପଦକ୍ଷେପରେ ସେ ଫେରିଆସିଲା ନିଜର ଶୟନକକ୍ଷକୁ ।

 

ହୃତ୍‍ପିଣ୍ଡର ସ୍ପନ୍ଦନ ବୃଦ୍ଧି ପାଇବାରେ ଲାଗିଛି । ଚଳତ୍-ଶକ୍ତିହୀନ ହେଇପଡ଼ିଚି ପାଦଦ୍ୱୟ-। ଘର୍ମାକ୍ତ ହେଇପଡ଼ିଲାଣି ଟେରେଲିନ୍‍ର ବ୍ଲାଉଜ୍ । ମଥା ଭିତରେ ଅସହ୍ୟ ଉତ୍ତାପ-। ଟଳଟଳ ପଦକ୍ଷେପରେ ସମସ୍ତ ସାହସ ସଞ୍ଚୟ କରି ସେ ଆସି ପହଞ୍ଚିଲା ଫ୍ୟାନ୍‍ର ସୁଇଚ୍ ପାଖରେ-

 

ସିକସଟି ଓ୍ୟାଟ୍‍ର କ୍ରିମ ବଲ୍‍ବ କିରଣ ବିକିରଣ କରି ଚାଲିଥିଲେ ହେଁ ଚକ୍ଷୁର ଜ୍ୟୋତି ତା’ର ନିଷ୍‍ପ୍ରଭ ହେଇପଡ଼ିଥିଲା । ଅସହାୟ ଭାବରେ ସେ ବସିପଡ଼ିଲା ପଲଙ୍କ ଉପରେ ।

 

ଫୁଲ୍ ସ୍ପିଡ଼ରେ ଫ୍ୟାନ୍ ଘୂରୁଛି । ତା'ଠାରୁ ଆହୁରି ବେଗରେ ଘୂରୁଛି ତା’ର ମସ୍ତିଷ୍କ । ଦୁଇ ହାତରେ ଚିପି ଧରିଲା ସେ ତା’ର ମୁଣ୍ଡକୁ । ତଥାପି ଯେମିତି ଯନ୍ତ୍ରଣାର ଉପଶମ ନାହିଁ ।

 

ଆର କୋଠରୀରୁ କବାଟ ମୁକୁଳା ହେବାର ଶବ୍ଦ ଶୁଭିଲା । ବାପା ନିଶ୍ଚୟ । ପ୍ରମାଦ ଗଣିଲା ବିଶ୍ୱମାୟା । ଲାଇଟ୍ ବନ୍ଦ କରିବାକୁ ଯାଉଁ ଯାଉଁ ଦ୍ୱାରଦେଶରେ ପହଞ୍ଚିସାରିଥିଲେ ସେ ।

 

ରାତି ଦୁଇଟା ବାଜିବାକୁ ବସିଲାଣି, ତେବେ ବି ତୁ ଶୋଇନୁ, ବେବି ।

 

ପ୍ରସ୍ତର ମୂର୍ତ୍ତି ପରି ଛିଡ଼ା ହୋଇଗଲା...ଉତ୍ତର ଦେବାକୁ ଭାଷା ନ ଥିଲା ତା’ର ତୁଣ୍ଡରେ ।

 

–ମୁଁ ଜାଣେ ରେ ମା, ତୋର ଏଇ ଅସାମାନ୍ୟ କୃତିତ୍ୱରେ ତୋର ବାପର ଆଖିରେ ଯେତେବେଳେ ନିଦ୍ରା ପ୍ରବେଶ କରିବାକୁ ସାହସ କରି ପାରିନାହିଁ, ତୋ ଆଖିରେ କେମିତି ଆସିବ, ମା । ରାତି ଅନିଦ୍ରା ହେଲେ ସ୍ଵାସ୍ଥ୍ୟ ଖରାପ ହେବ । ଏବେ ଶୋଇପଡ଼ । ସଂଗ୍ରାମକେଶରୀ କବାଟ ବନ୍ଦ କରି ଚାଲିଗଲେ । କିନ୍ତୁ ସ୍ଥାନ ପରିବର୍ତ୍ତନ ହେଲା ନି ବିଶ୍ୱମାୟାର ।

 

ପରଦିନ ସ୍କୁଲର ବାତାବରଣ ଆହୁରି ପ୍ରଶଂସାଜନକ ହେଇଉଠିଥିଲା ବିଶ୍ୱମାୟା ପକ୍ଷରେ । ବିଦ୍ୟାଳୟର ଶିକ୍ଷୟତ୍ରିଗଣ କମ୍ ଆଶ୍ଚର୍ଯ୍ୟ ହେଇ ନ ଥିଲେ । ସର୍ବୋପରି ସାହିତ୍ଯିକା ହେଡ ମିଷ୍ଟ୍ରେସ କଞ୍ଚନଲତା ବିସ୍ମୟ ପୂର୍ଣ୍ଣ ଦୃଷ୍ଟିରେ ସର୍ବଜୟାକୁ ଚାହିଁରହିଥିଲେ ।

 

ହସି ହସି ଉତ୍ତର ଦେଲା ସର୍ବଜୟା–ସାହିତ୍ୟରେ ନୀରବ ସାଧନାହିଁ ତାକୁ ପ୍ରଶଂସାର ଜୟମାଲ୍ୟ ପିନ୍ଧାଇ ପାରିଚି, ଦିଦି । ସବୁଠାରୁ ବେଶି ମୁଁ ଆଶ୍ଚର୍ଯ୍ୟ ହେଉଚି ଯେ ସେ ଜଣେ ନୀରବ ସାହିତ୍ୟିସାଧିକା, ଏ ବିଷୟ ମୁଁ ଘୁଣାକ୍ଷରେ ସୁଦ୍ଧା ଜାଣିବାକୁ ପାଇ ନ ଥିଲି ।

 

ସର୍ବଜୟା ଉପରୁ ସସ୍ନେହ ଦୃଷ୍ଟି ଫେରାଇ ହେଡ୍‍ମିଷ୍ଟ୍ରେସ କହିଲେ, ସେ ଯାହା କଲେ ବି ମୋ ସ୍କୁଲରେ ଗୋଟିଏ ଅମୂଲ୍ୟ ରତ୍ନ ।

 

ଫିପ୍‍ଥ ପିରିଅଡ଼ର ଘଣ୍ଟା ବାଜିଯାଇଥିଲା । ହେଡ୍ ମିଷ୍ଟ୍ରେସଙ୍କଠାରୁ ବିଦାୟ ନେଇ କ୍ଲାସ୍‍କୁ ଆସିଲା ସର୍ବଜୟା । ହେଲେ ଅନ୍ୟ ଦିନମାନଙ୍କ ପରି ଆଜି ପାଠ୍ୟକ୍ରମରେ ସେ ଯେମିତି ବିଶେଷ ମନଯୋଗୀ ହେଇ ପାରି ନ ଥିଲା ।

 

କ୍ଲାସ ଓଭର ପରେ ଗାର୍ଲସ୍କୁଲ୍ ବସ୍ ଛାଡ଼ି ସର୍ବଜୟା ଛିଡ଼ା ହେଲା ଅଗ୍ରଦୂତ ପବ୍ଳିକେସନ ପାର୍ଶ୍ୱରେ । ଏହି ପବ୍ଳିକେସନର ବିଶେଷ ପରିଚିତା ସେ । ତା’ ଉପରେ ଦୃଷ୍ଟି ପଡ଼ିବାମାତ୍ରେ ବୟୋବୃଦ୍ଧ ପବ୍ଳିଶରଙ୍କ ଚକ୍ଷୁ ଆନନ୍ଦରେ ଉଜ୍ୱଳ ହେଇଉଠିଲା । ସେ ଜାଣନ୍ତି, ସର୍ବଜୟା ଯେତେବେଳେ ତାଙ୍କ ଦୋକାନରେ ପାଦ ଦିଏ, ଶହେଟି ଟଙ୍କା ତାଙ୍କ କ୍ୟାଶ୍‍କୁ ଆସେ । ତେଣୁ ଆଗ୍ରହାତିସଯ୍ୟରେ ସେ ଡାକ ପକେଇଲେ–ଭିତରକୁ ଆସ, ମା ।

 

ପବ୍ଳିଶରଙ୍କ ପାର୍ଶ୍ୱରେ ପଡ଼ିଥିବା ଗୋଟିଏ ଚେୟାର ଗ୍ରହଣ କରି ବସିପଡ଼ିଲା ସେ । ବୁକ୍ ସେଲଫ୍ ର ସାମନା ଟେବୁଲ ଉପରେ ଗୋଟାକ ପରେ ଗୋଟାଏ ବହି ଆଣି ଜମା କରିବାରେ ଲାଗିପଡ଼ିଲା ।

 

ଟେବୁଲ ଉପରେ ନିଃଶେଷ କପି କପଟା ରଖି ସର୍ବଜୟା କହିଲା–ଆପଣ ଟିକେ ଅରବିନ୍ଦ ମହାପାତ୍ରଙ୍କ ଆଡ଼୍ରେସଟା ଦେବେ ?

 

–ଅରବିନ୍ଦ ମହାପାତ୍ର...କେଉଁ ଅରବିନ୍ଦ ମହାପାତ୍ରଙ୍କ କଥା ତମେ କହୁଚ ?

 

–ଲେଖକ ଅରବିନ୍ଦ ମହାପାତ୍ର, ଯୋଉ ବ୍ୟକ୍ତିଙ୍କର କେବଳ ଦୁଇଖଣ୍ଡି ଉପନ୍ୟାସ ଆପଣଙ୍କ ପବ୍ଳିକେସନରୁ ବାହାରିଚି.... ।

 

ସର୍ବଜୟାର ସ୍ନିଗ୍‍ଧ ମୁଖମଣ୍ଡଳ ଉପରୁ ଆଖି ଫେରାଇନେଇ ସେ କହିଲେ, ତାଙ୍କର ସଠିକ ଖବର ମୁଁ ରଖି ପାରିନାହିଁ । ତେବେ ଭଲକରି ଜାଣେ, ଗତବର୍ଷ ସେ ସେକେଣ୍ଡଇଅର ଅର୍ଟସର ଛାତ୍ର ଥିଲେ । ହଁ...ହଁ...ମନେପଡ଼ିଲା, ଛ’ ସାତମାସ ଆଗରୁ ସେ ଥରେ ତାଙ୍କର ଗୋଟାଏ ବିରାଟ ପାଣ୍ଡୁଲିପି ନେଇ ମୋ ପାଖକୁ ଆସିଥିଲେ । ସେଇଦିନଠାରୁ ତାଙ୍କର ମୋର ଆଉ ସାକ୍ଷାତ ନାହିଁ ।

 

–ମାନେ.... ?

 

–ସେ ଚାହୁଁଥିଲେ ସେ ବହିଟିର ଦାୟିତ୍ୱ ତାଙ୍କର ଅନ୍ୟ ବହି ପରି ମୋତେ ଦେଇଥାନ୍ତେ-। ହେଲେ ମୁଁ ରାଜି ନ ହେବାରୁ ସେ ସେହିଦିନଠାରୁ ଯେ ଯାଇଛନ୍ତି, ଆଉ ସାକ୍ଷାତ ବି ନାହିଁ-

 

–ତାଙ୍କର ଆଡ଼୍ରେସ...

 

–ଅଛି । ହେଲେ ସେ ଯେଉଁଭଳି ଲୋକ, କେତେବେଳେ ଯେ କେଉଁଠି ଥିବେ ଠିକ୍ ଠିକଣା ନାହିଁ । ତେବେ ଚେଷ୍ଟା କର ।

 

ଚେୟାରରୁ ଉଠିପଡ଼ି ଗୋଟାଏ ମୋଟା ବାଇଣ୍ତିଂ ଖାତାର କେତେ ପୃଷ୍ଟା ଓଲଟାଇବା ପରେ ଅରବିନ୍ଦ ମହାପାତ୍ରଙ୍କ ଆଡ଼୍ରେସଟା ଖଣ୍ଡିଏ କାଗଜରେ ଲେଖିଦେଲେ ।

 

–ବିଶେଷ ଧନ୍ୟବାଦ, ଆଜ୍ଞା ! ଏ ବହି ସବୁ କାଉଣ୍ଟ କରି ରଖନ୍ତୁ, କାଲି ସକାଳେ ନେଇଯିବି । ଚାଲିଗଲା ସର୍ବଜୟା ! ଆଉ ତାହାରି ଆଡ଼କୁ ଏକଧ୍ୟାନରେ ଅନାଇ ରହିଥିଲେ ଅଗ୍ରଦୂତ ପବ୍ଳିକେସନର ପ୍ରୋପ୍ରାଇଟର । ଚିନ୍ତାର କ୍ଷୁଦ୍ର କ୍ଷୁଦ୍ର ନଦୀ ସୃଷ୍ଟି ହେଉଥିଲା ତାଙ୍କର ଟାଙ୍ଗର ମନ ଉପବନରେ ।

 

ସର୍ବଜୟା ମେନ୍ ରୋଡ଼ରେ ପାଦ ଥୋଇବା ପୂର୍ବରୁ ସନ୍ଧ୍ୟା ଆସିଯାଇଥିଲା । ରାସ୍ତାଘାଟରେ ଲୋକଙ୍କର ଭିଡ଼ ଲାଗି ଯାଇଥିଲା । ଅପେକ୍ଷାରତ ରିକ୍‍ସାବାଲାକୁ କଣ ନିର୍ଦ୍ଦେଶ ଦେଇ ବସିପଡ଼ିଲା ସେ । ଠିକ୍ ତା’ ପର ମୁହୂର୍ତ୍ତରେ ସେ ଦେଖିଲା, ବିଶ୍ୱମାୟାର କାର୍ ଆସି ଲାଗିଛି ଅଗ୍ରଦୂତ ପବ୍ଳିକେସନ ପାର୍ଶ୍ୱରେ । ଅଧର କୋଣରେ ହସ ଫୁଟି ଉଠିଲା ସର୍ବଜୟାର । ରିକ୍‍ସାବାଲାକୁ ଶୀଘ୍ର ପହଞ୍ଚାଇ ଦେବାପାଇଁ ନିର୍ଦ୍ଦେଶ ଦେଲା ସେ ।

 

କ୍ରମେ ମେନରୋଡ଼ ତ୍ୟାଗ କରି ରିକ୍‍ସା ଏକ ଅନ୍ଧକାରାଚ୍ଛନ୍ନ ଗଳି ଭିତରେ ପ୍ରବେଶ କଲା । ସଂକୀର୍ଣ୍ଣ ରାସ୍ତାର ଦୁଇପାର୍ଶ୍ୱରେ ଚାଳ ଆଉ ଖପରଲୀର କୁଟୀର । ଏଇଠି ଦ୍ୱନ୍ଦରେ ପଡ଼ିଗଲା ସର୍ବଜୟା । ରାସ୍ତାରେ କାହାରିକୁ ଜଣେ ହେଲେ ବି ସେ ଦେଖିବାକୁ ପାଇଲା ନାହିଁ । କୋଠରୀର ମୁଖ୍ୟ ଦ୍ୱାରଗୁଡ଼ିକ ସମ୍ଭବତଃ ବନ୍ଦ ଥିଲା । ଅସହାୟ ଦୃଷ୍ଟିରେ ରିକ୍‍ସାବାଲାକୁ ଅନାଇଲା ସେ ।

 

–ଘର ଦେଖିନାହାନ୍ତି, ଆଜ୍ଞା ? ବିସ୍ମିତ କଣ୍ଠରେ କହିଲା ରିକ୍‍ସାବାଲା ।

 

–ନ ଦେଖିଲେବି ସେ ଏଇଠି କେଉଁଠି ରହନ୍ତି । ଟିକେ ପଚାରି ବୁଝିଲୁ, ଅରବିନ୍ଦ ମହାପାତ୍ରଙ୍କ ବସା କୋଉଟା ?

 

–ଏଠି ତ କାହାରି ଦେଖାଦର୍ଶନ ନାହିଁ । ଏଇ ଆଗ ମୋଡ଼ରେ ଗୋଟେ ଦୋକାନ ଅଛି–ତାକୁଇ ପଚାରିଲେ ହୁଏତ କହିପାରିବ ।

 

ସର୍ବଜୟାର ସମ୍ମତିକୁ ଅପେକ୍ଷା ନ କରି ରିକିସାଲା । ସାବାଲା ରିକ୍ ସା ନେଇ ଆଗ ମୋଡ଼ ଉପରେ ରଖିଲା । ଛୋଟ ଏକ ଦୋକାନ । ୮ । ୧୦ ଜଣ ଲୋକ ସମ୍ଭବତଃ ସେଠାରେ କିଣାକିଣି କରୁଥିଲେ । ରିକ୍‍ସାବାଲା ପଚାରି ବୁଝିଲା, ସେଇ ଦୋକାନଠାରୁ ବାଁହାତି ଚାରିଟା ଘର ଛାଡ଼ି ଯୋଉ ଘରଟି ପଡ଼ିବ ସେଇଟାରେ ସେ ରହନ୍ତି ।

 

ଆଶ୍ଚର୍ଯ୍ୟ ହେଲା ସର୍ବଜୟା । ଠିକ୍ ଚାରିଟା ଘରଛାଡ଼ି ଯୋଉ ଘରଟି ସେ ଦେଖିଲା, ତା’ର ଚାରିଆଡ଼େ ଯେମିତି ଭଂଗାରୁଜା ଜିନିଷର ରାଜତ୍ୱ । ତା’ ହେଲେ, ଦୋକାନୀ କଣ ଭୁଲ୍‍ ନିର୍ଦ୍ଦେଶ ତାକୁ ଦେଲା ?

 

ରିକ୍‍ସାକୁ ଅପେକ୍ଷା କରିବାପାଇଁ କହି କିଛି ଦୂର ଅଗ୍ରସର ହେଲା ସେ । ରାସ୍ତା ପାର୍ଶ୍ୱକୁ ଥିବା ଏକ କ୍ଷୁଦ୍ର ଝରକା ଦେଇ ଆଲୋକ ଦେଖା ଯାଉଥିଲା । କୌତୁହଳୀ ହୋଇ ସେଇ ଝରକା ବାଟେ ଭିତରର ଦୃଶ୍ୟ ଦେଖିବାକୁ ଉଦ୍‍ଗ୍ରୀବ ହେଇପଡ଼ିଲା ।

 

ଅନୁମାନ ତାର ଠିକ୍ । ସେଇ ଝରକାଆଡ଼କୁ ପିଠି କରି ଜଣେ ଯୁବକ ଗଭୀର ମନଯୋଗ ସହକାରେ କଣ ପଢ଼ିବାରେ ଲାଗିଥିଲା । ଆଉ କୋଠରୀର ଚାରିଆଡ଼େ ବହିଖାତା ଇତ୍ୟାଦି ବିକ୍ଷିପ୍ତ ଅବସ୍ଥାରେ ପଡ଼ିଥିଲା ।

 

କବାଟରେ ନକ୍ କଲା ସର୍ବଜୟା ।

 

ହାତରେ ଲଣ୍ଠନଟିଏ ନେଇ ଯିଏ କବାଟ ଖୋଲିଲେ ସେ ଆଶ୍ଚର୍ଯ୍ୟ ହୋଇ ସର୍ବଜୟାକୁ ଚାହିଁରହିଲେ ।

 

ବିସ୍ମିତ କଣ୍ଠସ୍ଵର ତାଙ୍କର ଗୁଞ୍ଜରି ଉଠିଲା–ଆପଣ କାହାକୁ ଖୋଜୁଛନ୍ତି, ଆଜ୍ଞ ?

 

–ଅରବିନ୍ଦ ମହାପାତ୍ର... ରାଇଟର...

 

–ଆସନ୍ତୁ ।

 

ଯୁବକଟିର ପଛେ ପଛେ ସର୍ବଜୟା ଚାଲିବାକୁ ଲାଗିଲା ।

 

–ଟିକେ ନଇଁକରି ଆସିବେ, ଆଜ୍ଞା ! ଏ ଘରଟି ଇମିତି ଭାବରେ ତିଆରି ହେଇଚି ଯେ ଟିକିଏ ସିଧାଭାବରେ ଚାଲିଲେ ଏରୁଣ୍ଡିଗୁଡ଼ିକ ମୁଣ୍ଡରେ ବାଜିବାର ସମ୍ଭାବନା ଖୁବ୍ ଅଧିକ ।

 

ପୂର୍ବ କୋଠରୀ ଭିତରକୁ ଯୁବକଟି ଯାଇ ସପଟିଏ ପାରିଦେଇ କହିଲେ, ବସନ୍ତୁ ।

 

ନିର୍ବିକାର ଚିତ୍ତରେ ସର୍ବଜୟା ବସିପଡ଼ି କହିଲା, ମୁଁ ବୋଧହୁଏ ଅରବିନ୍ଦବାବୁଙ୍କ ସହିତ କଥାବାର୍ତ୍ତା କରୁଚି ?

 

–ଆପଣଙ୍କର ଅନୁମାନ ସତ । ହେଲେ ମୁଁ ଯେ କାହା ସହିତ କଥାବାର୍ତ୍ତା କରୁଚି ଏପର୍ଯ୍ୟନ୍ତ ଜାଣିପାରିଲି ନାହିଁ ।

 

ଏଥର ସ୍ପଷ୍ଟ ଭାବରେ ସର୍ବଜୟା ଚାହିଁଲା ଅରବିନ୍ଦଙ୍କ ମୁହଁକୁ । ସରଳତାରେ ଭରି ରହିଥିଲା ତାଙ୍କର ମୁଖମଣ୍ଡଳ । କଥାବାର୍ତ୍ତାରୁ ସ୍ପଷ୍ଟ ପ୍ରତୀୟମାନ ହେଉଥିଲା, ବେଶ ଭଦ୍ର ଆଉ ନିରୀହ ପ୍ରକୃତିର ଲୋକ ଏଇ ଅରବିନ୍ଦ ମହାପାତ୍ର । ଟିକେ ହସି ସେ କହିଲା, ଆପଣ ନିଶ୍ଚୟ ସଂଗ୍ରାମକେଶରୀ ପଟ୍ଟନାୟକଙ୍କ ନାମ ସହିତ ପରିଚିତ ଥିବେ । ମୁଁ ହେଉଚି ତାଙ୍କରି କନ୍ୟା ସର୍ବଜୟା ।

 

–ମୁଁ କିନ୍ତୁ ବିଶେଷ ଆଶ୍ଚର୍ଯ୍ୟ ହେଉଚି, ସର୍ବଜୟା ଦେବୀ, ମୋର ଏଠାରେ ରହିବାର ଦୀର୍ଘ ପାଞ୍ଚବର୍ଷ ବିତି ଯାଇଥିଲେ ବି କେବଳ ମୋ ବ୍ୟତୀତ ଦ୍ୱିତୀୟ ବ୍ୟକ୍ତି କେହି ଏ ଘରକୁ ଆସି ନ ଥିବା ସ୍ଥଳେ ଆପଣ କେମିତି ସଂପୂର୍ଣ୍ଣ ଅଭାବନୀୟ ପରିସ୍ଥିତିରେ ଆସି ପହଞ୍ଚିଗଲେ ?

 

ହଠାତ୍ କଣ କହିବ, ଯେମିତି କୌଣସି ସିଦ୍ଧାନ୍ତରେ ଉପନୀତ ହେଇପାରିଲା ନାହିଁ ସର୍ବଜୟା । କେବଳ ମୂକଙ୍କ ଭଳି ସେ ଚାହିଁରହିଲା ସେଇ ସ୍ପଷ୍ଟବାଦୀ ଅରବିନ୍ଦଙ୍କ ମୁହଁକୁ ।

 

–ଆପଣ ବୋଧହୁଏ ମୋ କଥା ବିଶ୍ୱାସ କରି ପାରୁ ନ ଥିବେ, ସର୍ବଜୟା ଦେବୀ । ହେଲେ ମୁଁ କୌଣସି ଛଳନାର ଆଶ୍ରୟ ନ ନେଇ କହୁଚି । ମୋ ଭଳି ଗୋଟାଏ ଦୀନ ଦରିଦ୍ର ଆଉ ଅନାମଧେୟ ଲୋକର ବସାକୁ ସଂଗ୍ରାମକେଶରୀଙ୍କର କନ୍ୟା ଯେ ଆସିବେ ଏ ବିଶ୍ୱାସ ମୋର ଜୀବନରେ କେବେ ନ ଥିଲା । ଆଉ ଆଜି ବି ଆପଣଙ୍କୁ ସମ୍ମୁଖରେ ଦେଖି ମୁଁ ଭାବିଥିଲି, ବୋଧହୁଏ ବାରିଷ୍ଟର ଅରବିନ୍ଦ ବାବୁଙ୍କ ବସା ଖୋଜି ଆପଣ ଭୁଲବଶତଃ ଏଠିକି ଚାଲି ଆସିଛନ୍ତି ।

 

ଏଇ ବ୍ୟକ୍ତିଙ୍କ ବିଷୟରେ ବହୁତ କିଛି ଜାଣିବାର ଆଗ୍ରହ ତା’ର ଥିଲେ ବି ପ୍ରକାଶ କରିବାର କ୍ଷମତା ଯେମିତି ସର୍ବଜୟାର ନ ଥିଲା । ନିଜକୁ ସଂଯତ କରିନେଇ ସେ କହିଲା, ପ୍ରକୃତରେ ଅଗ୍ରଦୂତ ପବ୍ଳିକେସନର ଆପଣଙ୍କର ଦୁଇଖଣ୍ଡ ଉପନ୍ୟାସ ପଢ଼ି ମୁଁ ଏତେ ମୁଗ୍‍ଧ ହେଇଯାଇଥିଲି ଯେ ଆହୁରି ଆଶା କରୁଥିଲି, ଆପଣଙ୍କ କଲମରୁ ଅସଂଖ୍ୟ ଉପନ୍ୟାସ ଏ ଦେଶର ପାଠକ ପଢ଼ିବାର ସୁଯୋଗ ପାଇବେ । ହେଲେ ଦୀର୍ଘଦିନର ପ୍ରତୀକ୍ଷା ପରେ ମୁଁ ନିଜେ ଯାଇ ପବ୍ଳିଶରଙ୍କୁ ପଚାରି ବୁଝିଲି ଯେ ଏ ଦୁଇଖଣ୍ଡ ପରେ ଆପଣ ଏକ ବୃହତ୍ ଉପନ୍ୟାସ ଲେଖିଥିଲେ । ଅର୍ଥାଭାବ ଦର୍ଶାଇ ସେ ଆପଣଙ୍କୁ ତାହା ଫେରସ୍ତ ଦେଇଛନ୍ତି । ଏତକ ସେ ନିର୍ଲିପ୍ତ ଭାବରେ ଅରବିନ୍ଦଙ୍କର ମୁଖର ଭଙ୍ଗୀ ଷ୍ଟଡ଼ି କରିବାରେ ଲାଗିଲା ।

 

ତା’ ପରେ ସହଜ ଗଳାରେ କହିଲା, ମୁଁ ଆଶ୍ଚର୍ଯ୍ୟ ହେଉଚି, ଅରବିନ୍ଦବାବୁ, ଏ ଦେଶରେ ପବ୍ଳିଶରମାନେ ପ୍ରକୃତ ଗୁଣ ଚିହ୍ନି ଲେଖକକୁ ସମ୍ମାନ ଦିଅନ୍ତି ନାହିଁ । ଯୋଉ ଲେଖକର ଦୁଇଖଣ୍ଡ ଉପନ୍ୟାସ ପଞ୍ଚମ ସଂସ୍କରଣରେ ଆସି ପହଞ୍ଚିଲାଣି, ଯୋଉ ଲେଖକର ଲେଖା ଖୋଜି ଖୋଜି ପାଠକମାନେ ପବ୍ଳିଶରଙ୍କ ପାଖରୁ ଅହରହ ଫେରୁଚନ୍ତି, ତାଙ୍କର ଲେଖା ପ୍ରକାଶ କରା ନ ଯାଇ ଜଣେ ସଂପୂର୍ଣ୍ଣ ନବାଗତାଙ୍କର ପ୍ରଥମ ଥର ପାଇଁ ଏକ ବିରାଟ ଉପନ୍ୟାସ ସେହି ପବ୍ଳିଶର...

 

–ମୋ ଦାରିଦ୍ର୍ୟହିଁ ସେ ଉପନ୍ୟାସ ପ୍ରକାଶନ ଦିଗରେ ଦୁର୍ଭାଗ୍ୟ, ସୃଷ୍ଟି କରିଚି, ଜୟାଦେବୀ । ଛାଡ଼ନ୍ତୁ, ମୁଁ ସିଦ୍ଧାନ୍ତ କରିଚି ଆଉ କୌଣସି ଉପନ୍ୟାସ ଲେଖିବି ନାହିଁ ।

 

–ଆପଣଙ୍କର ବୁଦ୍ଧିବୃତ୍ତ ତଥା ଶିକ୍ଷାଗତ ଯୋଗ୍ୟତା ତୁଳନାରେ ମୁଁ ବହୁତ ଛୋଟ, ଆଜ୍ଞା-। ତଥାପି ମୁଁ ଏଇ ଛୋଟ ବୁଦ୍ଧି ନେଇ କହିବି, ଆପଣ ଯଦି ଆପଣଙ୍କର ସାଧନାକୁ ଛାଡ଼ିଦିଅନ୍ତି, ତା’ ହେଲେ ଆପଣ ଜଣେ ଲେଖକ ହେବାକୁ ସାଧନା କରି ନ ଥିଲେ ?

 

–ଲୋକମାନଙ୍କୁ ମୋ ପାଇଁ ବହୁତ କଥା କହିବାର ସୁଯୋଗ ମୁଁ ଦେଇଛି, ସର୍ବଜୟା ଦେବୀ । ତେଣୁ ସେ ବିଷୟରେ ବିଶେଷ କିଛି ଭାବିବାର ମୋର ନାହିଁ । ଦାରିଦ୍ର୍ୟ ଯାହାର ସମ୍ବଳ, ଅପବାଦ ଦୁର୍ନାମ ତ ତାହାରି ।

 

–ମୁଁ କିନ୍ତୁ ଏ ଆଶା ନେଇ ଆପଣଙ୍କ ପାଖକୁ ଆସି ନ ଥିଲି, ଆଜ୍ଞା, ମୁଁ ଆସିଥିଲି ଆପଣଙ୍କ ପାଣ୍ଡୁଲିପିଟିର ପ୍ରକାଶନ ଦାୟିତ୍ୱ ନିଜେ ନେବାପାଇଁ ।

 

–ଆପଣ ପ୍ରକାଶ କରିବେ ମୋ ବହି ??? ଯେମିତି ଆଶ୍ଚର୍ଯ୍ୟ ହେଇଯାଉଥିଲେ ଅରବିନ୍ଦ ।

 

–ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ? ଯୋଉ ଲେଖକଙ୍କର ଲେଖା ପାଠକ ମନକୁ ଆକୃଷ୍ଟ କରେ, ଆଉ ଯାହାଙ୍କର ଲେଖା ପାଇଁ ପାଠକମାନେ ଆସି ବାରମ୍ବାର ପବ୍ଳିଶରଙ୍କ ପାଖରୁ ଫେରନ୍ତି, ସେଇ ଲେଖକଙ୍କ ଲେଖା ପ୍ରକାଶ ନ ପାଉଥିବା ଯେତେବେଳେ ଜଣେ ସଂପୂର୍ଣ୍ଣ ନବାଗତାଙ୍କର ବିରାଟ ଉପନ୍ୟାସ ଯଦି ସେଇ ପ୍ରକାଶକଙ୍କ ପ୍ରକାଶନୀରୁ ମୁକ୍ତି ଲାଭକରେ, ତେବେ ପାଠକମାନଙ୍କର ଉପାୟ ଆଉ କ’ଣ କୁହନ୍ତୁ...... । ଅରବିନ୍ଦଙ୍କର ବିଷର୍ଣ୍ଣ ମୁଖମଣ୍ଡଳରୁ ଦୃଷ୍ଟି ଫେରାଇ-ଆଣି ହ୍ୟାଣ୍ଡ ବ୍ୟାଗ ଭିତରୁ “କ୍ଷମା କରିବେ ?” ବହିଟି ବାହାର କରି ସାମନାରେ ରଖିଲା-

 

ସର୍ବଜୟାର ମୁଖମଣ୍ଡଳରୁ ଦୃଷ୍ଟି ଆନତ କରି ବହିର ପୃଷ୍ଠା ଭିତରେ ମନୋନିବେଶ କଲେ ଅରବିନ୍ଦ ।

 

ଲକ୍ଷ୍ୟ କଲା ସର୍ବଜୟା ଅରବିନ୍ଦଙ୍କ ମୁଖମଣ୍ଡଳର ଅହରହ ପରିବର୍ତ୍ତନକୁ । ମୁଖରେ ତାଙ୍କର ଯେମିତି ଗଭୀର ବିସ୍ମୟ । କ୍ରମେ କ୍ରମେ ବିସ୍ମୟ ଅପସରି ଯାଇ ସରଳ ସୁନ୍ଦର ମୁହଁରେ ଯେମିତି କଠୋରତା ପୂରି ଉଠିଲା । ଭୟ ପାଇଗଲା ସର୍ବଜୟା ।

 

ବେଶି ସମୟ ତାକୁ ଭାବିବାକୁ ନ ଦେଇ ବିଦ୍ରୁପ ଭରା କଣ୍ଠରେ ଅରବିନ୍ଦ କହିଲେ, ଆପଣଙ୍କର ଆକସ୍ମିକ ଆଗମନ ଆଉ ଅକାତର ଦାନ କରିବାର ପ୍ରତିଶ୍ରୁତି ଦେବା ମୂଳରେ ଯୋଉ ଉଦ୍ଦେଶ୍ୟ ଗୋପନ ଥିଲା, ତାହା ଆଉ ମୋ ପାଖରେ ଅଛପା ନାହିଁ । ତୀକ୍ଷ୍‍ଣ ଦୃଷ୍ଟିରେ ସର୍ବଜୟାକୁ ଚାହିଁ ଅରବିନ୍ଦ କହିଲେ, ଆପଣଙ୍କର ଏଇ ପରିଚିତ ଯଦି ମାସକ ପୂର୍ବରୁ ହେଇଥାଅନ୍ତା ତା’ ହେଲେ ମୁଁ ଆପଣଙ୍କୁ ଇମିତି ଏକ ଉପାଧିରେ ଭୂଷିତ କରିଥାଆନ୍ତି, ଯାହାଦ୍ୱାରା ସଂଗ୍ରାମକେଶରୀଙ୍କ ଅଭିଜାତ୍ୟରେ କଳଙ୍କ ଲାଗିଥାଆନ୍ତା । କ୍ରମେ ଉତ୍ତେଜିତ ହେଇପଡ଼ୁଥିଲେ ଅରବିନ୍ଦ–

 

–ଅରବିନ୍ଦ ବାବୁ । ଯେମିତି କମ୍ପିଉଠିଲା ସର୍ବଜୟାର କଣ୍ଠସ୍ୱର ।

 

–ତା’ହେଲେ ମୋତେ କୁହନ୍ତୁ, ମୁଁ ଯୋଉ ପାଣ୍ଡୁଲିପିଟି ଅଗ୍ରଦୂତ ପବ୍ଳିକେସନରୁ ଫେରାଇ ଆଣିଥିଲି, ଆଉ ଯୋଉ ପାଣ୍ଡୁଲିପିଟି ସେଠାରୁ ଫେରାଇ ଆଣିବାର ମାତ୍ର ୧୫ ଦିନ ପରେ ମୋର ଏଇ କୋଠରୀରୁ ଅପହୃତ ହୋଇଥିଲା ଆଜି ସେହି ଉପନ୍ୟାସଟି ଧରି ଯେତେବେଳେ ଆପଣ ମୋତେ ବିଦ୍ରୁପ କରିବାକୁ ଆସିଚନ୍ତି...

 

–ମୁଁ ଯଦି ଆପଣଙ୍କୁ ଠିକ୍ ସେଇ ପ୍ରଶ୍ନ ପଚାରେଁ–ପାଣ୍ତୁଲିପି ଚୋରି ହେବାର ଛଳନା ଦେଖାଇ ଜଣେ କୁମାରୀ ଝିଅ ନାମରେ ସେହି ବହି ପବ୍ଳିଶ କରାଇବା ମୂଳରେ କୋଉ ଉଦ୍ଦେଶ୍ୟ ଆପଣଙ୍କର ନିହିତ ଥିଲା ? କାହିଁକି ଆପଣ ଜଣେ ସଂଭ୍ରାନ୍ତ ପରିବାରର କୁମାରୀ ଝିଅ ନାମରେ ଏତେବଡ଼ ସ୍ଵାର୍ଥତ୍ୟାଗ କଲେ ?

 

ଏଥର ତୀକ୍ଷ୍‍ଣ ଭାବରେ ସର୍ବଜୟାକୁ ଚାହିଁ ଅରବିନ୍ଦ କହିଲେ, ଏତେ ଶୀଘ୍ର ଅନ୍ୟକୁ ମିଥ୍ୟା ଦ୍ୱାହି ଦେଇ ନିଜେ ଆତ୍ମଗୋପନ କରିପାରିବେ ନାହିଁ । କହିପାରିବେ, ଆପଣ ଯଦି ଏଇ ପାଣ୍ଡୁଲିପିଟି ଅପହରଣ କରି ନ ଥିଲେ, କିଭଳି ଜାଣିଲେ ଯେ ଏଇଟି ମୋ ପାଣ୍ଡୁଲିପି ଆଉ ସେଇଟି କି ମୁଁ ଅଗ୍ରଦୂତ ପବ୍ଳିକେସନରୁ ଲେଉଟାଇ ଆଣିଥିଲି ?

 

ଉତ୍ତର ଦେବା ପାଇଁ ଭାଷା ସ୍ଫୁରିଲା ନାହିଁ ସର୍ବଜୟାର ।

 

–କୁହନ୍ତୁ...ମୋ କଥାର ଉତ୍ତର ଦିଅନ୍ତୁ, ସର୍ବଜୟାଦେବୀ । ମୁଁ ଜାଣେ, ମୋ କଥାର ଉତ୍ତର ଦେବାର ସତ୍ ସାହସ ଆପଣଙ୍କର ନିଶ୍ଚୟ ନାହିଁ । ହେଲେ କାହିଁକି.....ଆଉ କିଛି କହିପାରିଲେ ନାହିଁ ଅରବିନ୍ଦ । ନିଜ କୋଠରୀର ଚାରି ପାର୍ଶ୍ୱରେ ସର୍ବଜୟାର ଦୃଷ୍ଟି ଆକର୍ଷିତ କରାଇ କହିଲେ, ଆପଣ ବୋଧହୁଏ ମୋର ଏଇ ପାରିପାର୍ଶ୍ୱିକ ଅବସ୍ଥା ଭିତରୁ ମୋର ଆର୍ଥିକ ପରିସ୍ଥିତି ସଙ୍ଗେ ସଙ୍ଗେ ସମାଜରେ ମୋର କୋଉଠି ସ୍ଥାନ ତାହା ନିଶ୍ଚୟ ଉପଲବ୍ଧି କରି ପାରୁଥିବେ ? ମୋର ଏଭଳି ପରିବେଶଠାରୁ ଦୂର ମଫସଲ ଅଞ୍ଚଳରେ ଥିବା ମୋର ପରିବାରର ଅବସ୍ଥା ଆହୁରି ଅସ୍ୱଚ୍ଛଳ-। ଏଠିକାର ମୋର ଖର୍ଚ୍ଚ ସହିତ ପରିବାରର ପ୍ରତିପୋଷଣ ମୋତେ ହିଁ କରିବାକୁ ହେଇଥାଏ-। ଆପଣ ହୁଏତ ଚିନ୍ତା କରି ପାରୁ ନ ଥିବେ, କଲେଜରେ ଛାତ୍ରଜୀବନ ଅତିବାହିତ କରିବା ସଙ୍ଗେ ସଙ୍ଗେ କିଭଳି ଭାବରେ ମୁଁ ଅର୍ଥ ଉପାର୍ଜ୍ଜନ କରେଁ । ଏଇ ଘର ଦେଖୁଚନ୍ତି–ଏହାଇ ଚତୁଃପାର୍ଶ୍ୱରେ କୋଡ଼ିଏଟି ଭଡ଼ା ଘର ଅଛି । ଏ ଗୃହର କର୍ତ୍ତା ରହନ୍ତି ସୁଦୂର ବମ୍ୱେରେ । ସେହି ଭଦ୍ରବ୍ୟକ୍ତିଙ୍କ ଅପରିସୀମ କରୁଣାବଳରେ ସେହି ଘର ଗୁଡ଼ିକର ମ୍ୟାନେଜମେଣ୍ଟ ଦାୟିତ୍ୱ ମାସକୁ ଷାଠିଏ ଟଙ୍କା ପ୍ରତିବଦଳରେ ମୋତେ ନେବାକୁ ପଡ଼େ । ଆଉ ପ୍ଳିଡର ଅରବିନ୍ଦ ମହାନ୍ତିଙ୍କ କନ୍ୟାକୁ ଟିଉସନ କରିବା ବାବଦରେ ମୁଁ ପାଉଥିଲି ମାସିକ ଟ ୪୫ଙ୍କା । ଏତଦ୍ ବ୍ୟତୀତ ଅଗ୍ରଦୂତ ପବ୍ଳିକେସନ ମୋର ମୁଦ୍ରିତ ଦୁଇଟି ଯାକ ବହି ବାବଦରେ ମୋତେ ପ୍ରତିମାସ ଟ୨୦ଙ୍କା ଲେଖାଏଁ ଦିଅନ୍ତି-। ଏସବୁ ହେଲା ମୋର ଅର୍ଥାଗମର ପନ୍ଥା । ହେଲେ, ଅରବିନ୍ଦବାବୁଙ୍କ ଘରୁ ମୋତେ ଟିଉସନ ଛାଡ଼ିବାକୁ ପଡ଼ିଲା–ମାନେ, ମୋତେ ବାହାର କରିଦିଆଗଲା ଚରିତ୍ରହୀନ ବୋଲି । ତା ମାନେ, ଆପଣ ନିଶ୍ଚୟ ଉପଲବ୍ଧି କରିପାରୁଥିବେ, ମୋର ଅର୍ଥାଗମ ପନ୍ଥାରୁ ଟ ୪୫ଙ୍କା ମାଇନସ ହେଲା । ସେହି ଟଙ୍କା ପୂରଣ କରିବାପାଇଁ ମୋର ଶକ୍ତି ମଧ୍ୟ ନାହିଁ । ତେଣୁ ଏଇସବୁ ଦୃଷ୍ଟିରୁ ଆଉ ସର୍ବୋପରି, ସମୟ ଅଭାବରୁ ମୁଁ ଆଉ ଏ ସବୁ ବିଷୟରେ ଆଗ୍ରହୀ ନୁହେଁ । ତେବେ ଅନ୍ତତଃ ଏତିକିରେ ମୋର ଗଭୀର ସନ୍ତୋଷ ଯେ ମୋର ଏଇ ଦୀର୍ଘ ପରିଶ୍ରମର ଫଳ ଆଜି ଲୋକ ଲୋଚନକୁ ଆସିପାରିଚି । ଆଉ ମୋର ନିବେଦନ, ବିଶ୍ୱମାୟା ପଟ୍ଟନାୟକଙ୍କୁ ଜଣାଇଦେବେ ଯେ ତାଙ୍କର ଏଇ ଉଦାରତା ପାଇଁ ମୁଁ ତାଙ୍କ ପାଖରେ ଗଭୀର କୃତଜ୍ଞ ।

 

–ଛଳନାର ଅବତାରଣା କରି ଆପଣ ନିର୍ଦ୍ୱନ୍ଦ୍ୱରେ ମୁକ୍ତି ପାଇ ପାରିବେନି, ମହାଶୟ । ଶୁଣିରଖନ୍ତୁ, କୁମାରୀ ବିଶ୍ୱମାୟା ପଟ୍ଟନାୟକ ହିଁ, ହେଉଛନ୍ତି ମୋର ଜ୍ୟେଷ୍ଠା ଭଗ୍ନୀ । ଦେଖନ୍ତୁ, ବର୍ତ୍ତମାନ ବୋଧହୁଏ ଆଠଟାରୁ ଅଧିକ ହେବ ନାହିଁ । ବିନା ଆପତ୍ତରେ ଆପଣ ମୋ ସାଙ୍ଗରେ ଆସିପାରନ୍ତି ।

 

–ମାନେ... ?

 

–ଦେଖନ୍ତୁ, ଜଣେ ଅଭିଜାତ୍ୟସଂପନ୍ନା କନ୍ୟାର କପୋଳରେ କଳଙ୍କର ଟିପା ଲଗାଇ ଆପଣ ଯଦି ଏତେ ଶୀଘ୍ର ଆତ୍ମସମର୍ପଣ କରିବାକୁ ଚାହାନ୍ତି, ତା’ହେଲେ ସେଇଟା ଲଘୁ ଦଣ୍ଡରେ ପର୍ଯ୍ୟବସିତ ହେବ । ଅପଣଙ୍କୁ ବର୍ତ୍ତମାନ ମୋ ସହିତ ଅଗ୍ରଦୂତ ପବ୍ଳିଶରଙ୍କ ପାଖକୁ ଯିବାକୁ ପଡ଼ିବ-

 

ସ୍ଥିର ଦୃଷ୍ଟିରେ ସର୍ବଜୟାକୁ ଚାହିଁ କଣ ଯେମିତି ଚିନ୍ତା କରିବାରେ ଲାଗିପଡ଼ିଲେ ଅରବିନ୍ଦ-। ତା’ପରେ ଚୂନଲିପା କାନ୍ଥ ଦେହରେ କିରୋସିନି କଣ୍ଟାରେ ନିର୍ମିତ କୃତ୍ରିମ ର‍୍ୟାକ ଦେହରୁ ଶାର୍ଟଟା ଦେହରେ ଭର୍ତ୍ତି କରୁ କରୁ ସର୍ବଜୟାକୁ ଲକ୍ଷ୍ୟ କରି କହିଲେ, ମୁଁ ବର୍ତ୍ତମାନ ଆପଣଙ୍କ ଆଦେଶ ପାଳନ କରିବାକୁ ପ୍ରସ୍ତୁତ ଅଛି ।

 

କଣ ଏଇଭଳି ଭାବରେ... ? ବକ୍ରଦୃଷ୍ଟିରେ ଅରବିନ୍ଦଙ୍କୁ ଚାହିଁ କହିଲା ସର୍ବଜୟା ।

 

–ମୁଁ ପ୍ରସ୍ତୁତ ହେଇସାରିଚି । ଅରବିନ୍ଦଙ୍କ ପଛେ ପଛେ ସର୍ବଜୟା ସେଇ କୁଟୀର ପରିତ୍ୟାଗ କଲା । ବାହାରେ ନିବିଡ଼ ଅନ୍ଧକାର । ଦୂରର ଲାଇଟ ପୋଷ୍ଟ ତା’ର ସ୍ୱଳ୍ପ ପରିଧିକୁ କିୟଦଂଶ ଆଲୋକିତ କରିଚି । ଆଉ ସେଇଠାରେ ଅଟକିଚି ସର୍ବଜୟାର ରିକ୍‍ସା । ଆଖପାଖରେ ଆଉ ରିକ୍‍ସାର ସମ୍ଭାବନା ନାହିଁ ।

 

ରୁହନ୍ତି...ପଦରେ ଚାଲି ଚାଲି ଯିବାର ଅଭ୍ୟାସ ମୋର ନାହିଁ । ଏତକ କହି ରିକ୍‍ସା ପାଖରେ ଅଟକିଲା ସର୍ବଜୟା । ଆଦେଶ ପାଳନକାରୀରୂପେ ସେଇଠାରେ ହିଁ ଛିଡ଼ାହେଲେ ଅରବିନ୍ଦ ।

 

ରିକ୍‍ସାର ଏକ ପାର୍ଶ୍ୱରେ ବସିପଡ଼ିଲା ସର୍ବଜୟା । ଅରବିନ୍ଦଙ୍କୁ ଚାହିଁ କହିଲା, ଏଭଳି ଯାଗାରେ ଅନ୍ୟ ରିକ୍‍ସା ମିଳିବ । ଯେତିକି ଦୁରୂହ, ଏଠାରୁ ଅଗ୍ରଦୂତ ପବ୍ଳିକେସନକୁ ଚାଲି ଚାଲି ଯିବା ମଧ୍ୟ ସେତିକି କଷ୍ଟସାଧ୍ୟ । ତେଣୁ ଏଇ ରିକ୍‍ସାକୁ ଆସିପାରନ୍ତି !

 

ଅଗ୍ରଦୂତ ପବ୍ଳିକେସନକୁ ମୁଁ ଚାଲି ଚାଲି ଯାଇପାରିବି; ଆପଣ ଚାଲନ୍ତୁ ।

 

–ଆପଣ ଯେ ଅସମ୍ଭବଭାବେ ଚତୁର, ମୁଁ ପ୍ରଥମ ଦେଖାରୁ ହିଁ ଅନୁମାନ କରିଛି । ମୋତେ ରିକ୍‍ସାରେ ଚାଲିଯିବାର ସୁଯୋଗ ଦେଇ ଆପଣ ଆତ୍ମଗୋପନ କରିବାର ଯଥେଷ୍ଟ ସୁଯୋଗ ନେଇପାରିବେ । ସେଭଳି ଦୁର୍ବୁଦ୍ଧି ସର୍ବଜୟା କେବେହେଁ କରିପାରିବନାହିଁ...ଆସନ୍ତୁ

 

ବିନା ବାକ୍ୟାଳାପରେ ଅନ୍ୟପାର୍ଶ୍ୱରେ ବସିପଡ଼ିଲେ ଅରବିନ୍ଦ । ସର୍ବଜୟାର ନିର୍ଦ୍ଦେଶକ୍ରମେ ରିକ୍‍ସା ଯାଇ ପହଞ୍ଚିଲା ଅଗ୍ରଦୂତ କ୍ଳବି କେସନ ସମ୍ମୁଖରେ ।

 

ଏ ଦୁଇଜଣଙ୍କୁ ଗୋଟାଏ ରିକ୍ସସାରୁ ଓହ୍ଲାଉଥିବା ଦେଖି ବିସ୍ମାୟାଭିଭୂତ ହେଇଯାଇଥିଲେ ବୃଦ୍ଧ ପବ୍ଳିଶର । ମନୋଭାବକୁ ଗୋପନ ରଖି ଦୁଇଜଣଙ୍କୁ ବସିବାକୁ ଅନୁରୋଧ କଲେ ।

 

ବିନା ଭୂମିକାରେ ସର୍ବଜୟା କହିଲା, ଆପଣଙ୍କ ପବ୍ଳିକେସନରୁ ସଦ୍ୟ ପ୍ରକାଶିତ “କ୍ଷମା କରିବେ” ନିଶ୍ଚୟ ଯେ ଲେଖିକାଙ୍କର ଅସାମାନ୍ୟ କୃତିତ୍ୱ ଏକଥା ଆପଣ ନିଶ୍ଚୟ ସ୍ଵୀକାର କରିବେ । କିନ୍ତୁ ମୋତେ ବିଶେଷ ଦୁଃଖ ଲାଗେ, ତାହାର ଲେଖିକା ବିଶ୍ୱମାୟା ପଟ୍ଟନାୟକଙ୍କର ଏହି ଉପନ୍ୟାସ ଆପଣଙ୍କ ପାଖକୁ ଆସିବା ପୂର୍ବରୁ ଚୋରି ହେଇଥିଲା ।

 

କପାଳର ରେଖାଗୁଡ଼ିକ କୁଞ୍ଚିତ ହେଇଆସିଲା ପବ୍ଳିଶରଙ୍କର । ଥରେ ଅରବିଦ ଆଉ ସର୍ବଜୟାଙ୍କ ମୁଖମଣ୍ଡଳ ଉପରୁ ଚକ୍ଷୁ ଫେରାଇ ସେ କହିଲେ, ମାନେ... ?

 

–ମାନେ ନିଶ୍ଚୟ ବୁଝିପାରୁଥିବେ । ଏହାର ପାଣ୍ତୁଲିପିଟି ବିଶ୍ୱମାୟା ପଟ୍ଟନାୟକ ଆପଣଙ୍କ ହାତରେ ଅର୍ପଣ କରି ନ ଥିଲେ ?

 

–କିନ୍ତୁ ସେଇଟା ତ ରେଜେଷ୍ଟ୍ରି ଡାକରେ ଆସିଥିଲା । ଆଉ ତାକୁ ନିଜେ ପଠାଇଥିଲେ ବିଶ୍ୱମାୟା । କେବଳ ସେତିକି ନୁହେଁ–ଏହାର ତୁରନ୍ତ ପବ୍ଳିକେସନ ପାଇଁ ମୋ ପାଖକୁ ଆଠଶହ ଟଙ୍କା ମଧ୍ୟ ମନିଅର୍ଡ଼ର କରି ପଠାଇଥିଲେ । ସାମନା ଟେବୁଲ ଉପରୁ ଗୋଟାଏ ଫାଇଲ ଖେଳାଇ, ଗୋଟିଏ ଲେଟର୍ ପଏଣ୍ଟ ଆଉଟକରି ସର୍ବଜୟା ପାଖରେ ଥୋଇଲେ ସେ ।

 

ହସ୍ତଲିପି ଉପରେ ଦୃଷ୍ଟି ପଡ଼ିବାମାତ୍ରେ ଉଭୟ ଅରବିନ୍ଦ ଆଉ ସର୍ବଜୟା ଯେମିତି ଚମକି ପଡ଼ିଲେ । କିନ୍ତୁ ଦୁହିଁଙ୍କର ମନୋଭାବହିଁ ମନେ ମନେ ପ୍ରତିଫଳିତ ହୋଇଥିଲା ଯାହାକି ବୃଦ୍ଧ ପବ୍ଳିଶରଙ୍କ ଜ୍ଞାତସାରକୁ ଆସିବା ସଂପୂର୍ଣ୍ଣ ଅସମ୍ଭବ ଥିଲା ।

 

ଚିଠି ଉପରୁ ମୁହଁ ଫେରାଇ ହସ ହସ ମୁଖରେ ସର୍ବଜୟା କହିଲା, କ୍ଷମା କରିବେ ଆଜ୍ଞା, ବିଶ୍ୱମାୟା ପଟ୍ଟନାୟକ ହେଉଚନ୍ତି ମୋର ଭଉଣୀ । ସେ ମୋ ପାଖରେ ତାଙ୍କର ପାଣ୍ଡୁଲିପି ଗୋପନ ରଖି, ଅକସ୍ମାତ ପବ୍ଳିଶ କରାଇ ଚମତ୍କୃତ କରିଦେବାପାଇଁ ଯେ ଏଇ ଉପାୟ ଅବଲମ୍ବନ କରିଥିଲେ ଏହା ମୁଁ ଜାଣିପାରୁଚି ।

 

–ବିଶ୍ୱମାୟା ଆପଣଙ୍କର ଭଉଣୀ ?

 

–ହଁ, ଆଜ୍ଞା ।

 

–ସେ ତ ଏଇ ମାତ୍ର କେତେ ମିନିଟ ଆଗରୁ ମୋ ପାଖକୁ ଆସିଥିଲେ । ମୁଁ ମଧ୍ୟ ତାଙ୍କର ଟଙ୍କା ଫେରସ୍ତ ଦେବା ସଙ୍ଗେ ସଙ୍ଗେ ଆଉ ଦେଢ଼ହଜାର ଟଙ୍କା ଦେଇଚି । ବାସ୍ତବିକ ଅପୂର୍ବ ହେଇଚି ସେଇ ଉପନ୍ୟାସ । ପ୍ରଥମ ପବ୍ଳିକେସନ ତିନିହଜାର ବହି ମାତ୍ର ପନ୍ଦର ଦିନ ଭିତରେ ଶେଷ ହେଇଚି । ସମସ୍ତଙ୍କ ମୁହଁରେ ବହିଟିର ବିଶେଷ ପ୍ରଶଂସା । ...ଆଉ ଅରବିନ୍ଦବାବୁ ! ଦୀର୍ଘଦିନ ଅଜ୍ଞାତବାସ ପରେ ଆଜି, ପୁଣି କେମିତି ହଠାତ୍ ଚାଲିଆସିଲେ ? ଲେଖାଲେଖି କରୁଛନ୍ତି ତ ? ଅରବିନ୍ଦଙ୍କୁ ନୀରବ ଭାବରେ ବସିବାର ଦେଖି କହିଲେ ପବ୍ଳିଶର ।

 

–ନା... ।

 

–ମାନେ... ?

 

–ସମୟ ଅଭାବ । ହୃଦୟର ଉଚ୍ଛ୍ୱାସ ଯେତେ ଗୋପନ ରଖିବାକୁ ଚେଷ୍ଟା କଲେ ବି ଏକ ଦୀର୍ଘଶ୍ୱାସ ବାହାରି ଶୂନ୍ୟରେ ଯେମିତି ମିଳାଇଗଲା ଅରବିନ୍ଦଙ୍କର । ଅପେକ୍ଷା ନ କରି ସେ ଉଠିପଡ଼ିଲେ; ପରେ ପରେ ସର୍ବଜୟା ମଧ୍ୟ ।

 

ସର୍ବଜୟାର ପ୍ରଥମ ଆଗମନ, ଅରବିନ୍ଦଙ୍କର ଠିକଣା ସଂଗ୍ରହ, ପୁଣି ଉଭୟଙ୍କର ଆଗମନ, ଆଉ ‘କ୍ଷମା କରିବେ’ ବିଷୟରେ ଆଲୋଚନା, ସର୍ବୋପରି ଅରବିନ୍ଦଙ୍କର ଭଗ୍ନ ହୃଦୟ ଯେମିତି ଏକ ଭାବନାର ତରଙ୍ଗ ସୃଷ୍ଟି କରୁଥିଲା ପବ୍ଳିଶରଙ୍କ ମନରେ । କିନ୍ତୁ ଅପର ପକ୍ଷରେ ସେହି ଦୋକାନରେ ବସିଥିବା ଅନ୍ୟ ଜଣେ ସୁସ୍ଥ ସୁନ୍ଦର ଯୁବକ ଏ ଦୁଇଜଣଙ୍କର ପ୍ରସ୍ଥାନକୁ ଯେମିତି ଗଭୀର ଭାବରେ ଉପଭୋଗ କରୁଥିଲେ ।

 

ରାସ୍ତାରେ ଛିଡ଼ା ହୋଇ ଅରବିନ୍ଦ କହିଲେ, “ବର୍ତ୍ତମାନ ମୋତେ କଣ ପୋଲିସ ଷ୍ଟେସନକୁ ଯିବାକୁ ପଡ଼ିବ ?”

 

ଅରବିନ୍ଦଙ୍କର ହାତ ଧରିନେଇ ଅନୁନୟ ସ୍ଵରରେ ସର୍ବଜୟା କହିଲା, “ମୋତେ କ୍ଷମା କରିବେ, ଆଜ୍ଞା, ଆପଣଙ୍କର ବହୁ ମୂଲ୍ୟବାନ ସମୟ ମୁଁ ନଷ୍ଟ କରିଚି । ଏ, ରିକ୍‍ସା, ଏ ବାବୁଙ୍କୁ ନେଇ ତାଙ୍କ ବସାରେ ଛାଡ଼ିଦେଇ ଆସିବୁ ।”

 

ବିନା ପ୍ରତିବାଦରେ ଅରବିନ୍ଦ ରିକ୍‍ସାରେ ବସିବାକ୍ଷଣି ରିକ୍ସା ତା’ର ନିର୍ଦ୍ଧିଷ୍ଟ ପଥରେ ଆଗେଇଗଲା ।

 

ଦୀର୍ଘ ନିଶ୍ୱାସ ତ୍ୟାଗ କରୁ କରୁ ସର୍ବଜୟା କଣ୍ଠରୁ ନିଃସୃତ ହେଉଥିଲା, “ହାୟରେ ହତଭାଗ୍ୟ ଲେଖକ ।”

 

ମନରେ ଦୁଶ୍ଚିନ୍ତାର ବୋଝନେଇ ଘରେ ପ୍ରବେଶ କରୁ କରୁ ଡ୍ରଇଂ ରୁମ୍‍ର ହାସ୍ୟରୋଳ ତା’ର ପାଦଗତିକୁ ହିଁ ସ୍ତମ୍ଭିତ କରିଦେଲ । ସୂକ୍ଷ୍ମ ନାଇଲନରରୁ ପର୍ଦ୍ଦା ଅନ୍ତରାଳରୁ ସେ ଦେଖିବାକୁ ପାଇଲା, ବିଶ୍ୱାମାୟା ସହିତ ଆଉ ଜଣେ ଯୁବକ ଗଭୀର ଆଳାପରେ ମଗ୍ନ । ସେ ଯୁବକଟି ସର୍ବଜୟା ପାଖରେ ଅପରିଚିତ ନ ଥିଲା । ତେଣୁ ବିନା ସଂକୋଚରେ ସେ ଭିତରକୁ ପ୍ରବେଶ କରିବାକୁ ଉଦ୍ୟତ ହେବାକ୍ଷଣି ଯୁବକର କେଇ ପଦ କଥା ଶୁଣି ପୁନର୍ବାର ତା’ର ଛାତି ସ୍ୱତଃରୁଦ୍ଧ ହେଇଆସିଲା ।

 

–ସତରେ ମାୟା, ତମ କଲମରୁ ଏଭଳି ଚରିତ୍ର ଯେ ରୂପ ପାଇବ, ଏ ବିଶ୍ୱାସ ଏକା ମୁଁ କାହିଁକି, ତମ ନିଜର ଆତ୍ମୀୟମାନେ ସେ ବି କରି ନ ଥିବେ ।

 

–ଅକସ୍ମାତ୍ ଯେ ଏଭଳି ଏକ ସୁନାମର ପାତ୍ରୀ ହେଇପଡ଼ି ଏ ବିଶ୍ୱାସ ନେଇ ତ ମୁଁ କଲମ ଧରି ନ ଥିଲି ! ଯାହାହଉ, ଆପଣମାନଙ୍କର ଶୁଭାଭିଳା ଷଯେ ମୋତେ ଏତେ ବଡ଼ ଗୌରବ ଦେଇପାରିଚି, ସେଥିପାଇଁ ମୁଁ ଆପଣମାନଙ୍କ ପାଖରେ କମ୍ କୃତଜ୍ଞ ନୁହେଁ ଶଶାଙ୍କବାବୁ । ହସି ହସି ଶଶାଙ୍କର ସିଗାରେଟରେ ଲାଇଟ ସଂଯୋଗକଲା ବିଶ୍ୱମାୟା ।

 

–ତମେ ତ ଜାଣିଥିବ, ସାହିତ୍ୟ ଏକାଡେମୀର ସେତ୍ରେଟେ ମୋର ଜଣେ ମାମୁଁ ପୁଅ ଭାଇ । କାଲି ଆମ ବସାରେ କଥାଭାଷା ହେଉ ହେଉ ସେ କହୁଥିଲେ, କୌଣସି ଜଣେ ମନ୍ତ୍ରୀଙ୍କର ଶୁଭଦୃଷ୍ଟି ସେ ବହି ଉପରେ ପଡ଼ିଚି; ତେଣୁ ସେ ବହିଟି ଯେ ନିଶ୍ଚିତରେ ପୁରସ୍କୃତ ହେଉଚି ଏ ବିଷୟରେ ସେ ମଧ୍ୟ ନିଃସନ୍ଦେହ । କେବଳ ସେତିକି ନୁହେଁ; “କ୍ଷମା କରିବେ” ବି: ଏ: ରେ ଅତିରିକ୍ତ ପାଠ୍ୟରୂପେ ନିର୍ବାଚିତ ହେବାଲାଗି ସିନେଟ୍‍ର କେତେଜଣ ସଭ୍ୟ ମଧ୍ୟ ୟୁନିଭରସିଟିକୁ ପରାମର୍ଶ ଦେଲେଣି ।

 

–ଇଜ୍ ଇଟ୍ ? ଉଚ୍ଛ୍ୱସିତ ଆନନ୍ଦରେ ଯେମିତି ଉତ୍‍ଫୁଲ୍ଲ ହୋଇପଡ଼ୁଥିଲା ବିଶ୍ୱମାୟା ।

 

–ତମେ କଲେଜରେ ପଦାର୍ପଣ କରିବା ସଂଗେ ସଂଗେ ସେ ବହିଟି ବି ପାଠ୍ୟପୁସ୍ତକରୂପେ ବିବେଚିତ ହେଇସାରିଥିବ । ଆଚ୍ଛା, ମୁଁ ଏଥର ଉଠୁଚି । ସଂଗ୍ରାମବାବୁଙ୍କର ତ କାହିଁ ଏ ପର୍ଯ୍ୟନ୍ତ ସାକ୍ଷାତ ନାହିଁ । ଆମର ଏଇ ଛୋଟିଅ ବୈଠକରେ ଯୋଗ ଦେବାପାଇଁ ସର୍ବଜୟା ବି କୁଆଡ଼େ ଅନ୍ତର୍ଦ୍ଧାନ...

 

ଶଶାଙ୍କର ହାତଟାକୁ ଟାଣି ଚେୟାର ଉପରେ ପୁଣି ବସାଇ ଦେଉ ଦେଉ ବିଶ୍ୱମାୟା କହିଲା, “ବସନ୍ତୁ, ଏତେ ବ୍ୟସ୍ତ କାହିଁକି ? ବସାରେ ପରା ଆପଣଙ୍କ ପାଇଁ କାହାରି ଅପେକ୍ଷା କରିବାର ନାହିଁ । କେମିତି ଏକ ଦୁଷ୍ଟ ହସ ଫୁଟିଉଠିଲା ତା’ର ଆରକ୍ତ ମୁଖମଣ୍ଡଳରେ ।

 

ବିଶ୍ୱମାୟାର ସୁକୋମଳ ହାତଟିରେ ଗାଢ଼ ସ୍ପର୍ଶ ଦେଉ ଦେଉ ଶଶାଙ୍କର ଅଧରରେ ମଧ୍ୟ ଫୁଟିଉଠିଲା ତୃପ୍ତିର ହସ ।

 

ଆଉ କେତୋଟି ଅନୁଚ୍ଚ କଥାବାର୍ତ୍ତାରେ କାନ ନ ଦେଇ ପାଦ ଚିପି ଚିପି ନିଜର କୋଠରୀକୁ ଫେରିଆସିଲା ସର୍ବଜୟା । ଏଇ ଶଶାଙ୍କର ଚଳପ୍ରଚଳ ନେଇ ମନେ ମନେ ବଡ଼ କୌତୁକ ଅନୁଭବ କରେ ସେ । ଶୁଣିଚି, କୋଉ ଦୂର ମସଫଲ ଅଞ୍ଚଳର ଏକ ନିଭୃତ ପଲ୍ଲୀଗାଁର ବିରାଟ ଏକ ଜମିଦାରଙ୍କର ଏକମାତ୍ର ପୁତ୍ରସନ୍ତାନ ସେ । ମଫସଲ ମାଟି ଛାଡ଼ି ସହରରେ ପାଦ ଦେଲା ଦିନଠାରୁ ମଫସଲ ପ୍ରତି ଘୃଣା ତା’ର କୁଆଡ଼େ ଅପରିସୀମ । ତିନିବର୍ଷ କଲେଜ ମାଟି ମାଡ଼ିବାପରେ କୁଆଡ଼େ ବିତୃଷ୍ଣାଭାବ ଆସିବାରୁ ପାଠପଢ଼ାରେ ବିସର୍ଜ୍ଜନ ଦେଇ ଦେଶସେବା କରିବାର ଅପରିସୀମ ଆନନ୍ଦକୁ ଦମନ କରି ନ ପାରି ବାପାଙ୍କ ସହିତ ଯୋଗ ଦେଇଚି । ଆଉ ଶୁଣିଚି, କୋଉ ଏକ କମ୍ପାନୀର ସାମୟିକ ଏଜେଣ୍ଟ ଥାଇ ତା’ର ପ୍ରଚୁର ଲାଭ କରିଦେଇଥିବାରୁ ସେ କମ୍ପାନୀ ତାକୁ ସୁଦୃଶ୍ୟ କାର୍ ଖଣ୍ତେ ଉପହାର ଦେଇଚି । ବାପାଙ୍କ କଥାରେ ଶଶାଙ୍କ ଅତ୍ୟନ୍ତ ବୁଦ୍ଧିମାନ ଆଉ ଲକ୍‍କି ବୟ । ତେଣୁ ବାପାଙ୍କର ପରାମର୍ଶ ଅନୁସାରେ ଦେଶସେବା କରିବା ସଂଗେ ସଂଗେ ତାଙ୍କ ବିଜିନେସେ କୋସେଆରର ମଧ୍ୟ ରହିଚି । ସେ କହନ୍ତି, ଦେଶସେବାର ଯୋଉ ତ୍ୟାଗ, ସେ ତ୍ୟାଗ କୁଆଡ଼େ ବିଭିନ୍ନ କର୍ମସଂସ୍ଥାପରେ ବୁଡ଼ି ନ ରହିଲେ ହୁଏନା । ପୁଣି ଅର୍ଥ ତ ଦରକାର । ନିଜେ ବଞ୍ଚିଲେ ଯାଇ ତ ଦେଶସେବା କରିବାର ପ୍ରଶ୍ନ ଉଠିବ । ସେଇଥିପାଇଁ ଏ ପରିବାର ଭିତରେ ତା’ର ଅଖଣ୍ଡ ପ୍ରବେଶ ।

 

ତା’ର ଏଇ ନିଃସଙ୍କୋଚ ପ୍ରବେଶକୁ ସ୍ଵାଗତ ଜଣାଏ ବିଶ୍ୱମାୟା । ବିଶ୍ୱମାୟାର ତୀବ୍ର ଆକର୍ଷଣରେ ହୁଏତ ଶଶାଙ୍କର ଦେଶସେବା ବ୍ରତ ବେଳେବେଳେ ଅକର୍ମଣ୍ୟ ହେଇଯାଏ । ବାପାଙ୍କର ଜରୁରୀ କାମରେ ବି ସମୟ ସମୟରେ ଖିଲାଫ୍ କରିଦିଏ ଶଶାଙ୍କ ।

 

ମନେ ମନେ ହସିଉଠିଲା ସର୍ବଜୟା । ଝରକାର ଫାଙ୍କ ଦେଇ ଦେଖିପାରିଲା । ବିଶ୍ୱମାୟା ଆଉ ଶଶାଙ୍କ ହାତ ଧରାଧରି ହେଇ ଚାଲିଛନ୍ତି, –ଚାଲନ୍ତୁ...

 

ମନଭିତରେ ଛପିଛପିକା ଆଗ୍ରହ ଆଉ କେମିତି ଏକ ଗଭୀର ଭାବାନ୍ତରରେ ମଗ୍ନ ହେଇପଡ଼ୁଥିଲା ସର୍ବଜୟା । ନିଜେ ନିଜେ ସେ ଯେମିତି ଅନୁଭବ କରିବାକୁ ଲାଗିଲେ ତା’ର ମନ ଭିତରର ଆଲୋଡ଼ନ । ସେ ଆଲୋଡ଼ନ ଯେମିତି ପ୍ରଶମିତ ହେବାର ନୁହେଁ ।

 

ରାତ୍ରିଭୋଜନ ପ୍ରାୟ ପ୍ରସ୍ତୁତ ହେଇସାରିଥିଲା । ତଳ ମହଲାରୁ ଚାକର ପୂଜାରୀଙ୍କ ସମ୍ମିଳିତ ପାଟିତୁଣ୍ଡ ଶୁଣାଯାଉଥିଲା । ସବୁ ନିତ୍ୟ ନୈମିତ୍ତକ, ସବୁ ଅପରିବର୍ତ୍ତନଶୀଳ; କିନ୍ତୁ ନିଜେ ନିଜ ଭିତରେ ଯେମିତି ସମ୍ୟକ ପରିବର୍ତ୍ତନର ଆଭାସ ପାଇପାରୁଥିଲା ସର୍ବଜୟା । ଭିତରେ ଭିତରେ ତା’ର ସରଳ ମନ ଭିତରେ ଯେମିତି ବିଦ୍ରୋହର ସୂତ୍ରପାତ ହେବାକୁ ଲାଗୁଥିଲା । ଗୋଟାଏ ଦୀର୍ଘଶ୍ୱାସ ତା’ର ସୁକୋମଳ ତନ୍ତ୍ରୀ ଦୋହଲାଇ ନିର୍ଗତ ହେଲା । ତା’ହେଲେ ନିଜର ସୁନାମ କିଣିବାପାଇଁ ଶେଷରେ ବିଶ୍ୱମାୟା ଏଇ ନୀଚ ପ୍ରବୃତ୍ତକୁ ସ୍ଵାଗତ କଲା ? ମନଭିତରେ ଅସ୍ପଷ୍ଟ ଭାବରେ ଉଠିଲା ଗୋଟିଏ ଶାନ୍ତ ସରଳ ଛାୟାମୂର୍ତ୍ତିର ନିର୍ଭୀକ ମୁଖମଣ୍ଡଳ । ସେ ଆଉ କାହାରି ନୁହେଁ, ଅରବିନ୍ଦର ଯିଏ ନିଜିର ନିଃସ୍ୱତା ଯୋଗେ ତା’ର ଏତେବଡ଼ ସୃଷ୍ଟିକୁ ଅପରଚଳାରେ ଜୟମାଲ୍ୟ ରୂପେ ପିନ୍ଧାଇଦେବାର ସାହସ କରିଚି । ଏତେବଡ଼ ଆଘାତଟାକୁ ସେ ସହ୍ୟକରି ନେଇଚି । ପ୍ରତିବାଦ କରିବାର ସାହସ ନାହିଁ । ସ୍ପୃହା ବି ତା’ର ମନଭିତରେ ଯେମିତି ସମାଧି ଘେନିଚି ।

 

ହଠାତ୍ ଅରବିନ୍ଦଙ୍କ ପ୍ରତି ଯେମିତି ସହାନଭୂତିଶୀଳ ହୋଇପଡ଼ିଲା ସର୍ବଜୟା । ସେହି ବହିଟି ଯଦି ତାଙ୍କ ନିଜ ନାମରେ ବାହାରିଥାଆନ୍ତା, ତା’ହେଲେ ସେ କେତେ ଶାନ୍ତି ପାଇ ନ ଥାନ୍ତେ । ତାଙ୍କର ଉତ୍ତରୋତ୍ତର ସୃଷ୍ଟି କେତେ ଉନ୍ନତ ହୋଇ ନ ଥାନ୍ତା ସତରେ । ଆଉ ବହିର ରଏଲଟି ହୁଏତ ତାଙ୍କର ଆର୍ଥିକ ଅବସ୍ଥାର ସମ୍ୟକ ଉନ୍ନତି କରି ପାରିଥାଆନ୍ତା ।

 

ତା’ର ଭାବନାରେ ପୂର୍ଣ୍ଣଚ୍ଛେଦ ଟାଣି ସେଇ କୋଠରୀ ଭିତରକୁ ପ୍ରବେଶ କଲା ବିଶ୍ୱମାୟା । ନିରୀକ୍ଷଣ କଲା ସର୍ବଜୟା, ସେ ଦିନର ଆଶଙ୍କାଗ୍ରସ୍ତ ମୁଖମଣ୍ଡଳରେ ବିଜୟିନୀର ଦୀପ୍ତି ପରିସ୍ଫୁଟ ହୋଇଉଠିଚି ଆଜି ।

 

ସର୍ବଜୟା ଉପରୁ ମୁହଁ ଫେରାଇ ପଲଙ୍କ ଉପରେ ବସିପଡ଼ିଲା ମାୟା ।

 

–ଆଜି କ୍ଲାସରୁ ଫେରି ତୁ କୁଆଡ଼େ ଯେ ଗଲୁ...ଶଶାଙ୍କବାବୁ ଅପେକ୍ଷା କରି କରି ଗଲେ-। ଯାହାହଉ, ତୋତେ ସେ କାଲି ସଂଧ୍ୟାକୁ ତାଙ୍କ ବସାକୁ ନିମନ୍ତ୍ରଣ କରିଚନ୍ତି । କାଲି କୁଆଡ଼େ ତାଙ୍କର ଜନ୍ମଦିନ । ଗାଆଁରୁ ତାଙ୍କର ବାପା ମା’ ସମସ୍ତେ ଆସିଚନ୍ତି । ଏତକ କହି ସର୍ବଜୟା ପାଖକୁ ଆଉ ଟିକିଏ ଲାଗିଆସିଲା ବିଶ୍ୱମାୟା ।

 

ସୋସିଏଲ ଷ୍ଟଡ଼ି ବହିଭିତରେ ମନୋନିବେଶ କରୁ କରୁ ସର୍ବଜୟା କହିଲା, ‘ମୋତେ କାଲିପାଇଁ ମାଫ୍ କରି ଦେ, ଅପା । ଆମ ଗାର୍ଲ୍ମ୍ କଲଚରାଲ ଆସୋସିଏସନର କାଲି ଗୋଟାଏ ଜରୁରୀ ମିଟିଂ ମୋତେ ଆଟେଣ୍ଡ୍ କରିବାକୁ ହବ । ଶଶାଙ୍କବାବୁଙ୍କ ପାଖରେ ମୋ ପାଇଁ ତୁ ବରଂ କ୍ଷମା ମାଗିନବୁ । ମୁଁ ଅନ୍ୟଦିନେ ତୋ ସହିତ ତାଙ୍କ ବସାକୁ ଯିବି ।’’

 

–ଏଇଟା ତୋର କିନ୍ତୁ ବଡ଼ ଅଭଦ୍ରତା, ଜୟା । ତାଙ୍କର ବରାବର ତୋ ପ୍ରତି କେମିତି ଏକ ପ୍ରଚ୍ଛନ୍ନ ଅଭିମାନ ଠୁଳ ହେଇ ରହିଚି । ତୁ ତ ଜାଣୁ, ସେ ବାପାଙ୍କର କେତେ ଅନ୍ତରଙ୍ଗ । ତାଙ୍କୁ ମୁହୂର୍ତ୍ତକ ପାଇଁ ବାପା ଯେମିତି ପାଖରୁ ଅନ୍ତର କରିବାକୁ ଚାହାନ୍ତିନି । ସେଇଥିପାଇଁ କେବଳ ବାପାଙ୍କ ଖାତିରିରେ ଆମର ତାଙ୍କ ନିମନ୍ତ୍ରଣ ରକ୍ଷା କରିବା ଉଚିତ ।

 

–ମୁଁ ବଡ଼ ଦୁଃଖିତ, ଅପା ! ସେମାନଙ୍କୁ ମୁଁ କଥା ଦେଇଚି । ତୁ ତ ଜାଣୁ, ସେଇ ଆସୋସିଏସନ ମୋ ଉପରେ କେତେ ନିର୍ଭରଶୀଳ । ଏପରି ସ୍ଥଳେ ମୁଁ ଯଦି ଶଶାଙ୍କବାବୁଙ୍କ ନିମନ୍ତ୍ରଣ ରକ୍ଷା କରିବାକୁ ଯାଇ ତାକୁ ପୋଷ୍ଟପୋଣ୍ତ କରେ, ତା'ହେଲେ ସେମାନେ କେତେ ଦୁଃଖିତ ହେବେ ତୁ ଭାବିପାରୁଛୁ ?

 

–ତା’ ହେଲେ ଏଇ ତୋର ଶେଷ ନିଷ୍ପତ୍ତି, ନୁହେଁ... ?

 

–ଶଶାଙ୍କବାବୁଙ୍କ ପାଇଁ ତୁ ଯେମିତି ପ୍ରତିନିଧିତ୍ୱ କରୁଚୁ, ସେମିତି ମୋ ପାଇଁ ଯଦି ତାଙ୍କ ପାଖରେ ପ୍ରତିନିଧିତ୍ୱ କରନ୍ତୁ, ମୁଁ ଏତେ ବଡ଼ ବିପଦରୁ ରକ୍ଷା ପାଇଯାଆନ୍ତି, ଅପା ! ତା’ ଛଡ଼ା ତୋ ସାନ୍ନିଧ୍ୟଠାରୁ ମୋ ସାନ୍ନିଧ୍ୟ ତାଙ୍କୁ ବେଶି ଆମୋଦ ଦବ ନାହିଁ ନିଶ୍ଚୟ ।

 

–ଜୟା । ଯେମିତି ଜଳି ଉଠିଲା ବିଶ୍ୱମାୟାର ଆଖି...ମୋ ପ୍ରତି ତୁ ଈର୍ଷା କରୁଚୁ ।

 

–ମୋଟେ ନୁହେଁ, ଅପା । ତୁ ତ ଜାଣୁ, ତାଙ୍କର ରୁଚି ମୋର ରୁଚି ଭିତରେ କେତେ ତଫାତ୍ । ବିପରୀତ ଦୁଇଟି ସରଳରେଖାର ଶୀର୍ଷ ବିନ୍ଦୁର ମିଳନ ଯେମିତି ଅସମ୍ଭବ, ଶଶାଙ୍କବାବୁ ଆଉ ମୋର ଅବସ୍ଥା ମଧ୍ୟ ସେଇଭଳି । ତା’ ଛଡ଼ା ତୁ ତ ଜାଣୁ, ସେ ପାର୍ଟି... ନାଚଗୀତର ଅସର ପ୍ରତି ମୁଁ କେତେ ଅନାସକ୍ତ ।

 

–ଜୟା ।

 

–ମୋ ପ୍ରକୃତି ବିରୁଦ୍ଧରେ ମୁଁ କେବେ ଚାଲିପାରିବିନି, ଅପା । ମୋତେ ତୁ କ୍ଷମାକର । ଏତକ କହି ସର୍ବଜୟା ପୁଣି ସେଇ ବହିଭିତରେ ମନୋନିବେଶ କଲା ।

 

ଅନ୍ୟ ଉପାୟ ନ ଦେଖି ବିଶ୍ୱମାୟା ସେ କୋଠରୀରୁ ଉଠି ଚାଲିଗଲା । ସେ ଯେ ଜୟା କଥାରେ ଖୁବ୍ ଆଘାତ ପାଇଥିଲା, ଏହା ସର୍ବଜୟା ପାଖରେ ଅବିଦିତ ନ ଥିଲା । ସେ ଚାଲିଗଲା ପରେ ମନକୁମନ ହସି ଉଠିଲା ସେ । ସେହି ହସଭିତରେ ଯେମିତି ପୂରି ରହିଥିଲା ତା’ ପ୍ରତି ତାଚ୍ଛଲ୍ୟର ଇଙ୍ଗିତ ।

 

ବାହାରେ କାର୍‍ର ହର୍ଣ୍ଣ ଶୁଭିଲା । ବାପା’ମା ଫେରି ଆସିଲେଣି ନିଶ୍ଚୟ । ମନଯୋଗୀ ଛାତ୍ରଟି ଭଳି ପଢ଼ାବହି ଭିତରେ ସେ ମନୋନିବେଶ କଲା ।

 

ବାହାରୁ ବିଶ୍ୱମାୟାର ନାମ ଧରି ଡାକି ଡାକି ଉପରକୁ ଆସୁଥିଲେ ସଂଗ୍ରାମକେଶରୀ । ତାଙ୍କର ଆଦରଣୀୟା କନ୍ୟା ସେ । ସଂଗ୍ରାମକେଶରୀଙ୍କ ରୁଚି ଅନୁସାରେ ସେ ନିଜକୁ ପ୍ରଭାବିତ କରେ । ଆଉ ଜୟା...ସଂଗ୍ରାମକେଶରୀଙ୍କ ମତରେ ସେ ଉଦ୍ଦଣ୍ତୀ । ନିଜର ସ୍ୱତନ୍ତ୍ର ରୁଚି ପ୍ରଭାବରେ ସେ ପ୍ରଭାବିତ ।

 

ଆର କୋଠରୀରୁ ସଂଗ୍ରାମକେଶରୀଙ୍କ କଥାରେ କାନ ଡେରିଲା ଜୟା ।

 

–ଶଶାଙ୍କର ଜନ୍ମଦିବସକୁ ନିଜେ ମୁଖ୍ୟମନ୍ତ୍ରୀ ଆସିବାପାଇଁ ସମ୍ମତ ହେଇଚନ୍ତି । ଆଉ ସେଠାକୁ ଆସିବା ମୂଳରେ ତାଙ୍କର କୁଆଡ଼େ ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ରହିଚି, ସୁଲେଖିକା ବିଶ୍ୱମାୟାଙ୍କୁ ଅଭିନନ୍ଦିତ କରିବା ।

 

ସର୍ବଜୟା ଦେଖେ ପ୍ରତିଦିନ ଏକାଧିକ ଅଭିନନ୍ଦନ ପତ୍ର ବିଶ୍ଵମାୟା ନାମରେ ଆସେ । ବାପାଙ୍କର ପରିଚିତ–ଅପରିଚିତ–ଅନୁଗ୍ରହପାର୍ଥୀ ଅନେକ ସ୍ତାବକଙ୍କର ମଧ୍ୟ ଅନୁରୂପ ଅଜସ୍ର ପ୍ରଶଂସାରେ ମୁଖର ହେଇଉଠେ ତାଙ୍କର ଡ୍ରଇଂରୁମ୍ । ସେଇ ପ୍ରଶଂସାରେ ପ୍ରଖର ସ୍ରୋତ ଭିତରେ ସଂଗ୍ରାମକେଶରୀଙ୍କର ବ୍ୟକ୍ତିତ୍ୱ ଆହୁରି ଯେମିତି ସୁଦୃଢ଼ ହେଇଆସେ । ଭୁଲିଯାଆନ୍ତି ସେ ଅପୁତ୍ରିକ ବୋଲି । ଜନତାଙ୍କର ଉଚ୍ଛ୍ୱସିତ ପ୍ରଶଂସା ଶଶାଙ୍କ ନେଇ ପହଞ୍ଚାଇଦିଏ ମୁଖ୍ୟମନ୍ତ୍ରୀଙ୍କ ନିକଟରେ । ଜନତାଙ୍କର ପ୍ରତିନିଧି ସେ...ଜନତାଙ୍କର ପ୍ରଶଂସାକୁ ସେ ନିଶ୍ଚୟ ସମ୍ମାନ ଦେବେ । ସର୍ବୋପରି ସଂଗ୍ରାମକେଶରୀଙ୍କ କନ୍ୟାକୁ ସେ କାହିଁକି ବା ସମ୍ମାନ ନ ଦେବେ ?

 

କିନ୍ତୁ ପ୍ରକୃତ ସମ୍ମାନର ଅଧିକାରୀ...

 

ସୋସିଆଲ ଷ୍ଟଡ଼ିର ପୃଷ୍ଠାଭିତରେ ସ୍ପଷ୍ଟ ହେଇଉଠିଲା ଜଣକର ମୁଖମଣ୍ଡଳ । ବିବ୍ରତ ହେଲା ସର୍ବଜୟା । କୁମାରୀ ମନତ ଆବରଣ ଭିତରେ କେଜାଣି କାହିଁକି ଫୁଟି ଉଠିଲା ତୀବ୍ର ବେଦନା । ଗୋଟାଏ ନୂଆ ଅନୁଭୂତି–ଜଣକ ହୃଦୟର ସ୍ପନ୍ଦନ ଅନ୍ୟ ଜଣେ ଅନୁଭବ କରିପାରିବାର ଶକ୍ତି ।

 

ଭାବନାରେ ପୂର୍ଣ୍ଣଚ୍ଛେଦ ଟାଣିଲା ସଂଗ୍ରାମକେଶରୀଙ୍କ କଣ୍ଠସ୍ୱର । ବହି ବନ୍ଦ କରି ଉଠିଆସିଲା ସର୍ବଜୟା ।

 

ନିବିଷ୍ଟ ମନରେ ନିଜ କୋଠରୀ ଭିତରେ ବସି ରହିଥିଲା ସର୍ବଜୟା । କ୍ଷୁଦ୍ର ମନର ପରିସର ଭିତରେ ସେ ଯେତିକି ଗତ ସନ୍ଧ୍ୟାର ଘଟଣା ବିଶ୍ଳେଷଣ କରୁଥିଲା, ସେତିକି ତା ମନ ବିଦ୍ରୋହରେ ଭରପୂର ହେଇଯାଉଥିଲା । ନା ଅନ୍ୟାୟକୁ ସେ କେବେ ସମର୍ଥନ କରିପାରିବ ନାହିଁ । ଏଇ ପାଣ୍ଡୁଲିପି ଅପହରଣ ଭିତରେ ଯେକୌଣସି ଉଦ୍ଦେଶ୍ୟ ନିହିତ ଥାଉନା କାହିଁକି ତାକୁ ବାହାର କରିବାକୁ ପଡ଼ିବ । ଏଥିପାଇଁ ସାହାଯ୍ୟ ତ ଦରକାର... । ମନେ ମନେ ଚିନ୍ତିତ ହେଇପଡ଼ିଲା ସର୍ବଜୟା । ଟେବୁଲ କ୍ଲକକୁ ଅନେଇଲା–ପାଞ୍ଚଟା ବାଜି ତିରିଶ ମିନିଟ; ସନ୍ଧ୍ୟା ଆସିବାକୁ ଆଉ ତିରିଶି ଚାଳିଶ ମିନିଟ ବାକି । ତାକୁ ଯିବାକୁ ପଡ଼ିବ । ଆଜି ସନ୍ଧ୍ୟାରେ ହିଁ ଅରବିନ୍ଦଙ୍କ ସହିତ ପରାରାମର୍ଶ କରି ଏହାର ରହସ୍ୟ ଉଦ୍ ଘାଟନ କରିବ । ମନେ ମନେ ଦୃଢ଼ ସଂକଳ୍ପ କରି ନିଜର ପୋଷାକ ପରିବର୍ତ୍ତନ କରିବାରେ ଲାଗିପଡ଼ିଲା ସର୍ବଜୟା ।

 

ବାହରେ କୋଳାହଳ ଶୁଭିଲା ।

 

ଅସ୍ତବ୍ୟସ୍ତ ହେଇ ଭିତରକୁ ପଶି ଆସୁଥିଲେ ସଂଗ୍ରାମକେଶରୀ । ବାହାରୁ ତାଙ୍କର ସେଇ ସ୍ୱର ଯେମିତି ବ୍ୟସ୍ତତାର ଚରମ ପର୍ଯ୍ୟାୟକୁ ନେଇଯାଉଥିଲା । ମାୟା, ଆରେ ମାୟା, ଚଞ୍ଚଳ ବାହାରିପଡ଼ । ମନ୍ତ୍ରୀଙ୍କର ଆସିବା ସମୟ ହେଇଗଲାଣି । ଆରେ, ଜୟାଟା କୁଆଡ଼େ ଗଲା ? ସବୁବେଳେ ସେଇଟା ଗୋଟାଏ ଅମୀମାଂସିତ ରହିଗଲା । ନା, ତାକୁ ଆଉ ପାରି ହେବନାହିଁ; ଯାହା କରୁଚି କରୁ । ମାୟା,ମାୟା ।

 

ଭଲକରି ଅନେଇଲା ଜୟା, ମାୟାର କୋଠରୀ ଭିତରକୁ ସଂଗ୍ରାମକେଶରୀ ପ୍ରବେଶ କଲେ । ଆଉ ବିଳମ୍ବ କଲେ ହୁଏ ତ ତାକୁ ବି ଶଶାଙ୍କବାବୁଙ୍କ ଘରେ ମନ୍ତ୍ରୀ ମହାଶୟଙ୍କୁ ସାକ୍ଷାତ କରିବା ଦରକାର ପଡ଼ିପାରେ । ବିଶ୍ୱମାୟାର କଥାକୁ ସେ ସିନା ଫାଙ୍କି ଦେଇପାରିଲା, କିନ୍ତୁ ସଂଗ୍ରାମକେଶରୀଙ୍କ କଥାକୁ ଆଉ ତ ଉଡ଼େଇ ଦେଇ ହବନି । ତା’ଛଡ଼ା ଆଜି ଭଳି ଗୋଟାଏ ଦିନ ବି ହୁଏତ କମ୍ ମିଳିପାରେ ।

 

ଫେସ ଉପରୁ ଲାଷ୍ଟ ପାଉଡ଼ର ପପ୍‍ଟା ବାହାର କରି, ନିଃଶବ୍ଦରେ ନିଜ କୋଠରୀଭିତରୁ ବାହାରିଆସିଲା ସର୍ବଜୟା । ତା’ କୋଠରୀରୁ ବାହାରିବାକୁ ହେଲେ ବିଶ୍ୱମାୟା କୋଠରୀର କୌଣସି ବ୍ୟକ୍ତି ଦୃଶ୍ୟରୂଢ଼ ହେଇପାରେନା । ଏଇତକ ସୁବିଧା ତଳକୁ ଓହ୍ଲାଇ ଆସିବାରେ କମ୍ ସାହାଯ୍ୟ କରି ନ ଥିଲା ତାକୁ । ବ୍ୟସ୍ତ ପଦସଂଚାଳନ କରି ସେ ବାହାରିଆସିଲା ମେନ୍ ରୋଡ଼ ଉପରକୁ । ଅରବିନ୍ଦଙ୍କ ସହିତ ଶେଷ ମୀମାଂସା କରିବାକୁ ପଡ଼ିବ । ଦୁହିଁଙ୍କ ମିଳିତ ପ୍ରଚେଷ୍ଟାରେ “କ୍ଷମା କରିବେ” ପାଣ୍ଡୁଲିପିର ଅପହରଣକାରୀ ଆବିଷ୍କୃତ ହେଇପାରିବ ।

 

ରିକି୍‍ସା ଚାଲିଚି ହଲି ଦୋହଲି ଆଗରୁ ଆଗକୁ-ତା’ଠାରୁ ଆହୁରି ବେଗରେ ତା’ର ମସ୍ତିଷ୍କ । ତା’ର ଭାବନା ଆଗରେ ଛିଡ଼ା ହେଉଚନ୍ତି ଅରବିନ୍ଦ...ବିଶ୍ୱମାୟା...ଆଉ...ହଁ, ହଁ, ଆଉ ଜଣେ ନିଶ୍ଚୟ । ହଠାତ୍ ତା’ର ଆଖିଆଗରେ ଝଲସିଉଠିଲା ସେଇ ଚିଠିଟି, ଯୋଉଟାକୁ ଅଗ୍ରଦୂତ ପବ୍ଳିକେସନରୁ ସେ ଦେଖିଆସିଥିଲା । ତା’ର କାହିଁକି ହଠାତ୍ ମନେହେଲା, ସେହି ଅକ୍ଷର ସହିତ ସେ ପରିଚିତ । ତା’ହେଲେ...

 

ଅନୁମାନ ଉପରେ ଗୋଟାଏ କିଛି ସିଦ୍ଧାନ୍ତ କରାଯାଇପାରେନା । ସେହିଭଳି ବି ଆଉ କାହାରି ହ୍ୟାଣ୍ଡ ରାଇଟିଂ ହେଇପାରେ । ତା’ପରେ ଅରବିନ୍ଦଙ୍କ ସହିତ ତା’ର ହୁଏତ ପରିଚିତ ଥାଇ ନ ପାରେ ।

 

ଟର୍ଣ୍ଣିଂ ନେଲା ରିକ୍‍ସା । ଆଗରୁ ବୋଧହୁଏ ଗୋଟାଏ କାର୍ ଆସୁଚି । ତା’ର ଉଜ୍ୱଳ ଆଲୋକରେ ସର୍ବଜୟାର ସମଗ୍ର ଅବୟବ ଅଲୋକିତ । ରିକ୍‍ସା ଆଗରେ ଆସି ବ୍ରେକ କଷିଲା ସେଇ କାର୍ । ସେ ଏତେ ଅପ୍ରତ୍ୟାଶିତ ବେଗର ବ୍ରେକ ଦେଇଥିଲା ଯେ, ଉଭୟ ରିକ୍‍ସାବାଲା ଆଉ ସର୍ବଜୟା ଚମକି ପଡ଼ିଲେ ।

 

କାର୍ ଭିତରେ ପାଞ୍ଚଜଣ ଯୁବତୀ; ଆଉ ଡ଼୍ରାଇଭ୍ କରୁଥିଲେ ନିଜେ ଶଶାଙ୍କ ।

 

–ଆରେ, ଜୟା ଯେ ! ଆସ, ବି କୁଇକ୍ ।

 

–କ୍ଷମା କରିବେ ଆଜ୍ଞା, ମୁଁ ଏନ୍ ଗେଜ୍ଡ଼୍ ।

 

–ମାନେ... ?

 

–ଆମ କଲଚରାଲ ଆସୋସିଏସନର ଗୋଟାଏ ଜରୁରୀ ମିଟିଂ ଅଟେଣ୍ଡ କରିବାକୁ ଯାଉଛି । ମୋ ପାଇଁ ଅପା ଆପଣଙ୍କ ପାଖରେ କ୍ଷମା ମାଗିନେବ । ଜୟାର ନିର୍ଦ୍ଦେଶକ୍ରମେ ରିକ୍ସା ଆଗେଇ ଚାଲିଲା ।

 

ସେଇ ଇଲେକ୍‍ଟ୍ରିକ ପୋଷ୍ଟବିହୀନ ଅନ୍ଧକାର ଗଳି । ଆଗରେ ଅରବିନ୍ଦଙ୍କ କୁଟୀର । “ଏଇଠି ରଖ୍” ରିକ୍ସାବାଲାକୁ ସେ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହି ସର୍ବଜୟା ଆଗେଇ ଚାଲିଲା ।

 

ନିଜ କାନକୁ ବି ନିଜେ ବିଶ୍ୱାସ କରିପାରିଲା ନାହିଁ ଜୟା । ଅରବିନ୍ଦଙ୍କର ସେଇ କୁଟୀର ଭିତରେ ଗୋଟିଏ ଅପରିଚିତ କଣ୍ଠସ୍ୱର–ପୁରୁଷର ନୁହେଁ, ସ୍ତ୍ରୀର ନିଶ୍ଚୟ...

 

ଝରକା ଦେଇ ଆଲୋକ ବାହାରକୁ ଦେଖାଯାଉଥିଲା । କଣ କରିବ ନ କରିବ ଏଇ ଦ୍ୱନ୍ଦରେ ପଡ଼ିଯାଇଥିଲା ସର୍ବଜୟା । ଭିତରକୁ ଯିବ କି ନାହିଁ ?

 

କିନ୍ତୁ ଏ କଣ୍ଠସ୍ୱର...

 

ଅରବିନ୍ଦଙ୍କ ମୁହଁରୁ ଶୁଣିଚି, ତା’ର କୁଟୀର ଭିତରକୁ ଏଇ ଦୀର୍ଘଦିନ ଭିତରେ କେବଳ ତା’ ବ୍ୟତୀତ ଅନ୍ୟ କେହି ପ୍ରବେଶ କରିନାହାନ୍ତି । ତା’ହେଲେ ସେ କଣ ତା’ପାଖରେ ଛଳନାର ଆଶ୍ରୟ ନେଇଚନ୍ତି । ସେ ଭାବିଯାଉଥିଲା ଅନେକ କିଛି... ଫେରି ପାରୁ ନଥିଲା କି ଭିତରେ ପ୍ରବେଶ କରି ପାରୁ ନ ଥିଲା ।

 

–ଆରେ, ଜୟା ଦେବୀ ଯେ... ।

 

ଅରବିନ୍ଦଙ୍କ ବିସ୍ମିତ କଣ୍ଠସ୍ୱର ଆହୁରି ବିବ୍ରତ କରିଦେଲା ସର୍ବଜୟାକୁ ।

 

ଆସନ୍ତୁ, ବାହାରେ ଛିଡ଼ା ହେଇ ରହିଲେ ଯେ । ଅରବିନ୍ଦଙ୍କ ପଛେ ପଛେ ସର୍ବଜୟା ଭିତରକୁ ପ୍ରବେଶ କଲା ।

 

–ଲତା, ଆରେ ଦେଖିଲାଣି ।

 

ସେଇ ପାତଳୀ ହେଇ ଡେଙ୍ଗୀ ଝିଅଟି । ବୟସ ୧୪ । ୧୫ ହବ । ହେମଗୌରବର୍ଣ୍ଣ ଉଜ୍ଜ୍ୱଳ ତନୁଲତା । ବେଶ୍ ଶାନ୍ତ ଆଉ ଭଦ୍ର । ହାତଯୋଡ଼ି ନମସ୍କାର କଲା ।

 

–ଏଇ ହଉଚି ମୋର ସାନଭଉଣୀ ଲତା । ଆଜି ସକାଳେ ଶଶାଙ୍କବାବୁଙ୍କ ବାପାଙ୍କ ସାଙ୍ଗରେ ଆସିଚି ।

 

–ଶଶାଙ୍କବାବୁ... ।

 

–ଆପଣ ତାଙ୍କୁ ଚିହ୍ନି ନ ଥିବେ । ଶଶାଙ୍କଶେଖର ମହାପାତ୍ର...ତାଙ୍କର ଏହି ସହରରେ ଖଣ୍ଡିଏ କୋଠା ବି ଅଛି । ଆରେ, ଛିଡ଼ । ହେଇ ରହିଲେ କାହିଁକି ? ବସନ୍ତୁ ।

 

ଲତାର କ୍ଷୁଦ୍ରମନ ସନ୍ଦେହାକୁଳ ହେଇଉଠିଥିଲା । ସେ ଥରେ ଜୟାର ମୁହଁରୁ ମୁହଁ ଫେରାଇ ଅରବିନ୍ଦଙ୍କୁ ଚାହୁଁଥିଲା । ଜୟାର ପରିଚୟ ଜାଣିବାପାଇଁ ବ୍ୟଗ୍ର ହେଇପଡ଼ୁଥିଲା । ହେଲେ, ଭାଇଙ୍କୁ ପଚାରିବାକୁ ସାହସ ତା’ର ନ ଥିଲା ।

 

ତା’ର ଏଇ ପରିସ୍ଥିତି କିନ୍ତୁ ବେଶ ଅମୋଦଦାୟକ ହେଉଥିଲା ସର୍ବଜୟା ନିକଟରେ । ଲତାର କୋମଳ ହସ୍ତଟି ଏପର୍ଯ୍ୟନ୍ତ ବି ତା ହାତ ଭିତରେ କମ୍ପିତ ହେଉଥିଲା ।

 

–ତା’ପରେ... ? ଆପଣ ନିଶ୍ଚୟ ପ୍ରମାଣ ସଂଗ୍ରହ କରି, ଆସିଚନ୍ତି । ନୀରବତା ଭାଙ୍ଗି କହିଲେ ଅରବିନ୍ଦ ।

 

ଅରବିନ୍ଦଙ୍କୁ ସ୍ଥିର ଦୃଷ୍ଟିରେ ଚାହିଁ ସର୍ବଜୟା କହିଲା, “ମୁଁ ଏହାର ସତ୍ୟତା ସମ୍ୱନ୍ଧରେ ସନ୍ଦିହାନ ହେଇପଡ଼ିଚି, ଆଜ୍ଞା । ବିଶ୍ୱମାୟା ଆଉ ଆପଣ...ତା’ପରି ମେଣ୍ଟାଲିଟିର ଗାର୍ଲ ପକ୍ଷରେ କେତେ ତଫାତ୍ । ତଥାପି ସେ କେମିତି ଏଭଳି ଦୁଃସାହସ କରିବାକୁ ସାହସ ପାଇଲା ? ଆଚ୍ଛା, ଏଇ ଶଶାଙ୍କବାବୁ...ମାନେ, ଯେ କି ଆପଣଙ୍କ ଗ୍ରାମର ବାସିନ୍ଦା...ତାଙ୍କ ସଂପର୍କରେ ଆପଣଙ୍କର ଧାରଣା କଣ ?

 

–ମାନେ...ଆପଣ ଶଶାଙ୍କକୁ ଜାଣନ୍ତି ? ଯେମିତି ଉଦ୍‍ବିଗ୍ନ ହେଇପଡ଼ିଲେ ଅରବିନ୍ଦ ।

 

–ହଁ, ଶଶାଙ୍କ ଶେଖର ମହାପାତ୍ରଙ୍କୁ । ସେଇ ଗୌରକାନ୍ତି ହିରୋ କଟିଂର ଡେଙ୍ଗା ଭଦ୍ରଲୋକ ଜଣକ । ଅପାର କିନ୍ତୁ ତାଙ୍କ ସାଙ୍ଗରେ ବେଶ୍ ଇନ୍‍ଟିମେସି ଅଛି । କେବଳ ଅପାର କହିଲେ ଭୁଲ୍‍ ହେବ; ବାପାଙ୍କର ବି ସେ ଅତି ଆପଣାର ।

 

–ଆପଣଙ୍କର ନିଶ୍ଚୟ ଚା’ ଖାଇବାର ଅଭ୍ୟାସ ଅଛି । ଲତା, ଗଲୁ, ଚା’ ଟିକେ ତିଆରି କରିବୁ ।

 

–ନାଇଁ, ଚା ଖାଇବା ଦରକାର ପଡ଼ିବ ନାହିଁ । ମୁଁ ଏବେ ସେତକ ସମାପ୍ତ କରି ଆସିଚି-

 

–ଗରିବ ଘରେ ତ ଅନ୍ୟ କିଛି ମିଳିବ ନାହିଁ । ତେବେ ଆପଣ ମନ କଲେ ବି ସେ ଆପତ୍ତ ତ ଶୁଣାଯିବନି । ଏତକ କହି ଲତା ଅନ୍ତର ହେଲା । ଏଇ କେତେ ସମୟ ଭିତରେ ଲତା ସର୍ବଜୟାର ଯେମିତି ଖୁବ୍ ଅନ୍ତରଙ୍ଗ ହେଇଉଠିଥିଲା ।

 

–ଆପଣ ନିଶ୍ଚୟ ଶଶାଙ୍କର ହ୍ୟାଣ୍ଡରାଇଟିଂ ସହ ପରିଚିତ ଥିବେ । ଆଉ ସେଦିନ ପବ୍ଳିଶରଙ୍କ ନିକଟରେ ଯୋଉ ଚିଠିଟି ଦେଖିଥିଲେଁ, ମୋର ଯେତେଦୂର ମନେହୁଏ–ସେଇ ଚିଠିଟି ଶଶାଙ୍କର । ଏବେ କୁହନ୍ତୁ ଆପଣଙ୍କର ଧାରଣା କଣ ?

 

ଏଥର ଚିନ୍ତାର ରେଖା ଫୁଟିଉଠିଲା ଅରବିନ୍ଦଙ୍କ ମୁଖମଣ୍ଡଳରେ । ଲକ୍ଷ୍ୟକଲା ସର୍ବଜୟା, ମୁଖମଣ୍ଡଳର ରେଖାଗୁଡ଼ିକ କେମିତି ଫୁଲି ଫୁଲି ଉଠୁଥିଲା । କିନ୍ତୁ ସେଇ ଭାବ ଖୁବ୍ ଅଳ୍ପ ସମୟ ପରେ ଯେମିତି ଅପସରିଗଲା ତାଙ୍କର ମୁଖମଣ୍ଡଳରୁ । ଦୀର୍ଘନିଶ୍ୱାସ ପକେଇ ସେ କହିଲେ, ‘‘ଛାଡ଼ନ୍ତୁ, ଜୟାଦେବୀ, ଯେ ଯାଇଚି ତା ପାଇଁ ଅନୁଶୋଚନା କରି ଲାଭ ନାହିଁ । ସେଇ ପାଣ୍ଡୁଲିପିଟି ମୁଁ ଏଇ କୋଠରୀ ଭିତରେ ରଖିଥିଲି । ଅବଶ୍ୟ ସୁଟକେଶ ଭିତରେ ଏଇ ଛୋଟିଆ ର‍୍ୟାକ୍‍ଟି ଉପରେ । ଶଶାଙ୍କ କିନ୍ତୁ ଜାଣିଥିଲି ସେଇ ପାଣ୍ଡୁଲିପି ବିଷୟରେ । ମୁଁ ସେତେବେଳେ ଆଡ୍‍ଭୋକେଟ ଅରବିନ୍ଦବାବୁଙ୍କ ଘରକୁ ଟିଉସନ କରିବାକୁ ଯାଉଥିଲି । ଦୈବାତ୍ ଦିନେ ସେହିଠାରେ ସେ ସେହି ପାଣ୍ଡୁଲିପିଟି ଦେଖିଥିଲା । ଆଉ ପବ୍ଳିଶର ଯେ ସେଇଟିକୁ ଫେରାଇଦେଇଥିଲେ ତାହା ମଧ୍ୟ ସେ ମୋ ପାଖରୁ ସଂଗ୍ରହ କରିଥିଲା । କାରଣ ପାଣ୍ଡୁଲିପିଟି ଅରବିନ୍ଦବାବୁ ପଢ଼ି ବିଶେଷ ପ୍ରଶଂସା କରୁଥିଲେ ଆଉ ଅଠଶହ ଟଙ୍କା ସେହି ବହିଟିର ମୁଦ୍ରଣପାଇଁ ମୋତେ ଦେବାକୁ ମଧ୍ୟ ସେ ସ୍ୱତଃପ୍ରବୃତ୍ତ ଭାବରେ ପ୍ରକାଶ କରିଥିଲେ ।”

 

–ତା’ହେଲେ ଏଭଳି ସୁଯୋଗ ଆପଣ ଛାଡ଼ିଲେ କାହିଁକି ?

 

–ମୁଁ କିନ୍ତୁ ଅରବିନ୍ଦବାବୁଙ୍କ ପ୍ରସ୍ତାବରେ ବିଶେଷ ଆନନ୍ଦିତ ହେଇଥିଲି । ଛାପାଖାନା ସହିତ ମଧ୍ୟ କଥାବାର୍ତ୍ତା ଶେଷ କରିଥିଲି । ଛାଡ଼ନ୍ତୁ, ସେ ମୋର ଦୁର୍ଭାଗ୍ୟ । ତା’ ପରଦିନ ମୁଁ କଲେଜରୁ ଫେରୁ ଫେରୁ ରାତି ଅନେକ ହେଇଥିଲା । କାରଣ ସେଦିନ ଛାତ୍ରସଙ୍ଘ ତରଫରୁ ମୋର ଗୋଟାଏ ନାଟକ ଅଭିନୀତ ହେଉଥିଲା । ମୁଁ ଫେରିଆସି ଦେଖେଁ ତ ଦୁଆର ମେଲା–ଆଉ ଭିତରେ ପାଣ୍ଡୁଲିପିଟି ନାହିଁ !

 

–ଶଶାଙ୍କବାବୁ ୟା ଭିତରକୁ କେବେ ଆସନ୍ତି ?

 

–ନା । ଅବଶ୍ୟ ତା’ର କାର୍ ଅନେକଥର ଏଇବାଟେ ଯାଏ । ଭୁଲରେ ସୁଦ୍ଧା ମୋ ସହିତ ପଦେ କଥା ବି କହେ ନାହିଁ । ସେ ଭାବେ, ଧନହୀନ ଲୋକ ଏ ସଂସାରରେ ବଞ୍ଚି ରହିବା ଅନାବଶ୍ୟକ । ସେମାନଙ୍କ ସହିତ ମିଶିଲେ ନିଜର ଏରିଷ୍ଟୋକେସିରେ ବାଧା ଆସିବ ।

 

“ତା’ର ଉଦ୍ଦେଶ୍ୟଟା ଯେ କ’ଣ, ତାହାହିଁ ଅବଶ୍ୟ ଚିନ୍ତାର ବିଷୟ । ପୁଣି ନିଜ ନାଆଁରେ ସେଇଟି ପ୍ରକାଶ ନ କରାଇ ଅପର ଜଣକ ନାଆଁରେ ପ୍ରକାଶ କରାଇବାରେ ତା’ର ବା କି ଲାଭ ହେଲା......” କିଛିକ୍ଷଣ ଚିନ୍ତାମଗ୍ନ ହେଇ ସର୍ବଜୟା କହିଲା, “ବୁଝିଲେ, ଅରବିନ୍ଦବାବୁ । ମୋର ଯେତେଦୂର ମନେହୁଏ, ସେ ନିଶ୍ଚିତ ଭାବରେ ଜାଣିଥିଲା ଯେ ଏ ବହିଟି ଆପଣଙ୍କର ଆଓ୍ୟାର୍ଡ଼ ପାଇବା ଉପଯୋଗୀ । ସେହି ସୌଭାଗ୍ୟରୁ ଆପଣଙ୍କୁ ବଞ୍ଚିତ କରିବାହିଁ ଥିଲା ତା’ର ପ୍ରଧାନ ଉଦ୍ଦେଶ୍ୟ ।”

 

ଲତା ଦୁଇଟି କପ୍ ଭର୍ତ୍ତି ଚା’ ଆଣି ଦୁହିଁଙ୍କ ନିକଟରେ ରଖିଲା । ସର୍ବଜୟା ତା’ ହାତ ଟାଣି ନିକଟରେ ବସାଇଲା । ମୃଦୁ ଆପତ୍ତ ସତ୍ୱେ ବି ସର୍ବଜୟାର ଅନୁରୋଧ ରକ୍ଷା କଲା ସେ ।

 

ଲତା ଆଉ ସର୍ବଜୟାର କଥୋପକଥନ ନୀରବରେ ବସି ରହି ଶୁଣୁଥିଲା ଅରବିନ୍ଦ । ପାର୍ଶ୍ୱ ସେଲଫ୍‍ରୁ ଟାଇମ୍ ପିସ୍‍ଟି ଚିତ୍କାର କରିଉଠିଲା–ରାତ୍ରି ନଅଟା । ପ୍ରତ୍ୟହ ଏଇ ନଅଟାବେଳେ ପଢ଼ା ବନ୍ଦ କରି ରୋଷେଇରେ ଲାଗିପଡ଼େ ଅରବିନ୍ଦ ।

 

ରାତ୍ରି ନଅଟା । ସର୍ବଜୟା ଉଠିବାର ଉପକ୍ରମ କରୁନି । ବରଂ ବେଳକୁବେଳ ସେମାନଙ୍କର କଥୋପକଥନ ବୃଦ୍ଧି ପାଇବାରେ ଲାଗିଛି । ସମୟ ସମୟରେ ଉଚ୍ଛ୍ୱସିତ ହସର ତରଙ୍ଗ ନିସ୍ତବ୍‍ଧ କୋଠରୀରେ ପ୍ରାଣରସର ସଂଚାର କରୁଚି ।

 

ସେମାନଙ୍କ ହସଭିତରେ ଭାବନାର ବହୁତ ଖୋରାକ ପାଇଯାଇଛି ଅରବିନ୍ଦ । ତା’ର ମନଭିତରର ଅପ୍ରକାଶିତ ଭାଷା ଯେମିତି ରୂପ ପାଇଚି ସର୍ବଜୟାର ସମାଧାନରେ । ତା’ହେଲେ ଶଶାଙ୍କ କ’ଣ...... ? ହୁଏ ତ ତା’ର ଆତ୍ମାଭିମାନ, ବଂଶର ଗୌରବ ହିଁ ଏତକ କରିବାକୁ ତାକୁ ପ୍ରେରଣା ଦେଇପାରିଥାଏ । ନିଜ ଗ୍ରାମର ଜଣେ ସର୍ବହରାର ସନ୍ତାନ ଯେ ଏତେବଡ଼ ସମ୍ମାନର ଅଧିକାରୀ ହେବ...ଆଉ ସାରା ଦେଶଟାରେ ଦିନେ ଯେ ତା’ର ସମ୍ମାନ ବିସ୍ତାର କରିବ, ଏହି ଭୟରେ ହିଁ ଶଶାଙ୍କ ଏମିତି ଦୁଃସାହସ କରିଚି... । ହଠାତ୍‍ ନିଜ ଭାବନାରୁ ବିରତ ହୋଇ ପ୍ରଶ୍ନ କରିଉଠିଲା ଅରବିନ୍ଦ, “ଆଚ୍ଛା, ଜୟା ଦେବୀ । ଆପଣଙ୍କର, ଭଉଣୀମାନେ, ବିଶ୍ୱମାୟା–ସେ କ’ଣ ଏ ବିଷୟରେ କୌଣସି ପ୍ରତିବାଦ କରନ୍ତି ନି ?”

 

ସ୍ତମ୍ଭିତ ହେଲା ସର୍ବଜୟା । ଏଭଳି ଆକସ୍ମିକ ପ୍ରଶ୍ନର ସେ ଯେମିତି ହଠାତ୍ କୌଣସି ଉତ୍ତର ପାଇପାରିଲା ନାହିଁ । ଏଭଳି ପରିସ୍ଥିତି ପୂର୍ବରୁ ଲତା ରୋଷାଇ ଘରକୁ ଯାଇଥିଲା ।

 

“ମୁଁ ଜାଣେ, ଏତେବଡ଼ ସମ୍ମାନକୁ କେହି ହତାଦର କରିପାରନ୍ତିନି... ହଠାତ୍ ଆକସ୍ମିକଭାବେ ପ୍ରାପ୍ତ ଏତେବଡ଼ ସୌଭାଗ୍ୟରୁ ବଂଚିତ ହେବାକୁ ସେ କେବେହେଁ ଇଚ୍ଛା କରି ନ ଥିବେ । ମୋର ଅନୁମାନ କଣ ଅଭ୍ରାନ୍ତ ବୋଲି ଆପଣ ମନେ କରୁଚନ୍ତି ?” ପ୍ରଶ୍ନବାଚକ ଦୃଷ୍ଟିରେ ଜୟାର ମୁଖମଣ୍ଡଳରେ ନିବଦ୍ଧ ହେଲା ଅରବିନ୍ଦର ଦୃଷ୍ଟି ।

 

ଅରବିନ୍ଦର ସେଇ ଚାହାଣୀ...ଇସ୍, କେତେ ଭୟଙ୍କର । ସର୍ବଜୟାର ମନେ ହେଲା, ଏଇ ନିଃସ୍ୱ ସରଳ ଲେଖକର ସେଇ ଚାହାଣୀରେ ସଂଗ୍ରାମକେଶରୀଙ୍କ ଗୌରବ, ଆଭିଜାତ୍ୟ କେତେ ନିଷ୍ପ୍ରଭ ହେଇପଡ଼ିଚି । ସବୁ ହରାଇ ମଧ୍ୟ ଅରବିନ୍ଦ ଯେମିତି ବିଜୟର ଗୌରବ ନେଇପାରିଚି–ଆଉ ବିଶ୍ୱମାୟା ଯେମିତି ହେଇପଡ଼ିଚି ! ମଦ୍ୟହୀନ ପାତ୍ର ।

 

ସର୍ବଜୟାର ଆନତ ମୁଖମଣ୍ଡଳ ଯେମିତି ଉଦ୍ଧତା ବିଶ୍ୱମାୟା ତରଫରୁ କ୍ଷମା ଚାହୁଁଚି ଅରବିନ୍ଦ ନିକଟରେ । ହସିଲା ଅରବିନ୍ଦ...ହସି ହସି କହିଲା, “ମୋତେ କ୍ଷମା କରିବେ, ଜୟାଦେବୀ । ମୁଁ ଜାଣି ନ ଥିଲି, ମୋର ଏଇ ପ୍ରଶ୍ନଟି ତମ ମନରେ ଏତେ ଦୁଃଖ ଦବ ବୋଲି । ”

 

ହଠାତ୍ ନିଜ ପାଟିରୁ ‘ତମେ’ ବାହାରିଯିବା ଫଳରେ ଅବବିନ୍ଦ ଯେତେ ସଂକୁଚିତ ହେଇପଡ଼ୁଥିଲା, ସର୍ବଜୟା କିନ୍ତୁ ସେତେ ଉତ୍‍ଫୁଲ୍ଲ ହେବାଭଳି ଜଣାପଡ଼ିଲା । ତା’ର ମନକାନନ ଏଇ “ତମେ ସମ୍ୱୋଧନରେ ଯେମିତି ଆନନ୍ଦ ଉଦବେଳିତ ହୋଇଉଠିଲା ।

 

ଦୁହିଁଙ୍କର ଏଇ ଅମୀମାଂସିତ ଦ୍ୱନ୍ଦ ଭିତରେ ସମାଧାନର ରେଖା ଟାଣିଲା ଲତା ।

 

–ଜୟା ଅପା ! ଭାତ ଖାଇବା, ଆସ । ଛୋଟ ପିଲାଙ୍କ ଭଳି ସର୍ବଜୟାର ହାତ ଧରି ଟାଣିଲା ଲତା । ଲତାର ସ୍ନେହବନ୍ଧନ ଯେମିତି ସର୍ବଜୟାର ମନକୁ ଦୃଢ଼ ରଜ୍ଜୁରେ ବନ୍ଧନ କରିସାରିଥିଲା । ତା’ର ଏ ଆଦର ଅଭ୍ୟର୍ଥନାକୁ ଯେମିତି ଉପେକ୍ଷା କରିବାର ଶକ୍ତି ପାଇଲା ନାହିଁ ସେ ।

 

ଲତା ପଛେ ପଛେ ଜୟା ସେ କୋଠରୀ ଛାଡ଼ି ଚାଲିଗଲା । କେବଳ ରହିଗଲା ଅରବିନ୍ଦ-। ମନଟି ତା’ର ବେଳକୁ ବେଳ ଭାରାକ୍ରାନ୍ତ ହେଇ ଉଠୁଥିଲା । ସମାଧାନ ବା ପ୍ରତିକାରର କୌଣସି ଉପାୟ ତା’ ମନ ଭିତରେ ପ୍ରବେଶ କରି ପାରୁ ନ ଥିଲା ।

 

–ଇମିତି କଣ ଭାବୁଚ ମ, ଭାଇ । ସେ ଆଡ଼େ ପରା ସିଏ ବସିଚନ୍ତି । ତମେ ଭାତ ଖାଇବ, ଆସ । ଲତାର କୋମଳ ହାତର ସ୍ପର୍ଶରେ ସଂବିତ୍ ପାଇଲା ଅରବିନ୍ଦ... “କଣ କହିଲୁ ?”

 

–ଏଁ ! ମୁଁ ଏତେ କଥା କହିଲେ, ତମକୁ କିଛି ଶୁଭିଲା ନାହିଁ ? କହିଲି ପରା, ସେ ସେଆଡ଼େ ବସିଚନ୍ତି, ତମେ ଭାତ ଖାଇବ ଚାଲ ।

 

–ଜୟା କ’ଣ ସତରେ ଖାଇବ ? ଯେମିତି ଅବିଶ୍ୱାସର ପ୍ରଶ୍ନ ତା’ର ମୁହଁରେ ।

 

–କାହିଁକି ? ଏତେଦିନ ତାଙ୍କ ସାଙ୍ଗରେ ମିଶୁଚ, ସେ ବିଶ୍ୱାସ ତମର କାହିଁକି ଆସୁନି ? ସେ ପରା ବସିଚନ୍ତି, ତମେ ଖାଇସାରିଲେ ଆମେ ଦୁହେଁ ସାଙ୍ଗ ହୋଇ ଖାଇବୁଁ । ଚାଲ ମ ଭାଇ, ସେ କହୁଚନ୍ତି, ଡେରି ହେଲେ କୁଆଡ଼େ ତାଙ୍କ ବାପା ବିଗିଡ଼ିବେ ।

 

ଟେବୁଲ କ୍ଳବରେ ଦଶଟା ବାଜୁଥିଲା । ଅପେକ୍ଷା ନ କରି ଲତାର ପଛେ ପଛେ ମୂକ ଭଳି ଚାଲିଲା ଅରବିନ୍ଦ ।

 

ବାଦ୍ୟଯନ୍ତ୍ରର ଶେଷତାନ ସଙ୍ଗେ ସଙ୍ଗେ ନୂପୁରର ମନମୁଗ୍‍ଧ-କର ସଂଚାର ବନ୍ଦ ହେଲା-। କରତାଳ ଭିତରେ ନଇଁଆସିଲା ପରଦା । ସମସ୍ତଙ୍କ ମୁଖ ପ୍ରଶଂସାମୁଖର ହେଇଉଠିଲା-। ଆଜି ଶଶାଙ୍କବାବୁଙ୍କ ଜନ୍ମଦିବସରେ ନିଜର ବିଶେଷ ନୃତ୍ୟ ମୁଦ୍ରା ଦ୍ୱାରା ଆମନ୍ତ୍ରିତ ଗଣ୍ୟମାନ୍ୟ ବିଶିଷ୍ଟ ନାଗରିକ ତଥା ମନ୍ତ୍ରୀମଣ୍ଡଳର କେତେକ ସଦସ୍ୟଙ୍କୁ ମୁଗ୍‍ଧ କରିଥିଲା ବିଶ୍ୱମାୟା-। ଫଳରେ ମୁଖ୍ୟମନ୍ତ୍ରୀଙ୍କର ବହୁମୂଲ୍ୟ ପଦକ ତା’ର ଗଳା ବେଷ୍ଟନ କରିଥିଲା ।

 

ଏ ସବୁର ଅବ୍ୟବହିତ ପରେ–ଏକ କ୍ଷୁଦ୍ର ବୈଠକରେ ସମ୍ମିଳିତ ମନ୍ତ୍ରୀମଣ୍ଡଳର କେତେକ ସଦସ୍ୟ, ସଂଗ୍ରାମବାବୁ ଓ ଶଶାଙ୍କ ଭିତରେ କୌଣସି ଏକ ଗୁପ୍ତ ବିଷୟରେ ଆଲୋଚନାବେଳେ ହଠାତ୍ ସେ କୋଠରୀଭିତରକୁ ପ୍ରବେଶ କଲା ବିଶ୍ୱମାୟା । ସମସ୍ତଙ୍କର ଚକ୍ଷୁ ଆକର୍ଷିତ କଲା ସେ । ଜଣେ ସଦସ୍ୟ ଚେୟାରରେ ବସିବା ପାଇଁ ବିନୀତ ଅନୁରୋଧ ଜଣାଇଲେ । ସମସ୍ତେ ଯେମିତି ସମ୍ମୋହିତ ହେଇଯାଇଥିଲେ ବିଶ୍ୱମାୟାର ଆଗମନରେ ।

 

କୋଠରୀଟିରେ କିଛି ସମୟ ପାଇଁ ନୀରବତା ଅଖଣ୍ଡ ରାଜତ୍ୱ ବିସ୍ତାର କଲା । ଗୁପ୍ତ ବୈଠକରେ ବିଶ୍ୱମାୟାର ହଠାତ୍ ଉପସ୍ଥିତିର କାରଣ ଜାଣିବାପାଇଁ ସମସ୍ତେ ଉଦ୍‍ଗ୍ରୀବ ହେଇ ପଡ଼ୁଥିଲେ ମଧ୍ୟ କିଛି ନ କହି ନୀରବ ରହିଥିଲେ ।

 

ବିଦ୍ୟୁତ୍‍ର କିରଣ ଖେଳିଗଲା ବିଶ୍ୱମାୟାର ଅଧରରେ । ହଠାତ୍ ଚେୟାରରୁ ଉଠିପଡ଼ି ମୁଖ୍ୟମନ୍ତ୍ରୀଙ୍କ ହସ୍ତକୁ ବଢ଼ାଇଦେଲା ଖଣ୍ଡିଏ କାଗଜ ।

 

ସମସ୍ତଙ୍କର ଚକ୍ଷୁ ସେଇ କାଗଜ ଉପରେ ନିବଦ୍ଧ ହେଲା । ବିଭାଗୀୟ ମନ୍ତ୍ରୀଙ୍କ ହାତକୁ ତାହା ବଢ଼ାଇ ସ୍ୱୀକୃତିର ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । କାହାରି ମୁହଁରେ ପ୍ରତିବାଦର ଚିହ୍ନ ଫୁଟିଉଠିଲା ନାହିଁ । ବିଭାଗୀୟ ମନ୍ତ୍ରୀ ହସ ହସ ମୁଖରେ ସଂଗ୍ରାମବାବୁଙ୍କୁ କହିଲେ, “ବିଶ୍ୱମାୟାଙ୍କର ଏଇ କାର୍ଯ୍ୟ ଶଶାଙ୍କବାବୁଙ୍କ ପ୍ରତି ଯେ ଗଭୀର ସ୍ନେହର ନିଦର୍ଶନ ଏଥିରେ ଅଣୁମାତ୍ର ବି ସନ୍ଦେହ ନାହିଁ । ତେବେ ମୁଁ ଆଜି ଏଇ କ୍ଷୁଦ୍ର ବୈଠକରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ ଆଉ ସହକର୍ମୀମାନଙ୍କ ପକ୍ଷରୁ ଏଇ ଖଣିପଟା, ବିଶ୍ୱମାୟା ଆଉ ଶଶାଙ୍କବାବୁଙ୍କର ବିବାହ ନିର୍ବନ୍ଧ ଉପଲକ୍ଷେ ଉପହାର ଦେଇଛି ।”

 

ଲଜ୍ଜାନମ୍ର ବଦନରେ ସମସ୍ତଙ୍କୁ ଅଭିବାଦନ କରି ଫେରିଆସିଲା ବିଶ୍ୱମାୟା । ସମସ୍ତଙ୍କ ମୁଖରେ ହସର ଝଲକ ।

 

“ବିଶ୍ୱମାୟାଙ୍କର ସାହିତ୍ୟ ଜଗତରେ ଅସୀମ ପଦକ୍ଷେପ ସଙ୍ଗେ ସଙ୍ଗେ ନୃତ୍ୟବିଦ୍ୟାରେ ଯେ ଏତେ ଦକ୍ଷତା ଅଛି, ସେଥିପାଇଁ ଆପଣଙ୍କ ପ୍ରତି ବିଶେଷ ଈର୍ଷା ହୁଏ, ସଂଗ୍ରାମବାବୁ । ବାସ୍ତବିକ ବିଶ୍ୱମାୟାଙ୍କର ପିତା ହିସାବରେ ଆପଣଙ୍କର ଗୌରବ ଖୁବ୍ ଅଧିକ ।

 

“ତାଙ୍କର ସେଇ ଉପନ୍ୟାସଟି ସାହିତ୍ୟ ଏକାଡେମୀ ତରଫରୁ ଶ୍ରେଷ୍ଠ ପୁରସ୍କାର ପାଇବାର ଘୋଷଣା ହେଉଚି । ବାସ୍ତବିକ ତାଙ୍କୁ ଦେଖିଲେ କିଏ ମନେ କରିବ, ସେ ଏତେ ଉପାଦେୟ ପୁସ୍ତକର ରଚୟିତ୍ରୀ ବୋଲି ।” ଅନ୍ୟଜଣେ ସଭ୍ୟ ଅସୀମ ଆଗ୍ରହ ସହକାରେ କହି ପକାଇଲେ ।

 

ଆଉ କେତୋଟି ପ୍ରସ୍ତାବ ପରେ ସେଦିନର ବୈଠକ ଶେଷ ହେଲା । ସେମାନଙ୍କୁ ବିଦାୟ ଦେଇ ଫେରିଆସିଲେ ଶଶାଙ୍କ । ମୁହଁରେ ଆନନ୍ଦର ଢେଉ । ଆଜି ତାଙ୍କର ଦୀର୍ଘଦିନର ଉଦ୍ୟମ ସଫଳ ହେଇଚି । ଆଉ କେତୋଟି ମାସପରେ ଶଶାଙ୍କ ହେବେ ଶ୍ରେଷ୍ଠ ଧନୀ–ଧନର ପାହାଡ଼ ଉପରେ ଛିଡ଼ା ହେବେ ସେ । ବିଶ୍ୱମାୟା-ହଁ...ହଁ, ବିଶ୍ୱମାୟା ହିଁ ଦେଇଛନ୍ତି ତାଙ୍କୁ ସେଇ ସମ୍ମାନ । କିନ୍ତୁ ସେ କ’ଣ କମ୍ ତ୍ୟାଗ କରିଛନ୍ତି ତାଙ୍କ ପାଇଁ ?

 

କୋଳାହଳ ପ୍ରଶମିତ ହେଇସାରିଚି । ନିମନ୍ତ୍ରିତ ଭଦ୍ରବ୍ୟକ୍ତି-ଗଣ ନିଜ ନିଜର ଗନ୍ତବ୍ୟ ପଥରେ ପ୍ରସ୍ଥନ କଲେଣି । ଆଉ କେତେଜଣ ନିଜର କର୍ମକ୍ଲାନ୍ତ ଶରୀରକୁ ନିଦ୍ରାରାଣୀଙ୍କ ପାଖରେ ସମର୍ପଣ କରିସାରିଲେଣି । ବିଦାୟ ନେଲେଣି ସଂଗ୍ରାମକେଶରୀ ଆଉ ତାଙ୍କର ସହଧର୍ମିଣୀ ।

 

ପାହୁଣ୍ଡ ପରେ ପାହୁଣ୍ଡ ଆଗେଇ ଚାଲିଛନ୍ତି ଶଶାଙ୍କଶେଖର । ଏତେଗୁଡ଼ିଏ ଆନନ୍ଦରେ ଆତ୍ମହରା ହେଇପଡ଼ିଚନ୍ତି ସେ । ବେଡରୁମ୍‍ର ସମ୍ମୁଖରେ ପାଦ ତାଙ୍କର ଅଟକିଗଲା । ଭିତରେ ନୀଳ ଆଲୋକର ପ୍ଲାବନ ଯେମିତି ମାୟାର ଇନ୍ଦ୍ରପୁରୀ ସୃଷ୍ଟି କରିଚି । ଅର୍ଦ୍ଧଶାୟିତ ଭାବରେ ପଲଙ୍କ ଉପରେ ଶୋଇରହି ଖଣ୍ଡିଏ ଉପନ୍ୟାସର ପୃଷ୍ଠା ଉପରେ ଚକ୍ଷୁ ନିବଦ୍ଧ କରିଚି ବିଶ୍ୱମାୟା ।

 

କାନ୍ଥ ଘଣ୍ଟାର ଠନ୍ ଠନ୍ ଆଓ୍ୟାଜରେ ଯେମିତି ଏକାଗ୍ରତା କ୍ଷୁର୍ଣ୍ଣ ହେଲା ବିଶ୍ୱମାୟାର । ତା’ର ଦୃଷ୍ଟି ସ୍ୱତଃପ୍ରବୃତ୍ତ ଭାବରେ ଆକୃଷ୍ଟ ହେଲା ଦ୍ୱାରବନ୍ଧ ଆଡ଼କୁ ।

–ଆରେ ! ତମେ ଇମିତି ଛିଡ଼ା ହେଇଚ କାହିଁକି, ଆସ । ନମ୍ର ଭାବରେ କହିଲା ବିଶ୍ୱମାୟା ।

ପଲଙ୍କ ନିକଟକୁ ଆଗେଇଆସୁଥିଲେ ଶଶାଙ୍କ । ବିଶ୍ୱମାୟାର ଆଖିରେ ଆମନ୍ତ୍ରଣର ଇଙ୍ଗିତ ।

ପଲଙ୍କର ଏକ ପାର୍ଶ୍ୱରେ ବସିଲେ ସେ ।

ଶଶାଙ୍କଙ୍କର ଇଚ୍ଛା ହେଉଥିଲା ଗାଢ଼ ଆଲିଙ୍ଗନ ଫାଶରେ ବନ୍ଧନ କରିନିଅନ୍ତେ ବିଶ୍ୱମାୟାକୁ...

ହଠାତ୍ ପଟକ୍ଷେପଣ ହେଲା। କ୍ଷିପ୍ରବେଗରେ ସେଇ କୋଠରୀ ଭିତରକୁ ପଶିଆସିଲା ଜଣେ ଅନିନ୍ଦ୍ୟସୁନ୍ଦରୀ ରୂପସୀ । ଶଶାଙ୍କ ସ୍ୱପ୍ନରାଜ୍ୟରୁ ଫେରିଆସିଲେ ।

–ତନୁଜା...ତମେ ?

–ମୋତେ ଏଭଳି ଅବସ୍ଥାରେ ତୁମେ ଆଦୌ ଆଶା କରିପାରି ନଥିଲ, ନା ? କେମିତି ତମେ ବିଶ୍ୱାସ କରିବ...ଜଣକ ପରେ ଅନ୍ୟ ଜଣେ ତରୁଣୀର ସାନ୍ନିଧ୍ୟ ଲାଭବେଳେ ତମେ କଣ କେବେ ଆଶା କରୁଥିଲ ମୋର ଉପସ୍ଥିତି ?

 

–ତନୁଜା...

 

–ତମର ଜନ୍ମଦିନ ଉପଲକ୍ଷରେ ଯାହାଙ୍କୁ ସାଦର ନିମନ୍ତ୍ରଣ କରିଆଣି ପ୍ରେମିକାର ସମ୍ମାନ ଦେଇଚ, ତାଙ୍କର ଅବସ୍ଥା କଣ ଦିନେ ମୋ ପରି ନ ହେବ ?

 

–କଣ ତମେ କହିବାକୁ ଯାଉଚ ? ଚିତ୍କାର କରି ଉଠୁଥିଲା ବିଶ୍ୱମାୟା ।

 

–ତମ ଶଶାଙ୍କ ବାବୁଙ୍କୁ ପଚାର । ମୋ'ଠାରୁ ତମକୁ ସେ ଭଲ ଭାବରେ ଏହାର ଉତ୍ତର ଦେଇପାରିବେ ।

 

–ଏଟା ପାଗଳର ପ୍ରଳାପଖାନା ନୁହେଁ, ତନୁଜା । ତମେ ଏଠାରୁ ଚାଲିଯାଅ ।

 

–ତନୁଜା ଆଜି କିନ୍ତୁ ଏଠାରୁ ଫେରିଯିବାକୁ ଆସିନାହିଁ, ଶଶାଙ୍କ । ତା’ର କପୋଳରେ ତମେ ଯୋଉ କଳଙ୍କର ଟିପା ଲେପିଦେଇଚ, ତାହାରି ଶେଷ ସମାଧାନ ପାଇଁ ସେ ଆସିଚି ।

 

–ମାନେ... ?

 

–ଏତେ ଶୀଘ୍ର ତମେ ଭୁଲିଗଲ, ଶଶାଙ୍କ । ହେଲେ ତମେ ନିଃସ୍ୱ ଲେଖକ ଅରବିନ୍ଦକୁ ଠକିପାର, କିନ୍ତୁ ବାରିଷ୍ଟର ଅରବିନ୍ଦ ଦାସକୁ ନୁହେଁ ।

 

–ସଟାପ୍...ସଟାପ୍, ଆଇ ସେ ! ଚିତ୍କାର କରିଉଠିଲେ ଶଶାଙ୍କ ।

 

–ସେ ବୃଥା ଚିତ୍କାରର ମୂଲ୍ୟ କିଛି ହେବନି, ଶଶାଙ୍କ । ମୁଁ ଶେଷଥର ପାଇଁ କହିଯାଉଚି...ମୋ ଭିତରେ ତମେ ଯୋଉ ଅନାଗତ କୁସୁମର ଆର୍ବିଭାବ ଖେଳେଇଚ, ସେ ତମକୁ କୌଣସିମତେ ମୁକ୍ତି ଦବନି ।

 

ଝଡ଼ବେଗରେ ଚାଲିଗଲା ତନୁଜା ।

 

ତାହାରି ପଛେ ପଛେ ବିଶ୍ୱମାୟା । ଶଶାଙ୍କର ଚିତ୍କାର ଶୁଣିବାପାଇଁ ବିଶ୍ୱମାୟାର ଧୈର୍ଯ୍ୟ ନ ଥିଲା ।

 

ଗମ୍ଭୀର ଭାବରେ ବସିଥିଲା ବିଶ୍ୱମାୟା । ଗତ ରାତ୍ରିର ଘଟଣା ଚଳଚ୍ଚିତ୍ର ପରି ତା’ର ଚକ୍ଷୁ ସମ୍ମୁଖରେ ପ୍ରବହମାନ ହେଉଥିଲା ।

 

ସେ ବିଶ୍ୱାସ କରି ପାରୁନଥିଲା, ଏ ଭଦ୍ର ସମାଜରେ ଏମିତି, ଭଦ୍ରମୁଖାଧାରୀ ସୈତାନମାନଙ୍କର ଆବିର୍ଭାବ ହୁଏବୋଲି । ସତରେ ସେ କେତେ ବିଶ୍ୱାସ କରୁ ନ ଥିଲା ଶଶାଙ୍କକୁ । କେତେ ଆପଣାର ବୋଲି ଭାବି ନ ଥିଲା ତାକୁ ।

 

ତାହାରି ଉନ୍ନତି ପାଇଁ, ତାକୁଇ ଧନୀକ ସମାଜରେ ଶ୍ରେଷ୍ଠ ଆସନ ଦେବାପାଇଁ ଗୋଟାଏ ନର୍ତ୍ତକୀର ଭୂମିକା ଗ୍ରହଣ କରିବାକୁ ହେଇଥିଲା ତାକୁ ।

 

ଆଉ ନିଜର ହେମଗୌର ତନୁ, ଚାହାଣୀରେ କଟାକ୍ଷ ଆଉ ଓଠରେ ହସର ବଙ୍କିମ ରେଖା ନେଇ ସେ ଛିଡ଼ା ହୋଇଥିଲା ଏ ଦେଶର କର୍ଣ୍ଣଧାରମାନଙ୍କ ଆଗରେ ।

 

ଇସ୍, କେତେ ଭୁଲ୍‍ କରି ନ ଗଲା ସେ ।

 

ଯାହାକୁ ଦେବତା ବୋଲି ଭାବି ନିଜ ଅନ୍ତରର ସମସ୍ତ ନୈବେଦ୍ୟ ଢାଳିଦେବାକୁ ବସିଥିଲା...

 

ଇସ୍ । ଘୃଣାରେ ଦେହ ତା’ର ଶିତେଇଉଠିଲା ।

 

ଯଦି ଠିକ୍ ସମୟରେ ତନୁଜା ପହଞ୍ଚି ନ ଥାନ୍ତା, କଣ ହେଇଥାଆନ୍ତା ସତରେ... ।

 

ସଂଗ୍ରାମକେଶରୀଙ୍କର କନ୍ୟା...ସର୍ବେପରି ସୁଲେଖିକା ବିଶ୍ୱମାୟା ପଟ୍ଟନାୟକ...

 

ହଠାତ୍ ଦୃଷ୍ଟି ତା’ର ସ୍ଥିର ହେଲା ।

 

ନା, ସେ ସ୍ୱପ୍ନ ଦେଖୁ ନାହିଁ, ତାର ଚକ୍ଷୁରେ ଭ୍ରମ ନାହିଁ । ପୁଣି ଥରେ ଚକ୍ଷୁ ମଳିନେଲା ।

 

ନା, ଠିକ୍ ଏଇ ସେ ତନୁଜା... ଯିଏ କାଲି ତା’ର ସର୍ବ-ଶ୍ରେଷ୍ଠ ବନ୍ଧୁତ୍ୱର ସମ୍ମାନ ରଖିଚି । ସଂଗ୍ରାମ କେଶରୀଙ୍କର ଆଭିଜାତ୍ୟକୁ କଳଙ୍କର କାଳିମାରୁ ରକ୍ଷା କରିପାରିଚି ।

 

–ନମସ୍କାର...ନିଜର ଅଜାଣରେ ବି ବିଶ୍ୱମାୟାର ହାତ ଦୁଇଟା ଉପରକୁ ଉଠିଲା ।

 

ପ୍ରତିନମସ୍କାର ଜଣାଇ ଛିଡ଼ା ହେଲା ତନୁଜା । ଚକ୍ଷୁରେ ତା’ର ଲୋତକର ଦାଗ । ହୁଏତ ଶଶାଙ୍କର ତା’ ପ୍ରତି ଅବମାନନା ସେ ସହ୍ୟ କରିପାରିନି ।

 

–ବସ...

 

ଏକ ନିଶ୍ଚଳ ପଥର ପ୍ରତିମା ପରି ଆସନ ଗ୍ରହଣ କଲା ତନୁଜା ।

 

–କାଲି ରାତ୍ରିର ସେଇ ଅଶୋଭନୀୟ ପରିସ୍ଥିତି ପାଇଁ ମୁଁ ତୁମ ପାଖରୁ କ୍ଷମା ଚାହିଁବାକୁ ଆସିଚି, ବିଶ୍ୱମାୟା ଦେବୀ !

 

–ମୋ ପାଖରୁ ! ଚମକିଲା ଭଙ୍ଗୀରେ କହିଲା ବିଶ୍ୱମାୟା ।

 

–ହଁ, ତୁମ ପାଖରୁ । ମୋର କୃତ କର୍ମ ନେଇ ମୁଁ ଯୋଉ ବିପଦର ସମ୍ମୁଖୀନ ହେବାକୁ ଯାଉଚି ସେଥିପାଇଁ ପୂର୍ଣ୍ଣତଃ ଦାୟୀ ମୁଁ । ସେଥିପାଇଁ ଆଉ କାହାରି ପ୍ରାୟଶ୍ଚିତ୍ତ କରିବା ଦର୍କାର ନୁହେଁ-

 

ହସିଲା ବିଶ୍ୱମାୟା । ତମେ ମୋର ପରିଚିତ ନ ଥିଲ; କିନ୍ତୁ ଗତ କାଲି ହଠାତ୍ ତମେ ମୋର ପରିଚିତ ହୋଇ ଯୋଉଁ ଉପକାର କରିଚ, ସେ ଋଣ ମୁଁ ଏ ଜନ୍ମରେ ଶୁଝି ପାରିବିନି, ଭଉଣୀ-! ତନୁଜାର ହାତ ଧରିପକେଇଲା ବିଶ୍ୱମାୟା ।

 

ଉଦ୍ ଗତ ଅଶ୍ରୁର ତରଙ୍ଗ ବାଧା ବନ୍ଧନ ନ ମାନି ଡେଇଁ ଚାଲିଥିଲା ତନୁଜାର ।

 

କାନ୍ଦି କାନ୍ଦି କହିଲା, ଜାଣୁ ଜାଣୁ ମୁଁ ମୋର ସର୍ବନାଶର ବାଟ ଖୋଜିନେଇଚି, ବିଶ୍ୱମାୟା ଦେବୀ । ଠିକ ତୁମରି ପରି ମୋର ଏକ ଦୁର୍ବଳ ମୁହୂର୍ତ୍ତର ପୂର୍ଣ୍ଣ ସୁଯୋଗ ନେଇଥିଲା ଶଶାଙ୍କ । ଆଗପଛକୁ ବିଚାର କରିବାର ଶକ୍ତି ମୋର ସେତେବେଳେ ନ ଥିଲା ।

 

–ଶଶାଙ୍କ କ’ଣ ତମର ଆଗରୁ ପରିଚିତ ଥିଲା ?

 

–ନା'...

 

–ତେବେ...?

 

“ତୁମେ ଜାଣିଥିବ ଲେଖକ ଅରବିନ୍ଦ ମହାପାତ୍ରଙ୍କୁ । ସେ ଥିଲେ ମୋର ପ୍ରାଇଭେଟ ଟିଉଟର । ଅତି ଶାନ୍ତ ଶିଷ୍ଟ ଆଉ ନିରୀହ ଭଦ୍ରଲୋକ ସେ । ଥରେ ତାଙ୍କୁଇ ଦେଖା କରିବାଲାଗି ଆମ ଘରକୁ ଆସିଲେ ଶଶାଙ୍କ ।

 

“ସେଇଠୁ ହେଲା ତାଙ୍କ ସହିତ ବାପାଙ୍କର ପରିଚୟ । ସେ ବୋଧହୁଏ ଅଳ୍ପ ବହୁତ ପରିଚିତ ଥିଲେ ତାଙ୍କ ନିକଟରେ । ସେଇ ପରିଚୟ କ୍ରମେ ନିବିଡ଼ ହେଲା ।

 

“ଥରେ କୌଣସି କାରଣ ନେଇ ସାର୍‍ଙ୍କ ଚରିତ୍ର ସମ୍ପର୍କରେ ବାପାଙ୍କ ପାଖରେ ବହୁତ ବଖାଣିଲେ ଶଶାଙ୍କ । ସରଳ ବିଶ୍ୱାସୀ ବାପାଙ୍କ ମନରେ ପ୍ରଭାବ ଜନ୍ମାଇବାପାଇଁ ଯଥେଷ୍ଟ କ୍ଷମତା ଥିଲା ତାଙ୍କର ।

 

“ଶଶାଙ୍କର ବାକ୍ୟାଳାପରେ ବଶବର୍ତ୍ତୀ ହୋଇ ଅରବିନ୍ଦଙ୍କୁ ଟିଉଟରରୁ ବିଦାୟ ଦେଲେ ବାପା । ଆଉ ତା’ପରେ ଆମ ଘରେ ହେଲା ତାଙ୍କର ଅବାଧ ପ୍ରବେଶ ।

 

“କ୍ରମେ ଏକ ମଧୁମୟ ସୂତ୍ରରେ ସେ ଆମ ଘରେ ସମସ୍ତଙ୍କର ଅତି ପ୍ରିୟପାତ୍ର ହୋଇପଡ଼ିଲେ । ମୋର ବିବାହ ପ୍ରସ୍ତାବ ମଧ୍ୟ ଶଶାଙ୍କ ଅମ୍ଳାନ ବଦନରେ ସ୍ୱୀକାର କରିଥିଲେ ।

 

“ଠିକ୍ ତୁମରି ପରି ଗତବର୍ଷ ତାଙ୍କ ଜନ୍ମ ଉତ୍ସବରେ ମୋର ନାରୀତ୍ୱର ଗୌରବ ସେ ଲୁଣ୍ଠନ କରିନେଇଥିଲେ । ତା'ପରେ ବାରମ୍ବାର ଆମ ଘରକୁ ଯା ଆସ କରିବାକୁ ଲାଗିଲେ ।

 

“ଫଳରେ ମୁଁ ହେଲି ଗର୍ଭବତୀ । ଏ ଖବର ତାଙ୍କୁ ଯୋଉଦିନ ମୁଁ ଜଣାଇଲି, ସେଇଦିନଠାରୁ ସେ ଆମ ଘରକୁ ଯିବାଆସିବା ବନ୍ଦ କରିଦେଲେ ।”

 

–କ’ଣ କହିଲ ! ଯେମିତି ଅକସ୍ମାତ୍ ବଜ୍ରପାତ ହେଲା ବିଶ୍ୱମାୟାର ମସ୍ତକରେ ।

 

“ତମେ ନାରୀ । ଜଣେ ନାରୀ ଆଗରେ ଅନ୍ୟ ଜଣେ ସର୍ବସ୍ୱଲୁଣ୍ଠିତା ନାରୀ କେବେ ଛଳନାର ଆଶ୍ରୟ ନେଇପାରେ ନା, ବିଶ୍ୱମାୟା ଦେବୀ ।

 

“ବାପା ମୋର ଜଣେ ସ୍ୱନାମଧନ୍ୟ ବାରିଷ୍ଟର । ସମାଜରେ ତାଙ୍କର କେତେ ପ୍ରତିପତ୍ତ ଆଉ କେତେ ସମ୍ମାନ, ତମେ ନିଶ୍ଚୟ ଉପଲବ୍ଧି କରିପାରୁଥିବ । ଏପରି ଅବସ୍ଥାରେ ମୁଁ କଣ କରିବି, ମୋତେ ବୁଦ୍ଧି ଦିଅ, ବିଶ୍ୱମାୟା ଦେବୀ !” କଇଁ କଇଁ ହୋଇ କାନ୍ଦୁଥିଲା ତନୁଜା ।

 

ଜଣେ ଅଭିଜ୍ଞତାପୂର୍ଣ୍ଣ ବାଳିକାର କରୁଣ ଆବେଦନ ନିଶ୍ଚଳ ଭାବରେ ବସି ଶୁଣୁଥିଲା ଅନଭିଜ୍ଞା ବିଶ୍ୱମାୟା ।

ବିଶ୍ୱମାୟାର କୋଠରୀକୁ ପଶିଆସି ଇଲେକଟ୍ରିକସକ୍ ଲାଗିଲା ଭଳି ଅଟକିଗଲେ ଶଶାଙ୍କ ।

–ତମେ । ତମେ ପୁଣି ଏଠି ?

–ତାଙ୍କୁ ଏଠାରେ ଦେଖି ତମେ ଚମକିପଡ଼ୁଚ ଯେ ଶଶାଙ୍କ । ବିଦ୍ରୂପର ଇଙ୍ଗିତ ଥିଲା ବିଶ୍ୱମାୟାର କଣ୍ଠରେ ।

–କିନ୍ତୁ ମନେରଖ, ତନୁଜା । ଛଳନା ଆଉ ପ୍ରତାରଣାର ଗୋଟାଏ ସୀମା ଅଛି । ତମେ ଯଦି ଭାବୁଥାଅ ଯେ ଆଖିର ଜଳରେ ଅନ୍ଧ କରି ଅରବିନ୍ଦର ସନ୍ତାନର ପିତୃତ୍ୱ ମୋ ଉପରେ ଜବରଦସ୍ତି ଲଦିଦବ, ସେଇଟା ହବ ତମର ମୂର୍ଖତା ।

–କ’ଣ କହିଲ । ଚିତ୍କାର କରି ଉଠିଲା ତନୁଜା । ଚକ୍ଷୁରୁ ତା’ର ଝରୁଥିଲା ଅଗ୍ନିକଣା ।

–ତମେ...ତମେ ଏ କଥା କହିପାରୁଚା ଏ କଥା କହିବାପାଇଁ ବିବେକ ତମର ତମକୁ ଅନୁମୋଦନ କରୁଚି ?

–ନିର୍ଲଜ୍ଜତାର ଶେଷ ସୀମାକୁ ଚାଲିଯାଅ ନା, ତନୁଜା । ଯୋଉ ଅରବିନ୍ଦର ବ୍ୟକ୍ତିତ୍ୱ ତୁମକୁ ଆକୃଷ୍ଟ କରିଥିଲା, ଯିଏ ତୁମକୁ ରାଜରାଣୀ କରିବାର ଭରସା ଦେଇ ଶକ୍ତ ହସ୍ତରେ ନିଃଶେଷ ମଦ୍ୟପାତ୍ର ପରି ରାଜରାସ୍ତାକୁ ଫୋପାଡ଼ିଦେଲା, ତମେ ତାକୁ ଛାଡ଼ିଦେଇ ଦୁର୍ନାମର ଦ୍ୱାହୀ ଦେଇ ମୋତେ ଶିକାର କରିବାକୁ ବସିଚ, ନା ?

 

–ତମେ ଏତେ ମିଛ କହିପାର ? ନିଜର ଦୋଷକୁ ଘୋଡ଼ାଇଦେବା ପାଇଁ ଏତେ ଛଳନାର ଅବତାରଣା କରିପାର ? ଛି...ଛି, ଜଣେ ବାଳିକାର ଜୀବନ ନଷ୍ଟ କରି ବି ତମର ଆହୁରି ସଦ୍‍ବୁଦ୍ଧି ଆସି ନାହିଁ...ତମେ ଏତେ ନୀଚ...ଏତେ ଘୃଣ୍ୟ ।

 

–ତନୁଜା ।

 

କ୍ଷମା କରିବେ

–କାହିଁକି, କାହିଁକି ତମର ଏ ଅଧୋପତନ ? ଜଣେ ଭଦ୍ରଲୋକର କୁମାରୀ କନ୍ୟାକୁ କୀଟଦଂଷ୍ଟା କରି ତମେ କି ଲାଭ ପାଇଲ ? କୋଉ ସ୍ଵାର୍ଥ ତମର ସେଥିରେ ନିହିତ ଥିଲା ?

 

–ଚୁପ୍‍କର...ଚୁପ୍ କର ତନୁଜା । ଗୋଟାଏ ଚରିତ୍ର ହୀନାର ପ୍ରଳାପ ଶୁଣିବାକୁ ମୁଁ ଆଦୌ ଚାହେଁ ନା ।

 

–ଚ...ରି...ତ୍ର...ହୀନା । ମୁଁ ଚରିତ୍ରହୀନା ?

 

–ଏହା ଗୋଟାଏ ଭଦ୍ରଲୋକର ଘର, ଶଶାଙ୍କବାବୁ । ମୁଁ ଜାଣିଥିଲି, ତମେ ଭଦ୍ର । ଏବେ ବି ତମ ପ୍ରତି ଅସୌଜନ୍ୟ ବ୍ୟବହାର ଦେଖାଇବା ପାଇଁ ଏ ଘର ସମ୍ମତ ନୁହେଁ । ମୋର ଅନୁରୋଧ, ତମେ ତମର ପ୍ରତିଶ୍ରୁତି ଅନୁଯାୟୀ ତନୁଜାଙ୍କୁ ଗହଣ କର । କହିଲା ବିଶ୍ୱମାୟା ।

 

–What ! ଗୋଟାଏ ଚରିତ୍ରହୀନକୁ ଗ୍ରହଣ କରିବାପାଇଁ ତମେ ମୋତେ ପରାମର୍ଶ ଦଉଚ ?

 

–କେବଳ ମୁଁ ନୁହେଁ, ଶଶାଙ୍କବାବୁ । ତମେ ଯଦି ଭାବିଥାଅ ଯେ ସମସ୍ତଙ୍କ ଆଖିରେ ଅନ୍ଧପୋଟଳି ବାନ୍ଧି ତମେ ଏହିପରି ଗୋଟାକ ପରେ ଗୋଟାଏ ବାଳିକାର ସର୍ବନାଶ କରି ଚାଲିଥିବ...ମୁଁ କହୁଚି, ତମେ ନିର୍ମମ ଭାବରେ ଠକିଯିବ, ଶଶାଙ୍କବାବୁ–ନିର୍ମମ ଭାବରେ ଠକିଯିବ-

 

–ଶଶାଙ୍କ କୌଣସି ବାଳିକାର ଦୁର୍ବଳତାର ସୁଯୋଗ ଗ୍ରହଣ କରିନି କି କରିବନି, କିନ୍ତୁ ତନୁଜା, ଜଣେ ଭଦ୍ରଲୋକର କନ୍ୟାହୋଇ ତମର ବିବେକ ତମକୁ ଦଂଶନ କରୁନାହିଁ ? କୋଉ ପ୍ରମାଣ ନେଇ ତମେ ମୋ ବିରୁଦ୍ଧରେ ଏତେବଡ଼ ଷଡ଼ଯନ୍ତ୍ରର ଜାଲ ବିଛେଇଦେବାକୁ ଚାହୁଁଚ ? କାହିଁକି, କାହିଁକି ତମର ଏ ହୀନ ଷଡ଼ଯନ୍ତ୍ର ? ଜଣେ ଚରିତ୍ର ହୀନ ଗୃହଶିକ୍ଷକକୁ ତମ ଘରୁ ବତାଡ଼ିତ କରିଦେଲି ବୋଲି ?

 

କାନ୍ଦିଉଠିଲା ତନୁଜା– “ମୁଁ ଜାଣି ନଥିଲି ଶଶାଙ୍କବାବୁ, ମୋର ଏଇ କ୍ଷୁଦ୍ର ଜୀବନାଟାକୁ ନେଇ ତମେ ଏତେ ଖେଳ ଖେଳିବ ବୋଲି । ବାପା ମାଆଙ୍କର ଅଗାଧ ସରଳତାର ସୁଯୋଗ ନେଇ ତମ ପିପାସା ଚରିତାର୍ଥ କରିବାପାଇଁ ତମେ ନିରୀହ ନିଷ୍କଳଙ୍କ ଅରବିନ୍ଦଙ୍କୁ ଆମ ଘରୁ ବିତାଡ଼ିତ କରିଚ ।

 

“ବାପା ମାଆଙ୍କର ସରଳ ବିଶ୍ୱାସରେ ତମେ ମିଶେଇଚ ହଳାହଳ । ହେଲେ, ତମେ ଭୁଲିଯାଅନି ଶଶାଙ୍କ, ମୁଁ ବାରିଷ୍ଟର ଅରବିନ୍ଦ ଦାସର କନ୍ୟା । ତମର ଏତେବଡ଼ ସୈତାନିକୁ ସେ କେବେ କ୍ଷମା ଦେଇ ପାରିବେନି । “ଦ୍ରୁତ ଗତିରେ ଚାଲିଗଲା ତନୁଜା । ତାହାରି ଆଡ଼ୁ ଦୃଷ୍ଟି ଫେରାଇଆଣି ହସିଉଠିଲେ ଶଶାଙ୍କ ।

 

ଇସ୍, କି ସଂକ୍ରାମକ ସେ ହସ । ସେଇ ଭୟଙ୍କର ହସରେ ଯେମିତି ସଂକ୍ରମିତ ହେଇଗଲା ବିଶ୍ୱମାୟା ।

 

ମୂର୍ତ୍ତିମନ୍ତ ବିଭୀଷିକା ବ୍ୟତୀତ ଏମାନଙ୍କୁ ଅନ୍ୟ କୌଣସି ଆଖ୍ୟା ଦିଆଯାଇପାରେ ନା ।

 

–କାହାକୁ ? ନିର୍ଲିପ୍ତ କଣ୍ଠରେ କହିଲା ବିଶ୍ୱମାୟା ।

 

–ତନୁଜା ଭଳି ଝିଅମାନଙ୍କୁ ।

 

–ଆଉ ତମକୁ ?

 

–ମାୟା ।

 

–ମାୟା ବୋଲି ସମ୍ବୋଧନ କରିବାକୁ ଏ ମହାଭାରତର ଖଣ୍ଡପ୍ରଳୟ ପରେ ତମର ଆହୁରି ସାହସ ଆସୁଚି, ଶଶାଙ୍କ ?

 

–ତମର ମୁଣ୍ଡବିଭ୍ରମ ହେଇପଡ଼ିଚି, ମାୟା । ଅକସ୍ମାତ୍ ଏକ ପ୍ରହେଳିକାର ବଶବର୍ତ୍ତୀ ହୋଇ ତମେ ତମର ସ୍ଥିତି ବି ଭୁଲି ଯାଇଚ ।

 

–ଏଇଟାକୁ ତମେ ପ୍ରହେଳିକାର ଆଖ୍ୟା ଦେଇପାର ?

 

“ଯୋଉ କଥାର ବାସ୍ତବତା ନାହିଁ, ସତ୍ୟତା ବି ନାହିଁ, ସେଭଳି ପ୍ରଳାପକୁ ପ୍ରହେଳିକା ବ୍ୟତୀତ ଆଉ କ’ଣ ଆଖ୍ୟା ଦେବ, ତମେ ଚିନ୍ତା କର । ତମେ ହୁଏତ ଏ ଝିଅଟିର ହିଷ୍ଟ୍ରି ଶୁଣିନ, ମାୟା ! ବାପାମାଅଙ୍କ ଆଖିରେ ଅନ୍ଧପୋଟଳି ବାନ୍ଧି, ଟିଉସନ ପଢ଼ାର ଛଳନାକରି ଗୋଟାଏ ହତଭାଗ୍ୟ ଚରିତ୍ରହୀନ ଲୋକ ସାଙ୍ଗରେ ପ୍ରଣୟ ସୂତ୍ରରେ ଲିପ୍ତ ଥିଲା ।

 

“ଆଉ ମୁଁ ସେଇ ମହାସତୀକୁ ତାର ବାପାମାଆଙ୍କ ଆଗରେ ଉଦ୍‍ଘାଟିତ କରିବା ଫଳରେ ସେମାନେ ନିଜ ଆଖିରେ ଘଟଣା ଦେଖି ତାକୁ ବିତାଡ଼ିତ କରିଦେଲେ । ଆଉ ତା’ର ପ୍ରତିଶୋଧ ସେ ଏହିପରି ଭାବରେ ନବାକୁ ବସିଚି ।"

 

–ତମେ ତା’ହେଲେ ଭଲଭାବରେ ଜାଣିଥିଲ, ସେହି ଚରିତ୍ରହୀନ ଯୁବକ ସହିତ ଏ ପ୍ରଣୟରେ ଲିପ୍ତ ଥିଲା ।

 

–ନିଶ୍ଚୟ !

 

–ଆଉ ତମ ପରି ଜଣେ ସମାନାସ୍ପଦ ଲୋକତାକୁ ଚରିତ୍ରହୀନା ବୋଲି ଜାଣି ମଧ୍ୟ ତା’ର ବାପାମାଆଙ୍କ ଆଗରେ ବିବାହ ପ୍ରସ୍ତାବ ଦେଇଥିଲ ତ ?

 

–ତମେ ହସେଇଲ ମାୟା, ଶଶାଙ୍କ ମହାପାତ୍ର ଏତେ ମିନ୍ ନୁହେଁ ଯେ ଗୋଟିଏ ଚରିତ୍ରହୀନା ପାଇଁ ତା’ର ବାପାମାଆଙ୍କ ଆଗରେ ପ୍ରାର୍ଥୀ ହେବ ।

 

–ଆଉ ଏଇଟା ବି ସତ୍ୟ ଯେ, ଆମ ବଂଶ ସହିତ ମିଶିବାପୂର୍ବରୁ, ମାନେ ଠିକ୍ ଗତ ବର୍ଷ ତମ ଜନ୍ମ ଦିନରେ, ଠିକ୍ ମୋହରି ପରି ତନୁଜା ତମର ନିମନ୍ତ୍ରଣ ରକ୍ଷା କରିବାକୁ ଆସିଥିଲା ।

 

–ମିଥ୍ୟା ।

 

–ଆଉ ଏଇଟା ବି ମିଥ୍ୟା ଯେ, ଠିକ୍ ଗତବର୍ଷ ସେଇ ହତଭାଗ୍ୟ ଟିଉଟର ତମରି ଚକ୍ରାନ୍ତର ଶିକାର ହୋଇ ବିତାଡ଼ିତ ହେଇଥିଲା ।

 

–ଯୋଉଟା ସତ୍ୟ, ସେଇଟା ପ୍ରକାଶିତ କରିଦବାକୁ ତମେ କଣ ଚକ୍ରାନ୍ତ ବୋଲି ଭାବ-?

 

–ଆଉ ଏଇଟା ବି ତମର ମନେ ରଖିବା ଉଚିତ, ତା’ର ବାପା ଜଣେ ସଂକ୍ରାନ୍ତ ବାରିଷ୍ଟର-। ତମ ମୁହଁରୁ ତନୁଜାର ଆଉ ସେଇ ହତଭାଗ୍ୟ ଶିକ୍ଷକର ପ୍ରଣୟ କାହାଣୀ ଶୁଣି ତାକୁ ବିତାଡ଼ିତ କରିବା ପରେ ତନୁଜାକୁ ଆଉ ତା ସହିତ ମିଳାମିଶା କରିବାର କୌଣସି ସୁଯୋଗ ଦେଇ ନ ଥିବେ-

 

–ହୁଏତ ପାରିଥାଆନ୍ତି ।

 

“ତମ ଗତବର୍ଷର ଜନ୍ମଦିନଠାରୁ ଏ ବର୍ଷର ଜନ୍ମଦିନ ମଧ୍ୟରେ ଗୋଟାଏ ବର୍ଷ ଅତିବାହିତ ହେଇଯାଇଚି ନିଶ୍ଚୟ । ବର୍ତ୍ତମାନ ସେ ସାତମାସର ଗର୍ଭବତୀ । ଆଉ ତମେ ଆମ ଘରକୁ, ମାନେ ମୋ ସହିତ ମିଳାମିଶା କରିବାକୁ ଆଗେଇ ଆସିଚ ଠିକ୍ ପାଞ୍ଚମାସ ପୂର୍ବରୁ, ନୁହେଁ ?

 

“ଏକଥା ତମେ ଅସ୍ୱୀକାର କରିପାରିବ ନାହିଁ, ଶଶାଙ୍କ, ଠିକ୍ ଯୋଉ ମୁହୂର୍ତ୍ତରେ ସେ ତା’ର ଏ ଦୁଃସମ୍ବାଦ ତମକୁ ଜଣାଇ ଶୀଘ୍ର ବିଭାଘର ଡ଼ିମାଣ୍ଡ କରିଚି, ଠିକ୍ ସେତିକିବେଳେ ତମେ ଛତ୍ରଭଙ୍ଗ ଦେଇ ମୋ ପିଛା ଧରିଚ ।”

 

–କଥାବାର୍ତ୍ତାରେ ସଂଯମ ରକ୍ଷାକର, ମାୟା ।

 

–ମାନେ, ଠିକ୍ ତମର ଆସନ୍ତା ଜନ୍ମତିଥିକୁ ଯଦି ମୋର ସେମିତି କୌଣସି ଦୁର୍ଭାଗ୍ୟ ଆସେ, ତେବେ ମୋତେ ବି ଚରିତ୍ରହୀନାର ଅପବାଦ ଦେଇ ଅନ୍ୟ ଜଣେ ପ୍ରେୟସୀର ପଣତ ତଳେ ଆତ୍ମଗୋପନ କରିବ–ଏୟା ନା ?

 

–ମାୟା ।

 

–ଜୟା ତମକୁ ଠିକ ଚିହ୍ନିଥିଲା, ଶଶାଙ୍କ । ତମ ଜନ୍ମ ଦିବସରେ ଯୋଗ ଦେବାପାଇଁ ମୁଁ ତାକୁ ଯେତେ ଅନୁରୋଧ କଲି ସେ ନାସ୍ତି କରିଦେଲା । ଆଉ କଣ କହିଲା ଜାଣ ? କହିଲା, ଯୋଉ ଅଗ୍ନିକର ଝାସ ଦେବାପାଇଁ ଶହ ଶହ ପତଙ୍ଗ ଯାଅନ୍ତି, ମୁଁ ତାକୁ ଘୃଣାକରେଁ । ”

 

–ମୁଁ ଜାଣେ ମାୟା, ବାରିଷ୍ଟର ଅରବିନ୍ଦ ଦାସର ଚକ୍ରାନ୍ତ ବୁଝିବାପାଇଁ ତମର ଶକ୍ତି ନାହିଁ-। ତମେ ଠିକ୍ ଏଇ କଥାର ସତ୍ୟତା ଉପଲବ୍ ଧୀ କରିବା ପର୍ଯ୍ୟନ୍ତ ମୁଁ ତମରି ଅପେକ୍ଷାରେ ରହିଲି-। ଚାଲିଗଲା ଶଶାଙ୍କ ।

 

ତା ଆଡ଼ୁ ଦୃଷ୍ଟି ଫେରାଇଆଣି ବିଶ୍ୱମାୟା । ଏକ ଦୀର୍ଘଶ୍ୱାସ ଶୂନ୍ୟରେ ମିଳାଇଗଲା ତା’ର ।

 

ମନ ଭିତରେ ପ୍ରତିବିମ୍ବିତ ହେଉଥିଲା ତନୁଜାର ସେଇ କରୁଣ ମୁଖମଣ୍ଡଳ ।

 

କର୍ଣ୍ଣକୁହରରେ ପ୍ରତିଧ୍ୱନିତ ହେଉଥିଲା ତା’ର ଅସହାୟ ମୁହୂର୍ତ୍ତର କରୁଣ ବିଳାପ ।

 

ଅସହାୟ ଭାବରେ ଚିତ୍କାର କରିଉଠିଲା ବିଶ୍ୱମାୟା । ତନୁଜାର ପ୍ରତିଫଳନ ତାକୁ ଆଶଙ୍କାଗ୍ରସ୍ତ କରି ତୋଳୁଥିଲା ।

 

ଆହା, ବିଚାରୀ...

 

–କ'ଣ ହେବ ତା’ର ଶେଷ ଅବସ୍ଥା ?

 

ଶେଷ ସୁଦ୍ଧା କ’ଣ ଶଶାଙ୍କର ମନ ସେ ପରିବର୍ତ୍ତନ କରିପାରିବ ନାହିଁ ।

 

ବାହାର ପୋର୍ଟିକୋରେ କାର୍ ପାର୍କ କଲା । ଭିତରକୁ, ଆସୁ ଆସୁ ବିମର୍ଷ ମନରେ ବିଶ୍ୱମାୟାକୁ ବସିଥିବାର ଦେଖି ରୁମ୍ ଭିତରକୁ ପଶିଆସିଲେ ସଂଗ୍ରାମକେଶରୀ ।

 

ବିଶ୍ୱମାୟାର ମନର ଦୁଃଖ ସହ୍ୟ କରିପାରନ୍ତିନି ସଂଗ୍ରାମକେଶରୀ । ହଠାତ୍ ଚିର ହର୍ଷୋତ୍‍ଫୁଲ୍ଲା ବିଶ୍ୱମାୟାର ମନରେ ଦୁଃଖର ରେଖାପାତ ଦେଖି ଯେମିତି ଅସ୍ଥିର ହେଇପଡ଼ୁଥିଲେ ସେ ।

 

–ଦେହ କଣ ଭଲ ନାହିଁ, ମାୟା ?

 

ହଠାତ୍ ସଂଗ୍ରାମ କେଶରୀଙ୍କ ନିକଟରେ ସେ ଯେ ଆବିଷ୍କୃତ ହେଇପଡ଼ିବ, ଏ ଧାରଣା ତା’ର ନଥିଲା । ତେଣୁ ନିଜକୁ ଯଥାସମ୍ଭବ । ପ୍ରସନ୍ନ ରଖିବାପାଇଁ ଚେଷ୍ଟା କରି ସେ କହିଲା–‘‘ସକାଳଠାରୁ ଦେହଟା ଆଦୌ ଭଲ ଲାଗୁନି ।”

 

–ଆଚ୍ଛା, ଠିକ୍ ଅଛି, ମୁଁ ଡକ୍ଟର ଦାସଙ୍କୁ କଲ୍ କରୁଚି ।

 

ଯାଉ ଯାଉ ପୁଣି ଫେରିଆସି ବିଶ୍ୱମାୟା ହାତକୁ ଖଣ୍ଡିଏ ଲଫାପା ବଢ଼ାଇ ଦେଉ ଦେଉ ସେ କହିଲେ– “ତୋର ଏ ଚିଠିଟା ନେ ମା, ତୋର ସେଇ ବହିର ପୁରସ୍କାର ଉତ୍ସବ ବାର ତାରିଖରେ ହେଉଛି । ତୋତେ ପୁରସ୍କାର ଆଣିବାପାଇଁ ଅନୁରୋଧ କରାଯାଇଚି । ”

 

ଚାଲିଗଲେ ସଂଗ୍ରାମକେଶରୀ–

 

ସେଇ ଚିଠିଟି ହାତରେ ଧରି ହଠାତ୍ ଯେମିତି କମ୍ପିବାକୁ ଆରମ୍ଭ କଲା ମାୟା । ଏଇ କ୍ଷୁଦ୍ର ପତ୍ରଟିର ଭାରା ସେ ଯେମିତି ସହ୍ୟ କରି ପାରୁ ନ ଥିଲା ।

 

ଟାଇପ କରା ଖଣ୍ଡିଏ କ୍ଷୁଦ୍ର ଚିଠି । ବାପାଙ୍କର କହିବା ଅନୁଯାୟୀ ଚିଠିଟି ଠିକ୍ ଥିଲା ।

 

ମନେ ମନେ ହିସାବ କରିନେଲା ମାୟ–ବାର ତାରିଖ ଆଉ ମାତ୍ର ଦଶଦିନ ।

 

କୋଠରୀ ଭିତରକୁ ପଶିଆସିଲା ସର୍ବଜୟା । ସ୍କୁଲରୁ ଫେରିଆସୁଚି ସେ । ଶନିବାରିଆ ସ୍କୁଲ । ବିଶ୍ୱମାୟା ହାତରୁ ଚିଠିଟି ଟାଣିନେଇ ଆମୂଳଚୂଳ ପଢ଼ିଗଲା ।

 

–ତା’ହେଲେ ବାର ତାରିଖ ଦିନ ତୁ ଆଟେଣ୍ଡ କରୁଚୁ, ଅପା ।

 

–ଆରେ invitation ଆସିଚି, ମୁଁ ଯିବିନି ! ତା’ପରେ ପରା ଲେଖାଅଛି, ନିଜେ ଯାଇ award ଗ୍ରହଣ କରିବାପାଇଁ ।

 

–ମୁଁ ତା ଠିକ୍ ବୁଝି ପାରିଲି; ଅପା । ହେଲେ...

 

–ହେଲେ ? ଆଶ୍ଚର୍ଯ୍ୟ ହେଇ ପଚାରିଲା ବିଶ୍ୱମାୟା ।

 

–ତୁ କ’ଣ ଏ award ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛୁ ?

 

–ଆରେ, ମୋ ବହି award ପାଇଚି, ଆଉ ମୁଁ ତାକୁ ଗ୍ରହଣ କରିବିନି ? ତୁ ଯେ କେମିତି କଥା କହୁ ଜୟା, ମୁଁ ଆଦୌ ବୁଝିପାରେନି ।

 

–ଆଉ ମୁଁ ଯାହା କହୁଚି, ତୁ ହୁଏତ ଠିକ୍ ତାହା ବୁଝିପାରିବୁନି, ଅପା ! ହେଲେ ମୋର ଇଚ୍ଛା, ତୁ ଏ awardଟା ଗ୍ରହଣ କରିବା ଉଚିତ ହବନି । ମୁଁ ଏକଥା କାହିଁକି କହୁଚି ତୁ ଆଗେ ବିବେଚନା କର । ତା’ ପରେ ତୁ ମୋ ମତଟା ଗ୍ରହଣ କରିପାରୁ, ନଚେତ୍ ନାହିଁ ।

 

–ମାନେ ?

 

–ମାନେ, ତୋ ଇଚ୍ଛାତ ମୋ ଦ୍ଵାରା ନିୟନ୍ତ୍ରିତ ନୁହେଁ । ତା’ପରେ ବାପା ଅଛନ୍ତି...ଶଶାଙ୍କବାବୁ ଅଛନ୍ତି । ବିଶେଷତଃ ବାପାଙ୍କ ମତ ଅପେକ୍ଷା ଶଶାଙ୍କବାବୁଙ୍କର ମତଟା ନେବା ତୋର ଅଧିକ ଉଚିତ । ଚାଲିଗଲା ସର୍ବଜୟା ।

 

ଗୋଟିକ ପରେ ଗୋଟିଏ ଘଟଣା ବିଶ୍ଳେଷଣ କରୁଥିଲା ବିଶ୍ୱମାୟା ।

 

ସର୍ବଜୟାର କଥା ତୀରଭାବରେ ଭେଦ କରୁଥିଲା ତାକୁ । ତଥାପି ନିଜ ଭାବନାରେ ନିଜେ ଦୃଢ଼ ରହିଲା ବିଶ୍ୱମାୟା ।

 

ଏତେବଡ଼ ସମ୍ମାନଟାକୁ ସେ ଅସ୍ୱୀକାର କରିପାରିବନି । ଅପ୍ରତ୍ୟାଶିତ ଭାବରେ ଆସିଥିବା ଏତେବଡ଼ ଗୌରବକୁ ତ୍ୟାଗ କରିବାର ଅର୍ଥ କିଛି ହୁଏନା ।

 

ଚିଠିଟାକୁ ଲଫାପା ଭିତରେ ଭର୍ତ୍ତିକରି ଡ୍ରଏର ଭିତରେ ଥୋଇଲା ବିଶ୍ୱମାୟା । ତା’ ପରେ ନିଜର ଭାରାକ୍ଳାନ୍ତ ମସ୍ତକଟାକୁ ଟେବୁଲ ଉପରେ ଲେଟାଇଦେଲା ।

 

ଚିନ୍ତାକ୍ଳିଷ୍ଟ ମନରେ ଘୂରି ବୁଲୁଥିଲେ ବାରିଷ୍ଟର ଅରବିନ୍ଦ ଦାସ । ପୋଖତ ଆଇନଜ୍ଞଙ୍କ ମସ୍ତିଷ୍କରେ ଘୁରି ବୁଲୁଥିଲା ବିକ୍ଷିପ୍ତ ଭାବନା ।

 

ସମ୍ମୁଖରେ ପଡ଼ିଥିଲା ଶଶାଙ୍କର ଏକ ବୃହତ୍ ଲିପି, ଯୋଉଥିରେ ଅଛି ତା’ର ଅକାଟ୍ୟ ଯୁକ୍ତି-ଚରିତ୍ରହୀନ ତନୁଜାକୁ ସେ ବିବାହ କରିବାକୁ ଚାହେଁ ନା ।

 

ତନୁଜା, ତାଙ୍କରି ଜ୍ୟେଷ୍ଠା କନ୍ୟା...ଚରିତ୍ରହୀନା ।

 

ବିଚଳିତ ହେଇପଡ଼ୁଥିଲେ ଅରବିନ୍ଦ ଦାସ । ବଂଶର ଅଭିଜାତ୍ୟ ଯେମିତି ମିଶିଯାଉଥିଲା ମାଟିରେ ।

 

ସେ ଚିନ୍ତା କରି ପାରୁ ନ ଥିଲେ ଶଶାଙ୍କ ଉପରେ ଏତେବଡ଼ ଅପମାନର ପ୍ରତିଶୋଧ କେମିତି ନେବେ ।

 

ସର୍ବୋପରି ତାଙ୍କର ଆଦରଣୀୟା କନ୍ୟା...କ’ଣ ହେବ ତା’ର ଭବିଷ୍ୟତ ?

 

ମହକିଲମାନେ ବାହାରେ ଅପେକ୍ଷା କରିଛନ୍ତି । ପୋଖତ ଆଇନଜ୍ଞ ଅରବିନ୍ଦଙ୍କଠାରେ ସେମାନଙ୍କର ଅଖଣ୍ଡ ବିଶ୍ୱାସ । ତାଙ୍କୁ ନିଜ ପକ୍ଷରେ ପାଇଲେ ବିଜୟ ସୁନିଶ୍ଚିତ ।

 

ଆଉ ଭିତରେ ପରାଜୟର ଗ୍ଳାନି ନେଇ ବିଚଳିତ ହେଇପଡ଼ିଚନ୍ତି ସେ ନିଜେ ।

 

ସେ ବିଶ୍ୱାସ କରି ପାରୁ ନ ଥିଲେ ଶଶାଙ୍କର ଯୁକ୍ତି । ଅରବିନ୍ଦର ଏତେ ସାହସ ହେଇପାରେ ନା ।

 

କିନ୍ତୁ ତନୁଜା...ତା’ର ଦୃଢ଼ ସ୍ୱୀକାରୋକ୍ତ ବିଚଳିତ କରୁଥିଲା ତାଙ୍କୁ । ମିଛ କେବେ କହିପାରେନା ତନୁଜା । ଆଉ ତା’ର ଏଇ ପରିଣତ ପାଇଁ ଦାୟୀ ତ ସେ ନିଜେ ।

 

ଶଶାଙ୍କକୁ ଏତେଟା ବିଶ୍ୱାସ କରିବା ଅନ୍ତତଃ ଅନୁଚିତ ଥିଲା ତାଙ୍କର ।

 

କିନ୍ତୁ ଏବେ ଉପାୟ ?

 

ଶଶାଙ୍କ ପରିଷ୍କାର ମନା କରିଚି....... ମନା କରିଚି, ତନୁଜା ସାଙ୍ଗରେ ତା’ର କୌଣସି ସଂପର୍କ ନ ଥିଲା–ଅରବିନ୍ଦ ସାଙ୍ଗରେ ଗୁପ୍ତ ମିଳାମିଶା କରୁଥିଲା ତନୁଜା ।

 

ସତରେ କ’ଣ ତନୁଜାର ଗୁପ୍ତ ପ୍ରଣୟ ଥିଲା ଅରବିନ୍ଦ ସାଙ୍ଗରେ,

 

ଅରବିନ୍ଦ ଲେଖକ । ତା’ର ଲେଖାରେ ବଳିଷ୍ଠତା ଅଛି । ସେଇଥିରେ ଯଦି ଆକୃଷ୍ଟ ହେଇ ତନୁଜା...

 

ବିଚଳିତ ଭାବରେ ତନୁଜାର ବହିପତ୍ର, ବାକ୍‍ସ, ଡ଼୍ରଏର ସମସ୍ତ ଖେଳେଇବାରେ ଲାଗିପଡ଼ିଲେ ସେ ।

 

ହଠାତ୍ ଏକ ଫଟୋ ତାଙ୍କର ଦୃଷ୍ଟି ଆକର୍ଷଣ କଲା । ସେଇ ଫଟୋରେ ଯୁଗ୍ମ ଭାବରେ ବସିଥିଲେ ଶଶାଙ୍କ ଆଉ ତନୁଜା । ଆଶାର ଆଲୋକ ସଂଚାର ହେଲା ତାଙ୍କ ମନରେ ।

 

ଏପରି ଏକ ଅପ୍ରତ୍ୟାଶିତ ବିପଦର ସମ୍ମୁଖୀନ ଯେ ଶଶାଙ୍କକୁ ହେବାକୁ ପଡ଼ିବ, ଏହା ସେ ଆଦୌ ଆଶା କରି ପାରି ନ ଥିଲା । ବିଶ୍ୱମାୟାର ସୁଗଠିତ ତନୁ, ଅସାମାନ୍ୟ ରୂପ, ସର୍ବୋପରି ସଂଗ୍ରାମକେଶରୀଙ୍କ ବ୍ୟକ୍ତିତ୍ୱ ତାକୁ ଗଭୀର ଭାବରେ ଆକୃଷ୍ଟ କରିଥିଲା ।

 

ସେ ମଧ୍ୟ ଭଲ ଭାବରେ ଜାଣିପାରିଥିଲା ଯେ ସଂଗ୍ରାମକେଶରୀଙ୍କ ପରେ ତାଙ୍କର ଅକଳନ୍ତି ସମ୍ପତ୍ତିର ମାଲିକ ହେବ ସେ ନିଜେ । କିନ୍ତୁ ସବୁ ଭ୍ରଷ୍ଟ କରି ଦେଲା ତନୁଜା । ବିଶ୍ୱମାୟାର ମସ୍ତିଷ୍କରେ ସେ ଯୋଉ ବିଷର ସଂଚାର କରେଇ ଦେଇଗଲା, ତାହା ଯେ ଏତେ ଶୀଘ୍ର ନିର୍ବାପିତି ହେବାର ନୁହେଁ, ତାହା ସେ ଭଲ ଭାବରେ ହୃଦୟଙ୍ଗମ କରି ପାରିଲା ।

 

ତା’ର କିନ୍ତୁ ଦୃଢ଼ ଧାରଣା ଥିଲା, ସଂଗ୍ରାମକେଶରୀଙ୍କ ମତ ସଦାବେଳେ ତା’ ପ୍ରତି ଅନୁକୂଳ ଥିବ । ଶଶାଙ୍କ ବିନା ତାଙ୍କର ଅଗ୍ରଗତି ଅସମ୍ଭବ ।

 

କିନ୍ତୁ ତନୁଜା ?

 

କେମିତି ତାକୁ ତା’ ଗଲା ବାଟରୁ ହଟେଇବାକୁ ପଡ଼ିବ ଚିନ୍ତା କରିପାରୁ ନ ଥିଲା ଶଶାଙ୍କ-। ଯଦି ତନୁଜାର ଆଳରେ ସଂଗ୍ରାମକେଶରୀଙ୍କ ସହିତ ତା’ର ସଂପର୍କ ଛିନ୍ନ ହୋଇଯାଏ ।

 

ଆଉ ଭାବିପାରିଲା ନାହିଁ ଶଶାଙ୍କ ।

 

ନିରାଶାର ସେଇ ଅସୀମ ଅନ୍ଧକାର ମଧ୍ୟରେ ସନ୍ତରଣ କଲା ସେ । ଭିତରେ ଏକ ପ୍ରକାର ଶବ୍ଦ ହେଲା । ଆହୁରି ବିଚଳିତ ହେଇପଡ଼ିଲା ଶଶାଙ୍କ ।

 

ହ୍ୟାଲୋ...ଇଏସ୍ ବସ...ମୁଁ Mr. Z କହୁଚି...କଣ କହିଲେ ? ଆଜି ରାତି ଭିତରେ ଚୋରା ସୁନା ମୋ ପାଖରେ ପହଞ୍ଚିବ ? ଚିନ୍ତା ନାହିଁ । ଏଆଡ଼କାର ବ୍ୟବସ୍ଥା ମୁଁ କରିଚି । ଏ ଚାନ୍‍ସରେ ଅନ୍ତତଃ ଧରା ପଡ଼ିବାର ଆଶଙ୍କା ନାହିଁ । ଥ୍ୟାଙ୍କ୍ ୟୁ ସାର୍ ।

 

ରିସିଭର ରଖିଦେଲା ଶଶାଙ୍କ । ତା'ପରେ କୋଠରୀର ଦ୍ୱାର ଭଲ ଭାବରେ ବନ୍ଦ କରି ବାହାରକୁ ଆଗେଇଆସିଲା ।

 

ତା’ର ମନେ ହେଲା କେହି ଜଣେ ଯେପରି ଚାଲିଗଲା । କ୍ଷିପ୍ର ବେଗରେ ବାହାରକୁ ବାହାରି ଆସିଲା ଶଶାଙ୍କ । ନା, କେହି ନୁହେଁ; ମନର ଭ୍ରମ ।

 

ଦୀର୍ଘଦିନ ଧରି ତା’ର ଏଇ ବ୍ୟବସାୟରେ କେହି ପ୍ରତିବନ୍ଧକ ସୃଷ୍ଟି କରିନାହାନ୍ତି, କରିପାରିବା ମଧ୍ୟ ଅସମ୍ଭବ । ଆଉ ତନୁଜା ? ହାଃ...ହାଃ...ହାଃ । ଉନ୍ମାଦଙ୍କ ଭଳି ହସିଉଠିଲା ଶଶାଙ୍କ ।

 

ତା’ ପରେ କ୍ଷିପ୍ର ବେଗରେ ବାହାରକୁ ବାହାରି ଗଲା ।

 

ଗଭୀର ଅବସନ୍ନ ମନ ନେଇ ଅରବିନ୍ଦଙ୍କ ଘରେ ପାଦ ଦେଲା ସର୍ବଜୟା ।

 

ପଢ଼ାପଢ଼ିରେ ବ୍ୟସ୍ତ ଥିଲେ ଅରବିନ୍ଦ । ସର୍ବଜୟାର ଉପସ୍ଥିତିର କୌଣସି ସଂକେତ ସେ ପାଇ ପାରି ନ ଥିଲେ । ହଠାତ୍ ତାଙ୍କର ଚକ୍ଷୁ ଦିଓଟି ବନ୍ଦ ହେଇଯିବାର ଜାଣି ହସିଉଠିଲେ ।

 

–ଲତା, ତୁ ଏଡ଼େ ଦୁଷ୍ଟ ଧରିଗଲୁଣି । ଟିକେ ପଢ଼େଇଦବୁନି ନା କଣ ?

 

–କ’ଣ ମ ଭାଇ, ମୁଁ ତୁମର କ’ଣ କଲି ? ରୋଷେଇଘରୁ ପାଟିକରି ଦୌଡ଼ି ଆସୁ ଆସୁ ହଠାତ୍ ସର୍ବଜୟାକୁ ଦେଖି ଜିଭ କାମୁଡ଼ିନେଲା ସେ ।

 

ସର୍ବଜୟାର କିନ୍ତୁ କୌଣସି ଭାବାନ୍ତର ନ ଥିଲା । ଲତାକୁ ଦେଖି ଅରବିନ୍ଦଙ୍କ ଆଖିରୁ ହାତ କାଢ଼ିନେଲା ସେ ।

–ଜୟା । ଯେମିତି ଗମ୍ଭୀର ହୋଇଉଠିଲେ ଅରବିନ୍ଦ ।

–କ’ଣ ହେଲା ? ସେ ଖୁସିରେ ତମ ସାଥିରେ ଲାଗିଲେ, ଆଉ ତମେ ମୁହଁକୁ ହାଣ୍ଡିଭଳିଆ କରିଦଉଚ ? ହୁଁ, ତମର ଯେଉଁ ବୁଦ୍ଧି ।

–ମୁଁ କଣ ସେ କଥା କହିଲି ? ହସି ହସି କଥାଟାକୁ ଲାଘବ କରିଦେବାପାଇଁ ଚେଷ୍ଟା କଲେ ଅରବିନ୍ଦ ।

–ହଉ, ତମେ ଥାଅ, ଜୟା ଅପା, ମୁଁ ଚା’ ନେଇ ଆସୁଚି । ଚାଲିଗଲା ଲତା ।

ଅରବିନ୍ଦଙ୍କ ପାଖ ସପ ଉପରେ ବସୁ ବସୁ ସର୍ବଜୟା କହିଲା, “ଆପଣଙ୍କୁ କିନ୍ତୁ ଆଜି ମୋ ସହିତ ଏକମତ ହବାକୁ ପଡ଼ିବ ।”

–ମାନେ... ?

–“କ୍ଷମା କରିବେ” ପାଣ୍ଡୁଲିପି ନେଇ ଆପଣଙ୍କୁ ଏକ ପିଟିସନ ଦାଏର କରିବାକୁ ପଡ଼ିବ-

–କ’ଣ ତମେ କହୁଚ ?

–ମୋର ଇଚ୍ଛା, ଯିଏ ପ୍ରକୃତରେ ସମ୍ମାନର ଅଧିକାରୀ, ତା’ର ସମ୍ମାନ ପାଇବା ଉଚିତ-। ତାକୁ ଉତ୍ସାହିତ କରିବା ଦ୍ୱାରା ନୂଆ ନୂଆ ସାହିତ୍ୟ ଆମ ଦେଶରେ ପରିବେଷିତ ହେବାର ସୁଯୋଗ ଏ ଦେଶ ପାଇପାରିବ ।

 

–ମନରେ କିଛି ଭାବିବ ନାହିଁ, ଜୟା । ଯୋଉଟାକୁ ମୁଁ ଆଦୌ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ, ତୁମେ ସେଇଟାକୁ ବାରମ୍ବାର କହିବାରେ ଲାଗିଚ । ତା’ପରେ, ତମ କଥା ଉପରେ ଗଲେବି ମୋର କୌଣସି ଲାଭ ହେଇପାରିବନି, ଜୟାଦେବୀ । ସେମାନଙ୍କ ସହିତ ଲଢ଼ି ମୋର ନ୍ୟାୟଟାକୁ ମୁଁ ଯେ ପାଇପାରିବି, ଏ ବିଶ୍ୱାସ ମୋର ନାହିଁ ।

 

–ନିଜ ଉପରେ ଆପଣଙ୍କର ବିଶ୍ୱାସ ଥାଉ ବା ନଥାଉ, ମୋ ଉପରେ ଅନ୍ତତଃ ଆପଣଙ୍କର ବିଶ୍ୱାସ ଅଛି । ମୋ’ରି ବିଶ୍ୱାସରେ ଆପଣଙ୍କୁ କିନ୍ତୁ ନିଶ୍ଚିତ ଭାବରେ ଯିବାକୁ ପଡ଼ିବ । ଆଉ ପ୍ରକୃତରେ ଯିଏ ସେଇ ପାଣ୍ଡୁଲିପି ଅପହରଣ କରିଚି, ତା’ରି ଶାସ୍ତି ଯେ କ’ଣ ହେବ ସେ କଥା ଆପଣଙ୍କର ଭାବିବା ଉଚିତ ନୁହେଁ ।

 

–ମାନେ ?

 

ଲତା ଆଣି ଚା ଦୁଇ କପ୍ ରଖିଲା । ଚା’ ପିଉପିଉ ସର୍ବଜୟା କହିଲା, “ଆପଣଙ୍କ ପକ୍ଷରୁ ଯଦି ବି କୌଣସି ପ୍ରତିକାର ନ ହୁଏ, ମୁଁ କିନ୍ତୁ ସେମାନଙ୍କୁ ଏତେ ସହଜରେ ଛାଡ଼ିବି ନାହିଁ, ଅରବିନ୍ଦବାବୁ ।

 

“ଅପା ଆଜି ଏତେ ବଡ଼ ସୁନାମଟା ପାଇ ଛାଡ଼ିବାକୁ ନାରାଜ, କିନ୍ତୁ ପରବର୍ତ୍ତୀ ଅବସ୍ଥା ଯେ କ'ଣ ହେବ ସେଥିପ୍ରତି ସେ ସଚେତନ ନୁହେଁ ।

“ତେବେ ଏଇ କଥା ବି ଆଜି ଅନେକଆଡ଼େ ଆଲୋଚିତ ହେବାର ଲାଗିଚି । ଯେତେବେଳେ ପ୍ରକୃତ ସତ୍ୟର ଉନ୍ମୋଚନ ଲାଗି ପାଠକସମାଜ ଉଦ୍‍ଗ୍ରୀବ ହେଇପଡ଼ିବ, ସେତେବେଳେ କ’ଣ ହେବ ତା’ର ଅବସ୍ଥା ?

“ବାପାଙ୍କର ଏତେ ବଡ଼ ସମ୍ମାନ, ପ୍ରତିପତ୍ତ ମୂଳରେ ଏଇ କଥାଟି ଯେ କିଭଳି ଭାବରେ କୁଠାରାଘାତ କରିବ ତାହା ଆପଣ ଚିନ୍ତା କରିପାରୁଚନ୍ତି ?

–ତମର ଇଚ୍ଛା ଯାହା, ତମେ କରିପାର, ଜୟା । ହେଲେ ମୋତେ ସେ ଭିତରକୁ ଟାଣ ଲାଭ ନାହିଁ ।

–ଲାଭ ବହୁତ ଅଛି, ଆଜ୍ଞା । ଏଇ ପାଣ୍ଡୁଲିପି ଅପହରଣ ମୂଳରେ ଏମିତି ଏକ ରହସ୍ୟ ଜଡ଼ିତ ଅଛି ଯାହା ଉଦ୍‍ଘାଟିତ ହେଲେ ଏ ସହରର ପ୍ରତ୍ୟେକ ନାଗରିକ ଯେ ବିସ୍ମିତ ହେବେ ଏଥିରେ ସନ୍ଦେହ ନାହିଁ ।

...ଆରେ, ଶୁଭଭାଇ, ତୁମେ ? ଆନନ୍ଦରେ ଶୁଭେନ୍ଦୁ ପାଖକୁ ଦୌଡ଼ିଗଲା ଜୟା ।

ବିସ୍ମୟବିମୂଢ଼ ଭାବରେ ଆଗନ୍ତୁକଙ୍କୁ ଅନାଇ ରହିଥିଲେ ଅମରେନ୍ଦ୍ର । ଏଇ ଅପରିଚିତ ଆଗନ୍ତୁକଙ୍କର ଆଗମନ ଆଉ ସର୍ବଜୟା ସହିତ ତାଙ୍କର ପରିଚୟ ଯେମିତି ବିସ୍ମୟର ଅତଳ ଗର୍ଭକୁ ଟାଣି ନେଉଥିଲା ତାଙ୍କୁ ।

 

–ଏ ହେଉଚନ୍ତି ମୋର ମାଉସୀପୁଅ ଭାଇ–ଜଣେ ତ୍ରିମିନୋଲୋଜିଷ୍ଟ । ନାମ ହେଉଚି, ଶୁଭେନ୍ଦୁ କୁମାର ଦାସ ।

 

ନମସ୍କାର ଜଣେଇଲେ ଅରବିନ୍ଦ । ହସ ହସ ମୁହଁରେ ପ୍ରତିନମସ୍କାର ଜଣେଇଲେ ଶୁଭେନ୍ଦୁ ।

 

–ତା’ପରେ... ? ଜୟାଆଡ଼କୁ ଚାହିଁ କହିଲେ ଶୁଭେନ୍ଦୁ ।

 

–ଅନ୍ୟ ଖବର ତୁମ ପାଖରେ । ଏଠାକାର ଖବର ତ ଏଇ ଦେଖୁଚ...ମାନେ, ଲେଖକ ମହାଶୟ ଏକାବେଳେ ବୀତସ୍ପୃହ ।

 

–ମାନେ... ?

 

–ମାନେ ଆଉ କ’ଣ, ସେ ପାଣ୍ଡୁଲିପି ଅପହରଣ, ସମ୍ପର୍କରେ କୌଣସି ଆକ୍‍ସନ୍ ନେବାକୁ ଚାହାନ୍ତିନି । ମାନେ, ନିଜ ଉପରେ ପ୍ରତିଶୋଧ ନେଇ ଲେଖାଲେଖିରେ ଏକବାର ପୂର୍ଣ୍ଣଚ୍ଛେଦ ।

 

–ଆକ୍‍ସନ୍ ନେଇ ଲାଭ ଆଉ କ’ଣ ହେବ ଆଜ୍ଞା ? ସଂକ୍ରାନ୍ତ ଘରର ଝିଅଟାକୁ କୋର୍ଟ କଚେରୀକୁ ଟାଣିବା ମୋ ପକ୍ଷେ ନିହାତି ଅସମ୍ଭବ । ଆପଣ ନିଶ୍ଚିତ ଭାବରେ ବୁଝୁଥିବେ ସେଇ ଝିଅଟିର ଭବିଷ୍ୟତ କ’ଣ ହେବ ।

 

ନିର୍ବାକ ଭାବରେ ଶୁଭେନ୍ଦୁ ଚାହିଁଥିଲେ ଅରବିନ୍ଦଙ୍କ ମୁହଁକୁ । ଦୟା, କ୍ଷମା ଆଉ ଉଦାରତାର ଯେମିତି ସେ ଦେଖାଯାଉଥିଲେ ଅସରନ୍ତି ପାରିବାର ।

 

ଅରବିନ୍ଦଙ୍କ କଥା ମିଥ୍ୟା ନୁହେଁ । ସେ ପିଟିସନଟିଏ ଦାଏର କରିଦେବା ମାନେ, ସଂଗ୍ରାମକେଶରୀଙ୍କ ବ୍ୟକ୍ତିତ୍ୱ ଉପରେ ସୁନିଶ୍ଚିତ ଭାବରେ ଆଞ୍ଚ ଆସିବ ।

 

ଆହୁରି ବିସ୍ମିତ ହେଇପଡ଼ୁଥିଲା ସର୍ବଜୟା । ପ୍ରକୃତରେ କେଡ଼େ ପବିତ୍ର, କେଡ଼େ ଉଦାରଚେତା ଏଇ ଭାଗ୍ୟହୀନ ଲେଖକ–ନିଜର ଏତେବଡ଼ ସମ୍ମାନ ଓ ଅର୍ଥଲାଭକୁ କେବଳ ଗୋଟିଏ ଝିଅର, ଗୋଟିଏ ସମ୍ଭ୍ରାନ୍ତ ବଂଶର ମାନସମ୍ମାନ ବଜାଏ ରଖିବାଲାଗି ପରିତ୍ୟାଗ କରୁଚି ।

 

ମୋ କଥା ଆପଣମାନେ ଠିକ୍ ଭାବରେ ବୁଝିପାରୁଥିବେ, ଆଜ୍ଞା । ଏଥର ଆପଣମାନେ ହିଁ ଆପଣଙ୍କ ପ୍ରଶ୍ନର ଉତ୍ତର ଖୋଜିନିଅନ୍ତୁ ।

 

–ପ୍ରକୃତରେ ଆପଣଙ୍କୁ ମୁଁ କିଭଳି ଭାବରେ ଯେ କୃତଜ୍ଞତା ଜଣେଇବି ଜାଣିପାରୁନି, ଅରବିନ୍ଦବାବୁ । ତେବେ ଆଜି ମୋର ସ୍ପଷ୍ଟ ମନେହେଲା, ଦରିଦ୍ରତା ଭିତରେ ହିଁ ମନୁଷ୍ୟର ମହତ୍ୱ ଫୁଟିଉଠେ । ଦରିଦ୍ରତା ଭିତରେ ହିଁ ମୋହନୀୟତା ଆତ୍ମଗୋପନ କରିଥାଏ ।

 

–ତା’ ହେଲେ ଏହିଭଳି ଭାବରେ ଗୋଟିଏ ଝିଅର ସମ୍ମାନ ରକ୍ଷା କରିବା ଲାଗ ଆପଣ ଏତେ ବଡ଼ ସ୍ଵାର୍ଥ ତ୍ୟାଗ କରିଦେବେ ?

 

–ସ୍ଵାର୍ଥ ପାଇଁ ମୁଁ ଲଳାୟିତ ନୁହେଁ, ଜୟାଦେବୀ । ମୁଁ ଜାଣିଚି, ଦରିଦ୍ରତା ଯାହାର ସମ୍ବଳ ସେ ପ୍ରକୃତରେ ନ୍ୟାୟ ପାଇବାକୁ ହକ୍‍ଦାର ନୁହେଁ ।

 

–ଆପଣ ଭୁଲ ବୁଝୁଚନ୍ତି, ଆଜ୍ଞା, ନ୍ୟାୟ ଧନୀଦରିଦ୍ର ବିଚାର କରେ ନା । ତେବେ ଛାଡ଼ନ୍ତୁ, ଏତେ କଥା ଆଲୋଚନା କରି ଲାଭ ନାହିଁ ।

 

–ସେ ଯାହାହଉ, ଅରବିନ୍ଦବାବୁ ଏ କଥା ପ୍ରକାଶ ନ କଲେ ବି କଥାଟା ଯେ ଅଛପା ରହିଯିବ, ଆଦୌ ନୁହେଁ । ବରଂ ଶୁଭଭାଇ, ଚିନ୍ତା କରି କୁହନ୍ତୁ, କିଭଳି ପଦକ୍ଷେପ ନେଲେ ସମସ୍ତେ ନିରାପଦ ହେବେ ।

 

–ତେବେ ବିଶ୍ୱମାୟା ଦେବୀ ଏ ବିଷୟରେ ସତେତନ ରହିବା ଉଚିତ । ଅନ୍ୟ ଜଣକର ସମ୍ମାନକୁ ସେ ନିଜସ୍ୱ କରିନେଇ ବିଜ୍ଞାପନ ଦେବା ଅନ୍ତତଃ ଉଚିତ ହେଉନି ।

 

–ମୁଁ କିନ୍ତୁ ଅପାକୁ ବହୁତ ପ୍ରକାର ବୁଝେଇଚି, ଆଜ୍ଞା, ହେଲେ ସେ ତା’ର ନିଷ୍ପତ୍ତିରେ ଅଟଳ । ତେବେ ଶୁଭଭାଇ, ଆପଣ ଯଦି ଚେଷ୍ଟା କରନ୍ତି...

 

–ମୋ ପକ୍ଷରୁ କଥାଟା ଗଲେ ନିହାତି ଅସୁନ୍ଦର ହେଇପଡ଼ିବ ଜୟା । ତେବେ ମୁଁ ଅନ୍ତତଃ ଚେଷ୍ଟା କରିବି । କାଲି ପୂର୍ବରୁ ସେ ଯଦି ତା’ର ନିଷ୍ପତ୍ତି ନ ବଦଳାଏ, କଥାଟା କିନ୍ତୁ ସାଂଘାତିକ ଆକାର ଧାରଣ କରିବ ।

 

–ମାନେ ?

 

–ପହର ଦିନ, ଅର୍ଥାତ ବାର ତାରିଖରେ ସେହି ବହିର ଲେଖକଙ୍କୁ ଏଓ୍ୱାର୍ଡ ମିଳିବାର ସ୍ଥିର ହୋଇଚି । ସେଇ ମର୍ମରେ, ସେଇ ସଭାରେ ଆଟେଣ୍ତ କରି ଏଓ୍ୱ୍ୟାର୍ଡ଼ ଆଣିବା ପାଇଁ ବିଶ୍ୱମାୟା ପାଖକୁ ନିର୍ଦ୍ଦେଶ ଆସିଚି ।

 

ଲକ୍ଷ୍ୟ କଲେ ଶୁଭେନ୍ଦୁ–ଅରବିନ୍ଦଙ୍କ ମୁଖମଣ୍ଡଳ ହଠାତ୍ ଯେମିତି ପରିବର୍ତ୍ତନ ହୋଇଗଲା-। ନିଜର ଦୁଃଖକୁ ସେ କିନ୍ତୁ ଅପ୍ରକାଶ୍ୟ ରଖିଦେଲେ ଏକ ହସ ଦ୍ଵାରା ଯାହାକି ଶୁଭେନ୍ଦୁଙ୍କ ଆଖିକୁ ଫାଙ୍କି ଦେଇ ପାରିବି । ଏଥିରେ କି ପ୍ରକାର ସେ ସାହାଯ୍ୟ କରିପାରିବେ, ତାହାହିଁ ଚିନ୍ତା କରି କୌଣସି ଏକ ସ୍ଥିର ନିଷ୍ପତ୍ତିରେ ପହଞ୍ଚି ପାରିଲେ ନାହିଁ ସେ ।

 

ସର୍ବଜୟାର ଇଂଗିତରେ ଲତା ଚା’କପ୍ ଆଣି ଶୁଭେନ୍ଦୁଙ୍କୁ ବଢ଼ାଇଦେଲା ।

 

–ଅରବିନ୍ଦବାବୁଙ୍କ ଭଉଣୀ ଲତା । ଭାରି ସୁନ୍ଦର ଝିଅଟିଏ ।

 

ଲଜ୍ଜାନମ୍ର ମୁଖରେ ହସର ଅରୁଣିମା ଟାଣି ଶୁଭେନ୍ଦୁଙ୍କୁ ନମସ୍କାର ଜଣାଇଲା ଲତା । ଲତା ଉପରୁ ସସ୍ନେହ ଦୃଷ୍ଟି ଫେରାଇ–ଆଣି ସେ କହିଲେ, “ଭାଇ ଭଉଣୀ ଦୁହେଁ କିନ୍ତୁ ଏକ ଉପାଦାନରେ, ଗଢ଼ା ।

 

“ଆଚ୍ଛା, ଆମେ ଯାଉଚୁଁ, ଅରବିନ୍ଦବାବୁ । ଆପଣଙ୍କ ପାଣ୍ଡୁଲିପିଟି ପାଇଁ ମୋର କିନ୍ତୁ ଚିନ୍ତା ଅଧିକ । କାଲି ଲତାଙ୍କ ହାତରୁ ଟିଫିନ ଖାଇବାକୁ ଆମେ ଭାଇ ଭଉଣୀ ଦୁହେଁ ଆସୁଚୁଁ । “

 

ସେମାନଙ୍କୁ ବଳାଇଦେଇ ଫେରିଆସିଲେ ଅରବିନ୍ଦ । ସରସ ମୁଖମଣ୍ଡଳରେ ଦୁଃଖର କଳା ବଉଦ ଛାଇ ଯାଇଥିଲା ତାଙ୍କର । ମନେ ମନେ ପ୍ରତିଧ୍ୱନିତା ହେଉଥିଲା–ବାର ତାରିଖରେ “କ୍ଷମା କରିବେ“ ଏଓ୍ୱାର୍ଡ ଦିବସ ।

 

ପୁଣି କବାଟରେ ନକ୍ ହେବାର ଶବ୍ଦ ଶୁଭିଲା । କବାଟ ଖୋଲିଦେଇ ଯାହାଙ୍କୁ ଦେଖିଲେ, ଅତ୍ୟଧିକ ବିସ୍ମିତ ହେଇପଡ଼ିଲେ ସେ ।

 

ରୁକ୍ଷ କେଶ, ବିଷର୍ଣ୍ଣ ମୁଖମଣ୍ଡଳ ନେଇ ପଶିଆସିଲେ ଅରବିନ୍ଦବାବୁ । ବାରିଷ୍ଟର ଅରବିନ୍ଦ–ଯିଏ ଦିନେ ଶଶାଙ୍କର କଥାରେ ପଡ଼ି ଚରିତ୍ରହୀନ ଆଖ୍ୟା ଦେଇ ଟିଉସନରୁ ଅନ୍ତର କରିଥିଲେ ତାଙ୍କୁ ।

 

ସେ ଦିନର ସେଇ ଆଭିଜାତ୍ୟର ଇଂଗିତ, ଦାମ୍ଭିକତାର ଚାହାଣୀ ବିଲୁପ୍ତ ହୋଇଥିଲା ଯେମିତି ବିଷର୍ଣ୍ଣ ମୁଖମଣ୍ଡଳରେ ।

 

–ମୋତେ କ୍ଷମା କରିବ, ଅରବିନ୍ଦ । ନ ଜାଣି ନ ଶୁଣି ମୁଁ ଯୋଉ ଭୁଲ୍‍ କରିଥିଲି, ସେଇ ଭୁଲ୍‍ ପାଇଁ ଅନୁତପ୍ତ ହୃଦୟରେ ମୁଁ କ୍ଷମା ଚାହିଁବାକୁ ଆସିଚି, ଅରବିନ୍ଦ । କହୁଁ କହୁଁ ଯେମିତି ଚକ୍ଷୁ ଦୁଇଟି ତାଙ୍କର ଲୋତକପୂର୍ଣ୍ଣ ହେଇଉଠିଲା ।

 

ହଠାତ୍ ତାଙ୍କର ଏମିତି ପରିବର୍ତ୍ତନର ବିନ୍ଦୁ ବିସର୍ଗ ସୁଦ୍ଧା ବୁଝିବାର କ୍ଷମତା ନ ଥିଲା ଅରବିନ୍ଦର । ମୂକଙ୍କ ଭଳି ସେ କେବଳ ଚାହିଁ ରହିଥିଲା ତାଙ୍କର ମୁଖମଣ୍ଡଳକୁ ।

 

–ତମର ବାପା ନିଶ୍ଚୟ ମୋ ବୟସର । ତେଣୁ ମୁଁ ଯଦି ତୁମର ବାପ ହିସାବରେ କ୍ଷମା ମାଗେଁ, ମୋତେ କଣ କ୍ଷମା ଦେବନାହିଁ ? କୁହ, କୁହ ଅରବିନ୍ଦ । ଅରବିନ୍ଦର ହାତକୁ ଧରି ବିନୟ ଭାବରେ ଚାହିଁ ରହିଲେ ସେ ।

 

ସେଇ ଅଶ୍ରୁ ସଜଳ ମୁଖମଣ୍ଡଳ...

 

–ମୋ ପାଖରେ ଆପଣ କ୍ଷମା ମାଗିବେ, ଆଜ୍ଞା । ମୋତେ ବରଂ ଆପଣ କ୍ଷମା ଦବାର ଯୋଗ୍ୟ ।

 

ଲୋତକସିକ୍ତ ମୁଖମଣ୍ଡଳରେ ଖେଳିଉଠିଲା ହସର ଝଲକ । ମୁଁ ଜାଣେ, ତମ ହୃଦୟ ଉଦାର ଆଉ ମହାନ । ସେଇ ଭରସା ରଖି ମୋର ଏଭଳି ଏକ ଦୁର୍ଦ୍ଦିନରେ ତମ ପାଖକୁ ଆସିଥିଲି-। ମୁଁ ଜାଣେ, ତମେ ନିଶ୍ଚୟ ସାହାଯ୍ୟ କରିବ ।

 

–ମୁଁ ସାହାଯ୍ୟ କରିବି, ପୁଣି ଆପଣଙ୍କୁ । ଯେମିତି ଅବିଶ୍ୱାସର ଇଂଗିତ ଅରବିନ୍ଦର ମୁଖମଣ୍ଡଳରେ ।

 

–ସାହାଯ୍ୟ ନୁହେଁ ଅରବିନ୍ଦ, ମୁଁ ଚାହେଁ ତମ ନିକଟରୁ ଭିକ୍ଷା ।

 

ଯେମିତି ଆକାଶରୁ ଖସିପଡ଼ିଲା ଅରବିନ୍ଦ । ଲକ୍ଷପତି ଅରବିନ୍ଦ ଦାସଙ୍କର ପୁଣି ଜଣେ ଦୀନହୀନ ଲୋକ ପାଖରୁ ଭିକ୍ଷା ।

 

–ଆପଣ ମୋତେ ଉପହାସ କରୁନାହାନ୍ତି ତ ?

 

“ଉପହାସ । ଲକ୍ଷପତି ବାରିଷ୍ଟର ହିସାବରେ ମୁଁ ତମ ପାଖରୁ ଭିକ୍ଷା ଚାହିଁବାକୁ ଆସିନାହିଁ, ଅରବିନ୍ଦ । ମୁଁ ଆସିଚି ତମ ପାଖରୁ ପୁତ୍ରତ୍ୱ ଭିକ୍ଷା ନେବାଲାଗି । ମୁଁ ଆସିଚି ତମ ଉଦାର ହୃଦୟର ଭିକ୍ଷା ଲାଗି ।

 

“କୁହ ଅରବିନ୍ଦ, ମୋର ଭିକ୍ଷା ତୁମେ ପୂର୍ଣ୍ଣ କରିବ; ମୋର ରିକ୍ତ ପସରାରେ ତମେ ଅଜାଡ଼ିଦେବ ତମ କରୁଣାର ଭିକ୍ଷା ।’’

 

ଅରବିନ୍ଦ ନିକଟରେ ଏକ ବିରାଟ ପ୍ରହେଳିକା ନେଇ ଯେମିତି ଛିଡ଼ା ହୋଇଥିଲେ ବାରିଷ୍ଟର । ସେ ଏ ଘଟଣାରୁ ବିନ୍ଦୁବିସର୍ଗ ବୁଝିବା ଭଳି ବି ସକ୍ଷମ ହୋଇ ପାରି ନଥିଲା ।

 

–ଆପଣଙ୍କୁ ବୁଝିବା ଭଳି ଶକ୍ତି ମୋର ନାହିଁ । ଅଯଥା ଆପଣ ମୋତେ ଭାରାକ୍ରାନ୍ତ କରୁଚନ୍ତି ।

 

“ତମେ ଲେଖକ । ମୋର ଏଇ ଘଟଣାଟି ତମେ ରୂପ ଦେଲାବେଳେ କଣ କିଛି ଚିନ୍ତା କରିବନି, କୋଉ ପରିସ୍ଥିତି ନେଇ ମୁଁ ଆଜି ଛିଡ଼ାହେଇଚି ? ନା, ତମେ ବୁଝିପାରିବନି ଅରବିନ୍ଦ, ତମେ ଅତି ସରଳ, ଏ ଜଟିଳ ଦୁନିଆରେ ଭରି ରହିଥିବା ପ୍ରତାରକ, ବିଶ୍ୱାସଘାତକମାନଙ୍କଠାରୁ ବହୁତ ଦୂରରେ...

 

“ମୁଁ ଜାଣେ, ମୁଁ ତମ ପାଖରେ ଯୋଉ ଅପରାଧ କରିଚି ତାହା ଅକ୍ଷମଣୀୟ । ଆଉ ମୁଁ ଯୋଉ ଭିକ୍ଷା ତମ ପାଖରୁ ମାଗିବାକୁ ଆସିଚି, ସେଥିପାଇଁ...ନା...ନା...ମୋତେ ତୁମେ କୁହ ଅରବିନ୍ଦ, ଏ ସ୍ଥବିର...ବୃଦ୍ଧର ଆକୁଳ ଆବେଦନ ତମେ ଗ୍ରହଣ କରିବ କି ନା ?"

 

–ଆପଣ ମୋତେ ବେଳକୁ ବେଳ ଅତ୍ୟଧିକ ପ୍ରହେଳିକ । ମଧ୍ୟରେ ପକେଇବାକୁ ଚେଷ୍ଟା କରୁଛନ୍ତି, ସାର । କୁହନ୍ତୁ, ମୁଁ ଆପଣଙ୍କର କିଭଳି ସେବା କରିପାରେଁ ?

 

‘‘ମୁଁ ଜାଣେ, ତମେ ମୋତେ କେବେ ରିକ୍ତ ହସ୍ତରେ ଫେରେଇଦେବ ନାହିଁ । ତମର ହୃଦୟ ଅଛି; ଦୟା, ମାୟା, କ୍ଷମାର ଅସରନ୍ତି ଉତ୍ସରେ ପରିପୂର୍ଣ୍ଣ ତୁମେ । ନା, ନା, ତମେ ବର୍ତ୍ତମାନ କେବଳ ଏତିକି ଜାଣ, ତମ ପାଖରୁ ମୁଁ ଯାହା ଭିକ୍ଷା ଚାହିଁବାକୁ ଆସିଚି, ଏ ପର୍ଯ୍ୟନ୍ତ ତମେ ସେହି ଭିକ୍ଷା ଦେବାକୁ ସକ୍ଷମ ଅଛ ।

 

“ମୋର ଅନୁରୋଧ, ତମେ କାଲି ସକାଳେ ଆସ ଘରକୁ ଆସିବ । ଏ ମର୍ମାହତ ବୃଦ୍ଧ ତମର ଅପେକ୍ଷାରେ ବସିଥିବ ।’’

 

ଚାଲିଗଲେ ବାରିଷ୍ଟର ଅରବିନ୍ଦ । ତାଙ୍କରି ଗତିପଥକୁ ନିର୍ବୋଧଙ୍କ ଭଳି ଚାହିଁ ରହିଥିଲା ଅରବିନ୍ଦ । ଆଉ ଅରବିନ୍ଦର ମନସ୍ତତ୍ତ୍ୱ ଷ୍ଟଡ଼ି କରିବାରେ ଲାଗିପଡ଼ିଥିଲା ଲତା ।

 

–ପୁଣି ଥରେ ତମର ଏଇ ଅଟ୍ଟାଳିକାରେ ମୋର ଆଗମନକୁ ତମେ କେମିତି ବିଶ୍ୱାସ କରିଥିଲ, ଶଶାଙ୍କ । କୋଉ ବିଶ୍ୱାସରେ ଏଠାକୁ ଆସିବାପାଇଁ ଫୋନରେ ତୁମେ କଲ୍ କରିଥିଲ ?

 

–କାହିଁକି, ମୋର କଣ ତମ ଉପରେ ବିଶ୍ୱାସ ନାହିଁ ବୋଲି ତମେ ଭାବୁଥିଲ ? ହସି ହସି କହିଲା ଶଶାଙ୍କ ।

 

–ବିଶ୍ୱାସ ଅବିଶ୍ୱାସର ପ୍ରଶ୍ନ ନାହିଁ । ଇମିତି ଅସମୟରେ ମୋତେ ତୁମେ ଡାକିବାର ଉଦ୍ଦେଶ୍ୟ କଣ ?

 

–ଉଦ୍ଦେଶ୍ୟ ତ ନିଶ୍ଚୟ ଅଛି । ତେବେ ଆମର ଯୋଉ ପ୍ରସ୍ତାବ ଥିବ...ମାନେ, ଆଜି ସଂଗ୍ରାମବାବୁ ମୋ ସହିତ ପରାମର୍ଶ କରିବାକୁ ଚାହୁଁଥିଲେ, ମୁଁ ତାଙ୍କୁ କହିଚି, ତମଠାରୁ ଉତ୍ତର ନେଇ ତାଙ୍କୁ ଦିନ ନିରୂପଣ କରିବା ପାଇଁ କହିବି ।

 

–ମୋର ଉତ୍ତର ତାଙ୍କୁ ଜଣାଇବାକୁ କହି ବହୁତ ଉପକାର କରିଚ, ଶଶାଙ୍କ । କିନ୍ତୁ ତମେ ଥରେ ଚିନ୍ତା କର । ତା’ ପରେ ତମର ମଧ୍ୟସ୍ଥ ହେଲା ମୁଁ ପୁଣି ଥରେ ଅରବିନ୍ଦବାବୁଙ୍କ ଘରକୁ ଯିବି । ଇମିତି ଭୁଲ୍‍ ବି ଥରେ ଥରେ ହେଇଯାଏ ଶଶାଙ୍କ, ତାକୁ ସଜାଡ଼ିନେଲେ କଥାଟା ଖୁବ୍ ସୁନ୍ଦର ହେବ ।

 

–ମୋତେ ତୁମେ ପରିହାସ କରୁଚ, ମାୟା ?

 

–ଯୋଉଟା ସତ, ସେଇଟା ମୁଁ କହୁଚି । ତନୁଜା ଥାଉଁ ଥାଉଁ ମାୟାର ସ୍ଵପ୍ନ ଦେଖି ତମେ ନିଜର ଭବିଷ୍ୟତଟାକୁ ଅନ୍ଧକାରାଚ୍ଛାନ୍ନ କରିଦିଅ ନାହିଁ ।

 

–ତନୁଜା ସହିତ ମୋର ସମ୍ପର୍କ କେବେ ନ ଥିଲା କି ଆଜି ନାହିଁ ।

 

ଶଶାଙ୍କର ମୁଖମଣ୍ଡଳକୁ ଚାହିଁ ରହିଲା ବିଶ୍ୱମାୟା । ଏଇ ମୁଖ ଦିନେଥିଲା ତା’ର କେତେ ପ୍ରିୟ । କେତେ ବିନିଦ୍ର ରଜନୀ ଦେଖିଚି ଏଇ ମୁହଁର ସ୍ଵପ୍ନ । କିନ୍ତୁ ଆଜି ? ସତରେ ଏତେ ବିଶ୍ୱାସଘାତକ ଶଶାଙ୍କ । ନିଜ କାମନାର ସିଦ୍ଧି ପାଇଁ ମଣିଷର ଜୀବନ ସହିତ ଇମିତି ପୋକମାଛି ପରି ଖେଳିପାରେ ।

 

ଘୃଣାରେ ପୂରି ଉଠିଲା ବିଶ୍ୱମାୟା । ଦେଖ ଶଶାଙ୍କ, ବାପା ତମକୁ ମୋ ବିଭାଘର ପାଇଁ ଆଉ କେବେ ପ୍ରଶ୍ନ କରିବାକୁ ଆସିବେନି । କାରଣ, ମୁଁ ଏବେ ବିବାହ କରିବାକୁ ପ୍ରସ୍ତୁତ ନୁହେଁ । ଆହୁରି ବି ଶୁଣିରଖ, ଯଦି ଭବିଷ୍ୟତରେ କେବେ ବିବାହ କରେଁ, ତେବେ ତୁମକୁ ନୁହେଁ ।

 

–ମାୟା ।

 

–ମୁଁ ଠିକ୍ ଉତ୍ତର ଦେଇସାରିଚି, ଶଶାଙ୍କ । ବେଶି ବାଟକୁ ବଢ଼ି ତମେ ନିଜର ଅସମ୍ମାନର ପଥ ପରିଷ୍କାର କରିଦିଅ ନା । ମୁଁ ତମକୁ ବିବାହ କରିବାକୁ ଚାହେଁ ନା ।

 

–ତା’ହେଲେ ମୋ ସଙ୍ଗେ ତୁମେ ଏତେ ପ୍ରହସନ ଖେଳିଥିଲ କାହିଁକି ? କାହିଁକି ତୁମେ ଦିନ ପରେ ଦିନ ମୋତେ ଉନ୍ମାଦ କରି ତୋଳୁଥିଲ ?

 

–ସେ ପ୍ରଶ୍ନର ଉତ୍ତର ଦବ ତମେ ।

 

–ମାୟା ।

 

–ମୁଁ ଜାଣି ନଥିଲି, ତମେ ଏଡ଼େ ବିଶ୍ୱାସଘାତକ ।

 

–ଆଉ ତମେ... ?

 

–ମୁଁ ?

 

–ହଁ, ହଁ, ତମେ ।

 

–ମୋର ବିଶ୍ୱାସଘାତକତାର ପ୍ରମାଣ ଦେଇପାରିବ ?

 

–ପ୍ରମାଣ ? ପ୍ରମାଣ ତମେ ଆହୁରି ମୋ ପାଖରୁ ଇଚ୍ଛା କରୁଚ, ମାୟା ? ଜଣେ ନିରୀହ ଲେଖକର ଲେଖା ଚୋରି କରି ସେ ବହିର ଅର୍ଥ ଆତ୍ମସାତ୍ କରିବା ସଙ୍ଗେ ସଙ୍ଗେ ତା’ର ଏତେ ବଡ଼ ସୁନାମିକୁ ତମେ ଯେତେବେଳେ ନିଜସ୍ୱ କରିଚ...

 

–ଶଶାଙ୍କ ।

 

“ସଂଗ୍ରାମକେଶରୀଙ୍କ କନ୍ୟା ବିଶ୍ୱମାୟା ସୁଲେଖିକା, ଏ ସମ୍ବାଦ ତାଙ୍କର ପ୍ରିୟ ପରିଜନମାନଙ୍କଠାରୁ ଆରମ୍ଭ କରି ମୋର ଜନ୍ମଦିବସରେ ଉପସ୍ଥିତି ଥିବା ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଅବଗତ ।

 

“ସମସ୍ତେ ସେଇ ଲେଖାର ଉଚ୍ଛ୍ୱସିତ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ତମଭଳି କନ୍ୟାରତ୍ନକୁ ଜନ୍ମ ଦେଇଥିବା ସଂଗ୍ରାମବାକୁଙ୍କୁ ଧନ୍ୟ ଧନ୍ୟ କରିବାରେ ଲାଗିଚନ୍ତି । କିନ୍ତୁ ସେମାନେ ଯେତେବେଳେ ଜାଣିବେ–ସେ ଲେଖା ତମର ନୁହେଁ, ଅନ୍ୟ ଜଣକର ସର୍ବସ୍ୱ ତମେ ଅପହରଣ କରିଚ...”

 

–ମିଥ୍ୟା...ସମ୍ପୂର୍ଣ୍ଣ ମିଥ୍ୟା । ମୋର କୌଣସି ଲେଖକର ପରିଚୟ ନାହିଁ କି ମୁଁ କାହାରି ପାଖରୁ ଚୋରି କରିନି ।

 

“ସେ ଖବର ତମେ ଅନ୍ୟଆଡ଼େ କହି ବାହାବା ନେଇପାରିବ, ବିଶ୍ୱମାୟା । ହେଲେ ଶଶାଙ୍କକୁ ତମେ ଭୁଲେଇ ଦେଇପାରିବନି । ସେ ତମକୁ ଭଲ ଭାବରେ ଜାଣେ ।

 

“ତମର ଭାଷା ସାହିତ୍ୟରେ ଯେ କେତେ ଜ୍ଞାନ, ତାହା ମୋତେ ଅଜଣା ଅଛି ବୋଲି ତମେ ଭାବିଚ ? ଗୋଟାଏ ମିଥ୍ୟା ଦୁର୍ନାମର ଦ୍ୱାହି ଦେଇ ମୋତେ ତମେ ପ୍ରତାରିତ କରିଚ ।

 

“କିନ୍ତୁ ସତରେ ବିଶ୍ୱମାୟା, ତମେ ଯଦି ମୋତେ ପ୍ରତାରିତ କରିବାକୁ ଭାବିଥାଅ, ତା’ହେଲେ ମନରୁ ସେଇ ଆଶା ଟିକକ ଦୂର କରିଦିଅ ।”

 

–ମାନେ... ?

 

–ମାନେ, ତୁମେ ଶଶାଙ୍କକୁ କୌଣସି ମତେ ପ୍ରତାରିତ କରି ଯାଇ ପାରିବନି । ଆଉ ଯଦି ଯାଅ, ମୋ ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ କରିବା ପୂର୍ବରୁ ତମର ଭବିଷ୍ୟତର ଉଜ୍ୱଳ ରେଖା ଚିର ଦିନ ପାଇଁ ଅସ୍ତମିତ ହେଇସାରିଥିବ ।

 

–ତମେ...ତମେ ଏତେ ମିନ୍, ଶଶାଙ୍କ । ଓଃ...

 

–ତମେ ଯେତେବେଳେ ମିଥ୍ୟା ଦୁର୍ନାମର ଦ୍ୱାହି ଦେଇ ମୋ ସହିତ ପ୍ରତାରଣା କରିବାକୁ ବଦ୍ଧପରିକର ହେଇସାରିଚ, ମୁଁ ଯଦି ତମ ସହିତ ସେଇ ଟ୍ରିକ୍ ଖେଳେଁ, ତା’ ହେଲେ ଏଠି ମିନନେସ୍‍ର ସ୍ଥାନ ଆସିଲା କୋଉଠୁ ?

 

“ମୁଁ ତମକୁ ଯାହା ଜାଣିଥିଲି, ତା’ଠାରୁ ମୋତେ ତମ ବିଷୟରେ ବହୁତ କିଛି ଜଣେଇ ଦେବାର ସୁଯୋଗ ତମେ ଆଜି ଦେଇଚ । ହେଲେ, ଏଇଟା ବି ମନେରଖ, ତମ ଭଳି ବିଶ୍ୱମାୟା ଏତେଟା ପ୍ରତାରକ ନୁହେଁ ।

 

“ଅନ୍ୟ ଜଣକର ଲେଖା ମୁଁ ନିଜସ୍ୱ କରିନାହିଁ । ଏହିଭଳି ବହୁତ ସାହିତ୍ୟ ସୃଷ୍ଟି କରିବାର ଦକ୍ଷତା ବି ମୋର ଅଛି ।”

 

–ଦକ୍ଷତା ତମର ଅଛି କି ନାହିଁ, ସେ ବିଷୟ ମୁଁ ଜାଣେ । ଆହୁରି ବି ସେଇ “କ୍ଷମା କରିବେ”ର ବହୁତ କଥା ଆସି ମୋ କାନରେ ବାଜିଛି । ସେଇ “କ୍ଷମା କରିବେ” ଲେଖକ ଏଇ କିଛି ସମୟ ପୂର୍ବରୁ ମୋ ପାଖରୁ ଆସିଥିଲା, ତମ,ନାଆଁରେ ଗୋଟାଏ ପିଟିସନ ଦାଏର କରିବାପାଇଁ ।

 

–କଣ କହିଲ ? ଚମକି ଉଠିଲା ବିଶ୍ୱମାୟା ।

 

–ହେଲେ, ତମର ଭୟ କରିବାର କୌଣସି କାରଣ ନାହିଁ, ମାୟା । ମୁଁ ତାକୁ ମେସମେରିଜ୍‍ମ ଭଳି ଅଟକାଇସାରିଚି ।

 

–ମିଥ୍ୟା । ତମେ ଇମିତି ଚକ୍ରାନ୍ତର ଜାଲ ବିଛେଇ ମୋତେ କୌଣସିମତେ ବଶ କରି ନେଇ ପାରିବନି ।

 

–ବେଶ୍ ମୁଁ ବି କହିଦଉଚି, କାଲି ସେଇ ଏଓ୍ୟାର୍ଡ କନ୍‍ଫରେନସ ପୂର୍ବରୁ ତମର ପରିବର୍ତ୍ତିତ ମତ ମୋତେ ଯଦି ନ ଜଣାଅ, ତା’ହେଲେ ମୋ ସହିତ ପ୍ରତାରଣା କରିବାର ପ୍ରତିଫଳ ତମେ ଭୋଗ କରିବ ।

 

–ତମେ ମୋର ଆଖି ଖୋଲିଦେଇଚ, ଶଶାଙ୍କ । ଚିରଦିନ ଗରିବମାନଙ୍କୁ ମୁଁ ଘୃଣାଚକ୍ଷୁରେ ଦେଖି, ତମ ପରି ବିଳାସବ୍ୟସନରେ ମାତିଥିବା ଲୋକମାନଙ୍କୁ ଖୁବ୍ ସମ୍ମାନ କରୁଥିଲି-। ହେଲେ, ବିଶ୍ୱମାୟା...ତମେ ଦେଖିବ ଶଶାଙ୍କ, ତମମାନଙ୍କର ମୁଖା ଖୋଲିଦେବାପାଇଁ ବିଶ୍ୱମାୟା ବି କିଭଳି ଭୂମିକା ଗ୍ରହଣ କରିପାରେ ।

 

କ୍ଷିପ୍ର ବେଗରେ ଚାଲିଗଲା ବିଶ୍ୱମାୟା । ଉନ୍ମାଦଙ୍କ ଭଳି ହସି ଉଠିଲା ଶଶାଙ୍କ–ଶଶାଙ୍କର ଜାଲରୁ ଉଦ୍ଧାର ପାଇବାର ଶକ୍ତି ତୋର ନାହଁ...କାହାରି ବି ନାହିଁ ।

 

X X X X

 

ଉଦ୍‍ଭ୍ରାନ୍ତଙ୍କୁ ଭଳି ନିଜର କକ୍ଷ ମଧ୍ୟରେ ବିଚରଣ କରୁଥିଲା ବିଶ୍ୱମାୟା । ଗଭୀର କ୍ରୋଧ ଆଉ ଅପମାନରେ ଜର୍ଜରିତ ହୋଇଉଠୁଥିଲା ତାର ତନୁଲତା ।

 

ବିଶ୍ୱାସଘାତକ ଶଶାଙ୍କ । ଗୋଟିଏ ଝିଅର ସର୍ବନାଶ କରି ପୁଣି ଆଗେଇ ଆସିଚି ଆଉ ଜଣକ ପାଖକୁ । ଧନ ଆଉ କ୍ଷମତାର ମୋହରେ ଗୋଟିକ ପରେ ଗୋଟିଏ ଝିଅର ସର୍ବନାଶ କରି ଚାଲିଚି ସେ । ତା’ର ଏଇ ଅଗ୍ରଗତିକୁ ବନ୍ଦ କରିବାକୁ ହେବ ।

 

କିନ୍ତୁ.......

 

ନିଜ ଭିତରେ ନିଜେ ଯେମିତି ଚମକି ଉଠୁଥିଲା ସେ । ତା’ ହେଲେ ଶଶାଙ୍କ କ’ଣ ଜାଣେ ‘କ୍ଷମା କରିବେ’ ବିଷୟରେ ? କେମିତି ଜାଣିଲା ସେ...ଆଉ ବା ତା’ ନାଆଁରେ...

 

ହଠାତ୍ ଯେମିତି ସ୍ଥିର ହେଇଗଲା ବିଶ୍ୱମାୟା ।

 

ତା ଆଖି ଆଗରେ ଉଦ୍‍ଘାଟିତ ହେଇଗଲା ‘କ୍ଷମା କରିବେ’ର ରହସ୍ୟ ।

 

ତା’ ହେଲେ ଏଇଭଳି ଏକ ରହସ୍ୟର ଜାଲ ନେଇ ଶଶାଙ୍କ ଏଇ ପ୍ରହସନ ଖେଳିଥିଲା...... ।

 

ଅସ୍ଥିର ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲା ବିଶ୍ୱମାୟା । ସତରେ ଯଦି ଶଶାଙ୍କ ଏସବୁ ଚାଲ ଖେଳିଥାଏ, ତା’ହେଲେ...

 

କାନ୍ଦିବାକୁ ଇଚ୍ଛା ହେଉଥିଲା ବିଶ୍ୱମାୟାର । ରହସ୍ୟର ଘନ ଅନ୍ଧକାର ଭିତରେ ଛନ୍ଦହରା ହେଇପଡ଼ୁଥିଲା ସେ ।

 

ସର୍ବଜୟା ଠିକ୍ କହିଥିଲା.......

 

ନିଜର ଭୁଲ୍‍ ପାଇଁ ଅନୁତାପ କରିବାକୁ ବି ଭୟ ଲାଗୁଥିଲା ତାକୁ । ସମସ୍ତଙ୍କ ଆଗରେ ସେ ସ୍ୱୀକାର କରିଚି, ଏଇ ବହିର ସ୍ରଷ୍ଟା ସେ ନିଜେ । ଅଥଚ...ଅଥଚ...

 

ମୁଣ୍ଡ ଭିତରର ଅସହ୍ୟ ଉତ୍ତାପ ସହ୍ୟ କରି ପାରୁ ନ ଥିଲା ସେ । ଅନାଗତ ଭବିଷ୍ୟତର ଯୋଉ ଜଟିଳ ପ୍ରଶ୍ନ ଭିତରେ ଛନ୍ଦି ହେଇପଡ଼ିବ ସେ...

 

ଯାହା ବିରୁଦ୍ଧରେ ଅଙ୍ଗୁଳି ଉଠେଇବାକୁ କେହି ସାହସ କରୁ ନ ଥିଲେ, ତାକୁ ରାସ୍ତାର ଇତର ଲୋକ ପର୍ଯ୍ୟନ୍ତ ବି ଅଙ୍ଗୁଳି ଦେଖାଇ କହିବେ–ବିଶ୍ୱମାୟା ଚୋରଣୀ...

 

ଓଃ......

 

ଅସ୍ଥିର ଭାବନାରେ ଉନ୍ମାଦଗ୍ରସ୍ତ ମନ ନେଇ ବିଚଳିତ ହୋଇପଡ଼ିଲା ବିଶ୍ୱମାୟା ।

 

ହଠାତ୍ ସେ ଏକ ସ୍ଥିର ନିଷ୍ପତ୍ତିରେ ବୋଧହୁଏ ପହଞ୍ଚିଗଲା । ଏଭଳି ଏକ ଦୁର୍ଦ୍ଦିନରେ ହୁଏତ ସର୍ବଜୟା ତାକୁ ସାହାଯ୍ୟ କରିପାରେ । ସର୍ବଜୟାର କୋଠରୀ ଭିତରେ ଉନ୍ମାଦଗ୍ରସ୍ତ ଭଳି ପ୍ରବେଶ କଲା ସେ ।

 

କ୍ଲାସ୍‍ ଟାକ୍‍ସ୍‍ କରୁ କରୁ ବିଶ୍ୱମାୟାର ଏଭଳି ଅବସ୍ଥା ଦେଖି ପ୍ରମାଦ ଗଣିଲା ଜୟା । ସେ ଆଉ ସ୍ୱପ୍ନ ଦେଖୁନାହିଁ ତ ?

 

–ଜୟା... । ରୁଦ୍ଧ ହୋଇଆସିଲା ବିଶ୍ୱମାୟାର କଣ୍ଠସ୍ୱର ।

 

–କଣ ହେଇଚି, ଅପା ।

 

–ତୁ ଅରବିନ୍ଦ ଦାସଙ୍କର ଠିକଣାଟା ମୋତେ ଦବୁ ?

 

–ଅରବିନ୍ଦ ଦାସଙ୍କର ? କୋଉ ଅରବିନ୍ଦ ଦାସଙ୍କ କଥା ତୁ କହୁଚୁ ?

 

–ରାଇଟର ଅରବିନ୍ଦ, ମୋର ନିହାତି ଦରକାର ।

 

ମନକୁ ମନ କ’ଣ ଯେମିତି ଚିନ୍ତା କରିବାରେ ଲାଗିପଡ଼ିଲା । ତା’ ପରେ ପେନ୍ ସାହାଯ୍ୟରେ ଅରବିନ୍ଦଙ୍କର ଆଡ଼୍ରେସ ଲେଖିଦେଇ ବିଶ୍ୱମାୟା ହାତକୁ ବଢ଼ାଇଦେଲା ।

 

ବିଶ୍ୱମାୟା ଚାଲିଗଲା । ସର୍ବଜୟା ଲକ୍ଷ୍ୟ କଲା, ତା’ କୋଠରୀ ଭିତରେ ଥିବା ଆଇରନ୍ ଚେଷ୍ଟରୁ ଟଙ୍କା ବାହାର କରୁଚି ସେ ।

 

ମନକୁ ମନ ହସିଉଠିଲା ସର୍ବଜୟା । ଟଙ୍କା ଦେଇ ମଣିଷକୁ ବଶ କରିହୁଏ ସତ, କିନ୍ତୁ ଅରବିନ୍ଦ ଭଳି ଲୋକକୁ ନୁହେଁ...

 

ବାହାର ପୋର୍ଟିକୋରୁ ଗାଡ଼ି ବାହାର ହେବାର ଶବ୍ଦ ଶୁଭିଲା । ସର୍ବଜୟା ଫୋନ୍‍ର ଡାଏଲ ଘୂରାଇଲା ଫୋର–ଜିରୋ–ଟୁ–

 

–ହାଲେ ।

–ନମସ୍କାର, ଶୁଭଭାଇ...

–ଅପା ଟଙ୍କା ନେଇ ଅରବିନ୍ଦ ଘରକୁ ଚାଲିଗଲା ?

–ହଁ...ହଁ...

–ଆଚ୍ଛା, ସନ୍ଧ୍ୟାରେ ତା’ହେଲେ...

–ନମସ୍କାର...

ମନକୁ ମନ ଗୁଣୁ ଗୁଣୁ ହେଇ କହିଉଠିଲା ସର୍ବଜୟା–ଏ ବି ତମ ପାଇଁ ଗୋଟିଏ ପ୍ରହସନ ଅରବିନ୍ଦ, ଆଉ ଗୋଟିଏ ପରୀକ୍ଷା । ଏ ପରୀକ୍ଷାରୁ ଯଦି ତମେ ଉତ୍ତୀର୍ଣ୍ଣ ହୁଅ......

ଆଃ ! ଆନନ୍ଦରେ ଅଧୀର ହୋଇଉଠିଲା ସର୍ବଜୟା ।

“ଜୀବନରେ ଅବଶ୍ୟ ଏତେ ଟଙ୍କା ମୁଁ ଦେଖିନାହିଁ । କେବେ ବି କଳ୍ପନା କରିନାହଁ ଏଇ କୋଡ଼ିଏ ହଜାର ଟଙ୍କା ।

“ମୋର ପାରିପାର୍ଶ୍ୱିକ ଅବସ୍ଥା ଦେଖି ଆପଣ ହୁଏତ ଭାବିଚନ୍ତି, ମୋର ଟଙ୍କାର ପ୍ରୟୋଜନ ଖୁବ୍ ବେଶି । ଆଉ ସେଇଥିପାଇଁ ଗୋଟିଏ ସତ୍ୟ ଘଟଣା ଲୁକ୍‍କାୟିତ ରଖିବାପାଇଁ ଆପଣ ମୋତେ ଯାଚୁଚନ୍ତି ଟଙ୍କା ।

 

ମୋତେ ହସ ଲାଗୁଚି, ବିଶ୍ୱମାୟା ଦେବୀ ! ଜୀବନରେ ଅୟସର୍ ପ୍ରାଚୁର୍ଯ୍ୟ ଭିତରେ ଆପଣ ବଢ଼ି ଆସିଥିବାରୁ ଆପଣ ହୁଏ ତ ଭାବିଚିନ୍ତି, ଟଙ୍କା ଦେଇ ମଣିଷକୁ ବଶ କରି ହୁଏ । କିନ୍ତୁ ଆପଣଙ୍କର ଧାରଣା ଭୁଲ୍‍ ।

 

“ଆସନ୍ତା କାଲି ମୋ’ରି ବହିର ଏଓ୍ୱାର୍ଡ଼ ଦିବସ । ଶହ ଶହ ଲୋକଙ୍କ ଭିତରେ ଶ୍ରେଷ୍ଠ ସାହିତ୍ୟ ଭାବରେ ବିବେଚିତ ହେବ ସେହି ବହି । ଆଉ ତା’ର ଲେଖିକା ହିସାବରେ ଆପଣ ଏଓ୍ୱାର୍ଡ଼ ଗ୍ରହଣ କରିବେ ।

 

“ଆପଣଙ୍କର ସୁନାମ ବର୍ଦ୍ଧିତ ହେବା ସଙ୍ଗେ ସଙ୍ଗେ ଆପଣଙ୍କର ପିତା ସ୍ୱନାମଧନ୍ୟ ସଂଗ୍ରାମକେଶରୀଙ୍କ ପିତୃତ୍ୱ ଆନନ୍ଦରେ ନାଚିଉଠିବ; କନ୍ୟାର ଏତେବଡ଼ ଗୌରବରେ ସେ ସମ୍ମାନିତ ହେବେ ।

 

“ଲୋକେ ଜାଣିଛନ୍ତି; ପାଠକମାନେ ବହିର ଆଦର କରିଛନ୍ତି; ସ୍ୱଳ୍ପ ସମୟ ଭିତରେ ବହିର ଚତୁର୍ଥ ମୁଦ୍ରଣ ମଧ୍ୟ ସମାପ୍ତ ହେଇଚି । ଲୋକମୁଖରେ ଆପଣଙ୍କର ଅସାମାନ୍ୟ ସାହିତ୍ୟ କୃତିର ପ୍ରଶଂସା ରଟିଚି ।

 

“ସର୍ବୋପରି ସେ ବହିର ଲେଖିକା ଭାବରେ ଆପଣ ପରିଚିତ ହେଇଚନ୍ତି, ଆଉ ତେବେ କାହିଁକି ଆପଣ ମୋ ନିକଟକୁ ଆସିଚନ୍ତି, କ'ଣ ଆପଣଙ୍କର ଏଇ ଅସାମାନ୍ୟ କୃତିତ୍ୱ ଦେଖାଇ ମୋର ବ୍ୟକ୍ତିତ୍ୱ ଉପରେ ଆଘାତ ଆଣିବାପାଇଁ ?”

 

ନିର୍ବାକ ଭାବରେ ଛିଡ଼ା ହୋଇଥିଲା ବିଶ୍ୱମାୟା । ହାତରେ ସେହିପରି ରହିଥିଲା କୋଡ଼ିଏହଜାର ଟଙ୍କାର ନୋଟ୍ ।

 

“ଆପଣ ଫେରିଯାଆନ୍ତୁ, ବିଶ୍ୱମାୟା ଦେବୀ । ଆପଣଙ୍କର ଭୟ କରିବାର କୌଣସି କାରଣ ନାହିଁ । ମୋ ପକ୍ଷରୁ କୌଣସି ପ୍ରତିବାଦ ହେବାର ଆଶଙ୍କା ମଧ୍ୟ ରଖିବେନି । ମୁଁ ଗରିବ ସତ–ସମାଜରେ ମୋର କୌଣସି ପ୍ରତିପତ୍ତି ନାହିଁ ସତ; ତଥାପି ମୁଁ ଯାହା କହୁଚି, ତାହା ନିରାଟ ସତ ।

 

“ମୁଁ ଜାଣିଛି ସଂଗ୍ରାମକେଶରୀଙ୍କ ପ୍ରତ୍ତିପତ୍ତି । ଶୁଣିଛି, ସେ ଜଣେ ମହାମାନ୍ୟ ନାଗରିକ । ତାଙ୍କର ପ୍ରଶଂସା ସହରର ଗଳିକନ୍ଦିରେ ବି ପ୍ରଚାରିତ । ତାଙ୍କର ଏତେବଡ଼ ସୁନାମକୁ ମୁଁ ନଷ୍ଟ କରିଦେବାକୁ ପ୍ରସ୍ତୁତ ନୁହେଁ, ବିଶ୍ୱମାୟା ଦେବୀ ।

 

“ଆପଣ ଯାଇପାରନ୍ତି । ସେ ଟଙ୍କା ଦେବାର କଳ୍ପନା ଯଦି କେବେ ମନ ଭିତରେ ନ ଆଣନ୍ତି, ମୁଁ ବିଶେଷ ଆନନ୍ଦିତ ହେବି ।”

 

ଭିତରକୁ ଚାଲିଗଲେ ଅରବିନ୍ଦ ।

 

ନିର୍ବାକ ନିଷ୍ପନ୍ଦ ଭାବରେ ତାଙ୍କରି ଗତିପଥକୁ ଚାହିଁ ଦୀର୍ଘ ନିଶ୍ୱାସ ଛାଡ଼ିଲା ବିଶ୍ୱମାୟା । କେତେବଡ଼ ଅପମାନ... ।

 

ଏ ଅପମାନ ସହ୍ୟ କରିବା ଯେମିତି ବିଶ୍ୱମାୟା ପକ୍ଷରେ ସହଜ ନ ଥିଲା । ଥରେ ଚାହିଁଲା ସେଇ ନୋଟ୍ ବିଡ଼ା ଆଡ଼େ ।

 

ଏତେଗୁଡ଼ାଏ ଟଙ୍କା... ।

 

ଏ ଟଙ୍କାଗୁଡ଼ିକ ଏତେ ମୂଲ୍ୟହୀନ ଅରବିନ୍ଦ ପାଖରେ ।

 

ଆଉ ଛିଡ଼ା ହେବାପାଇଁ ଧୈର୍ଯ୍ୟ ନ ଥିଲା ତା’ର । ଅସ୍ଥିର ପଦକ୍ଷେପରେ ସେ ଫେରିଗଲା ଅପେକ୍ଷମାଣ କାର୍ ନିକଟକୁ ।

 

ଅବଶ ଭାବରେ ବିଶ୍ୱମାୟାର ପ୍ରସ୍ଥାନ ପରେ ପରେ ସେଇ କୋଠରୀ ଭିତରକୁ ପଶିଆସିଲେ ଅରବିନ୍ଦ । ଏଇ ଅଳ୍ପ ସମୟ ଭିତରେ ସେ ଯେମିତି ଅବଶ ହେଇପଡ଼ୁଥିଲେ । ଦାରୁଣ ଅବଶତା ଯେମିତି ତାଙ୍କର ସମଗ୍ର ଶରୀରକୁ ଗ୍ରାସ କରିବାକୁ ବସିଥିଲା ।

 

ପରା ହୋଇଥିବା ସପ ଉପରେ ବସୁ ବସୁ କେତେବେଳେ ଯେ ସେ ଶୋଇପଡ଼ିଚନ୍ତି ତାଙ୍କର ଧାରଣା ନ ଥିଲା ।

 

ଚମକିପଡ଼ିଲା ଲତା । ଦେହରେ ଜ୍ୱର ଭର୍ତ୍ତି ହେଇଚି; ଅଥଚ ସେମିତି ଶୋଇପଡ଼ିଚନ୍ତି ! କି ଭୋଳା ମହେଶ୍ୱର କେଜାଣି ।

 

ରେକ ଉପରୁ ଚଦରଟିଏ ଆଣି ଦେହ ଉପରେ ଘୋଡ଼େଇଦେଲା ଲତା ।

 

ଭିତରକୁ ପଶିଆସିଲେ ଅରବିନ୍ଦ ଦାସ । ସେ ଏତେ ବିଚଳିତ ହୋଇପଡ଼ିଥିଲେ ଯେ ଚାଲିବାବେଳେ ଭାରସାମ୍ୟ ରହୁ ନ ଥିଲା ତାଙ୍କର ।

 

ତାଙ୍କୁ ଦେଖି ଲତା ଛିଡ଼ା ହେଲା...

 

–ଭାଇଙ୍କୁ ଭୀଷଣ ଜ୍ୱର, ଆଜ୍ଞା ।

 

–ଏଁ...ଜ୍ୱର । ଯେମିତି ଚମକିପଡ଼ିଲେ ସେ । ତା’ପରେ ବ୍ୟସ୍ତଭାବରେ ତାଙ୍କର ଶଯ୍ୟା ପାର୍ଶ୍ୱରେ ବସି ଦେହରେ ହାତମାରି ଅସମ୍ଭବ ଭାବରେ ଚମକିଉଠିଲେ ।

 

–କେତେବେଳୁ ଜ୍ୱର ହେଲାଣି ?

 

–ନାଇଁ, ସକାଳେ ସେ ଖୁବ୍ ଭଲ ଥିଲେ । ହଠାତ୍ କଣ ହେଲା କେଜାଣି ମୁଁ ରୋଷେଇ ସାରି ଆସି ଦେଖିଲି, ସେ ଖାଲି ସଉପ ଉପରେ ଢଳି ପଡ଼ିଚନ୍ତି । ଦେହରେ ଚଦରଟିଏ ବି ପକାଇନାହାନ୍ତି ।

 

–ଆଚ୍ଛା, ତମେ ଟିକିଏ ଅପେକ୍ଷା କର, ମୁଁ ଆସୁଚି । ଯେମିତି ଆସିଥିଲେ ସେମିତି କ୍ଷିପ୍ର ଭାବରେ ପ୍ରସ୍ଥାନ କଲେ ସେ ।

 

ତାଙ୍କର ଗତିପଥକୁ ଏକ ଦୁର୍ଭେଦ୍ୟ ପ୍ରହେଳିକାରୂପେ ଅନାଇ ଛିଡ଼ା ହୋଇଥିଲା ଲତା ।

 

ଖୁବ୍ ଅଳ୍ପ ସମୟ ଭିତରେ ଫେରିଆସିଲେ ସେ । ପଛରେ ଆଉ ଜଣେ ଭଦ୍ରବ୍ୟକ୍ତି । ଡାକ୍ତର ନିଶ୍ଚୟ ।

 

ଶଯ୍ୟା ପାର୍ଶ୍ୱରେ ଉଭୟେ ବସିପଡ଼ିଲେ । ଡାକ୍ତର ଯଥାରୀତି ପରୀକ୍ଷା କାର୍ଯ୍ୟ ଶେଷକରି ଅରବିନ୍ଦଙ୍କୁ ଅନାଇଲେ ।

 

–କ’ଣ ଦେଖିଲେ ?

 

–ଜ୍ୱରର ଉତ୍ତାପ ୧୦୪ । ପଲ୍‍ସର୍ ଗତି ଏତେ ଶିଥିଳ ହୋଇପଡ଼ିଚି ଯେ... । ପୁଣି ଥରେ ପରୀକ୍ଷା କଲେ ଡାକ୍ତର ।

 

ତା’ପରେ ଔଷଧପତ୍ର ଦେଇ, କେମିତି କେତେବେଳେ ଦେବାକୁ ହେବ ଲତାକୁ ନିର୍ଦ୍ଦେଶ ଦେଲେ ।

 

–ଆପଣ ଟିକେ ଚେଷ୍ଟା କରନ୍ତୁ, ଡାକ୍ତରବାବୁ ! ଏ ଜ୍ୱର ଯେମିତି ଶୀଘ୍ର ତାଙ୍କୁ ଛାଡ଼ୁ ।

 

–ବ୍ୟସ୍ତ ହେବାର କିଛି କାରଣ ନାହଁ, ଆଜ୍ଞା, ମୁଁ ଔଷଧ ଦେଇଛି, ସଂଧ୍ୟା ସୁଦ୍ଧା ମୁଁ ପୁଣି ଥରେ ଆସି ଦେଖିଯିବି । ଆଉ ଯଦି ଆବଶ୍ୟକ ପଡ଼େ ତେବେ ଇଞ୍ଜେକ୍‍ସନ ବି ଦେବାକୁ ହେବ । ଆଚ୍ଛା, ମୁଁ ଆସୁଛି ।

 

୧୦୦ ଟଙ୍କାର ଖଣ୍ଡିଏ ନୋଟ ବଢ଼ାଇଦେଲେ ଡାକ୍ତରଙ୍କ ହାତକୁ । ଡାକ୍ତର ଚାଲିଗଲେ-

 

କୃତଜ୍ଞତାରେ ଲତାର କ୍ଷୁଦ୍ର ଅନ୍ତର ଅରବିନ୍ଦଙ୍କ ପ୍ରତି ନଇଁ ଆସୁଥିଲା ।

 

ଅରବିନ୍ଦ ଆଖି ଖୋଲି ଚାହିଁ ଯାହାକୁ ଦେଖିଲେ ବିସ୍ମୟରେ ଅଭିଭୂତ ହେଇପଡ଼ିଲେ ସେ । ବାରିଷ୍ଟର ଅରବିନ୍ଦ ତାଙ୍କର ଶଯ୍ୟା ପାର୍ଶ୍ୱରେ ଗଭୀର ଉଦବେଗ ସହକାରେ ବସିଛନ୍ତି ।

 

ସେ ଉଠୁ ଉଠୁ ଅରବିନ୍ଦବାବୁ ତାଙ୍କୁ ଧରିନେଲେ–ଟିକେ ଶୋଇପଡ଼ ।

 

–ମୁଁ ଠିକ୍ ସମୟରେ ଯାଇପାରିଲି ନାହିଁ, ଆଜ୍ଞା ।

 

–ସେଥିପାଇଁ ତୁମେ ବ୍ୟସ୍ତ ହେବା ଆଦୌ ଉଚିତ ନୁହେଁ, ଅରବିନ୍ଦ ! ତମେ ଶୋଇପଡ଼-। ଡାକ୍ତର ଔଷଧ ଦେଇ ଯାଇଛନ୍ତି । ପୁଣି ଆସିବେ ।

 

–ଡାକ୍ତର । ଯେମିତି ଆଶ୍ଚର୍ଯ୍ୟର ଚିହ୍ନ ଅରବିନ୍ଦଙ୍କ ମୁଖମଣ୍ଡଳରେ ।

 

–ହଁ, ଡାକ୍ତର ଆସିଥିଲେ ଆଉ ଔଷଧ ଦେଇଯାଇଛନ୍ତି । ଏ ଆକସ୍ମିତ ଜ୍ୱରଟା ପ୍ରତି କିନ୍ତୁ ଖୁବ୍ ସାବଧାନ ରହିଥିବ । ମୁଁ ଯାଉଛି । ମୋ ପାଇଁ ତୁମେ ବ୍ୟସ୍ତ ହେବ ନାହିଁ । ମୁଁ ଠିକ୍ ରାତି ୧୦।୧୧ଟା ବେଳକୁ ଆସିବି ।

 

ଅରବିନ୍ଦବାବୁ ଚାଲିଗଲେ ।

 

ଏତେ ଦୁର୍ବଳ ହେଇପଡ଼ିଥିଲେ ଯେ, ତାଙ୍କୁ ନମସ୍କାର ଜଣାଇବା ପାଇଁ ଶକ୍ତି ମଧ୍ୟ ନ ଥିଲା ଅରବିନ୍ଦଙ୍କର ।

 

ଲତା ଭାଇର ଶେଯ ପାଖରେ ବସିଥିଲା । ଦୁଃଖରେ ତା’ର ମୁହଁ ଝାଉଁଳି ଯାଇଥିଲା । ଅରବିନ୍ଦ ତାକୁ ପାଖକୁ ଡାକି ହାତ ଦୁଇଟିକୁ ଛାତି ଉପରେ ଜଡ଼ାଇ ଧରିଲେ ।

 

–ଭାଇ । ଆକୁଳରେ କାନ୍ଦି ପକେଇଲା ସେ ।

 

–ଦୁଃଖ କରନା, ଲତା, ମୁଁ ଭଲ ହେଇଯିବି । ତୋର ଉଜ୍ୱଳ ଭବିଷ୍ୟତ ଦେଖିବାପାଇଁ ମୁଁ ବଞ୍ଚି ରହିବି, ଲତା ।

 

ତା'ପରେ ଚୁପ୍‍ ହେଇଗଲେ ସେ । ରୋଗର ଯନ୍ତ୍ରଣା ସହ୍ୟ କରିବା ଭଳି ଶକ୍ତି ତାଙ୍କର ନ ଥିଲା ।

 

ଅରବିନ୍ଦଙ୍କ ଅବଶ ଶରୀର ନିକଟରେ ଅବଶରେ ବସି ରହିଥିଲା ଲତା । ଯେପରି ବାହ୍ୟ ଜଗତ ସହିତ ତା’ର କୌଣସି ସଂପର୍କ ନଥିଲା ।

 

କ୍ରମେ କ୍ରମେ ଦିବସର ଆଲୋକ ଭେଦ କରି ମାଡ଼ିଆସିଲା ଅନ୍ଧକାର । ସେମିତି ଶୋଇଥିଲେ ଅରବିନ୍ଦ ଆଉ ପାଖରେ ବସିଥିଲା ଲତା ।

 

–ଦେହ କେମିତି ଅଛି ?

 

ହଠାତ୍ ଚମକି ଉଠିଲେ ଲତା ।

 

ଆଗରେ ଡାକ୍ତରଙ୍କୁ ଦେଖି ସମ୍ଭ୍ରମରେ ଛିଡ଼ା ହୋଇପଡ଼ିଲା ସେ ।

 

ଡାକ୍ତର ପରୀକ୍ଷା କଲେ...

 

–ଔଷଧ ଦେଇଚ ?

 

–ହଁ ।

 

–ଟିକେ ପାଣି ଗରମ କରି ଆଣିବ ।

 

ଲତା ଚାଲିଗଲା । ଡାକ୍ତର ଇଞ୍ଜେକ୍‍ସନ ସିରିଞ୍ଜ ପ୍ରସ୍ତୁତ କରିବାରେ ଲାଗିପଡ଼ିଲେ । ବାହାରେ କାରଟିଏ ବ୍ରେକ୍ କଷିଲା । ଭିତରକୁ ପଶିଆସିଲେ ଶୁଭେନ୍ଦୁ ଆଉ ସର୍ବଜୟା ।

 

ଶଯ୍ୟାଗତ ଅରବିନ୍ଦ ପାଖରେ ଇଞ୍ଜେକ୍‍ସନ ପ୍ରସ୍ତୁତ କରୁଥିବା ଡାକ୍ତରଙ୍କୁ ଦେଖି ସେମାନେ ଯେମିତି ଆଶ୍ଚର୍ଯ୍ୟ ଚକିତ ହେଇଉଠିଲେ ।

 

ଗରମ ପାଣି ନେଇ ଆସୁ ଆସୁ ଏମାନଙ୍କୁ ଦେଖି ଲତା କାନ୍ଦିଉଠିଲା ।

 

ସର୍ବଜୟା ଲତାକୁ ସାନ୍ତ୍ୱନା ଦେଲେ ।

 

–ହଠାତ୍ ଭାଇଙ୍କର କ'ଣ ହେଇଗଲା, ଜୟାଅପା । ଦଶଟାଠାରୁ ଏପର୍ଯ୍ୟନ୍ତ ସେ ଆଦୌ ଉଠିନାହାନ୍ତି ।

 

ବ୍ୟଗ୍ର ହେଇପଡ଼ିଲେ ଶୁଭେନ୍ଦୁ ଆଉ ସର୍ବଜୟା ।

 

ଡାକ୍ତର ଇଞ୍ଜେକସନ ଦେଲେ ।

 

–କ’ଣ ଦେଖିଲେ ଡାକ୍ତର ବାବୁ ?

 

“ହଠାତ୍ ହୃଦ୍‍ଯନ୍ତ୍ର ଭିତରେ କୌଣସି ଏକ ଗଭୀର ଯନ୍ତ୍ରଣାବଶତଃ ପ୍ରତିକ୍ରିୟା ସୃଷ୍ଟି ହେଇଚି...

 

“ତେବେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ମୁଁ ଔଷଧ ଦେଇଯାଇଥିଲି । ଏବେ ବି ଇଞ୍ଜେକ୍‍ସନ ଦେଇଚି । ଯଦି ଦରକାର ପଡ଼େ ମୋତେ ଖବର ଦେବେ ।” ଡାକ୍ତର ଚାଲିଯାଉଥିଲେ...

 

–ଆଜ୍ଞା ଫିସ୍...ସର୍ବଜୟା କହିଉଠିଲା ।

 

ସର୍ବଜୟାର ମୁଖମଣ୍ଡଳରେ ଦୃଷ୍ଟି ନିକ୍ଷେପ କରି ସେ କହିଲେ, “ଫିସ୍ ମୋତେ ବାରିଷ୍ଟରବାବୁ ଦେଇଚନ୍ତି ।” ଚାଲିଗଲେ ସେ ।

 

ଲତାକୁ ପ୍ରଶ୍ନବାଚକ ଦୃଷ୍ଟିରେ ଚାହିଁ ରହିଲା ସର୍ବଜୟା ।

 

ବାରିଷ୍ଟର ଅରବିନ୍ଦ ଦାସ ଆସିଥିଲେ । ସେ ଭାଇଙ୍କର ଏଇ ଅବସ୍ଥା ଦେଖି ଡାକ୍ତର ବ୍ୟବସ୍ଥା କରି ଯାଇଛନ୍ତି ।

 

–ହଠାତ୍ କାହିଁକି ତାଙ୍କର ଏଭଳି ଅବସ୍ଥା ସୃଷ୍ଟି ହେଲା ତମେ କହିପାରିବ, ଲତା ? ଶୁଭେନ୍ଦୁ ପ୍ରଶ୍ନ କଲେ ।

 

“କେମିତି ଜାଣିବ, ଆଜ୍ଞା ? ତେବେ ନଅଟା ବେଳେ ଜଣେ ଝିଅ କାରରେ ଚଢ଼ି ଆସିଥିଲେ । ଆଉ କୋଡ଼ିଏ ହଜାର ଟଙ୍କା ଭାଇଙ୍କୁ ଯାଚୁଥିବାର ଶୁଣିଥିଲି ।

 

“କିନ୍ତୁ ଭାଇ ତାଙ୍କୁ କଣ କହିଲେ କେଜାଣି, ସେ ଟଙ୍କା ନେଇ ଚାଲିଗଲେ । ଅବଶ୍ୟ ଭାଇ ଉତ୍ତେଜିତ ହୋଇ ତାଙ୍କୁ କଣ କହୁଥିଲେ ।

 

‘‘ତା’ପରେ ମୁଁ ଫେରିଆସି ଦେଖେଁ ତ ସେ ସେମିତି ଖାଲି ଦେହରେ ଏଇ ସଉପ ଉପରେ ଶୋଇପଡ଼ିଚନ୍ତି । ଦେହରେ ଅସମ୍ଭବ ତାତି ଭରି ରହିଚି ।”

 

ସର୍ବଜୟା ଶୁଭେନ୍ଦୁଙ୍କୁ ଚାହିଁଲା । ଶୁଭେନ୍ଦୁ ସେତେବେଳକୁ ଅରବିନ୍ଦଙ୍କର ଶଯ୍ୟାପାର୍ଶ୍ୱରେ ବସି ତାଙ୍କ ଦେହର ଉତ୍ତାପ ପରୀକ୍ଷା କରୁଥିଲେ ।

 

–କିଛି ଖାଇନାହାନ୍ତି ? ସର୍ବଜୟା ପ୍ରଶ୍ନ କଲା ।

 

–ନା ।

 

–ତମେ ଥାଅ, ଶୁଭଭାଇ, ମୁଁ ଏଇ ସାଙ୍ଗେ ସାଙ୍ଗେ ଫେରିଆସୁଚି । ଆସ ଲତା, ସାଙ୍ଗ ହୋଇଯିବା ।

 

ଲତା ଆଉ ସର୍ବଜୟା ଚାଲିଗଲେ ।

 

ବ୍ୟସ୍ତ ହେଇପଡ଼ିଲେ ଶୁଭେନ୍ଦୁ । ଏପର୍ଯ୍ୟନ୍ତ ଅରବିନ୍ଦଙ୍କର ଚେତନା ନାହିଁ । ବହୁତ କଷ୍ଟରେ ଉଠେଇଲେ ତାଙ୍କୁ ।

 

–ଆପଣ ! ବିସ୍ମିତ କଣ୍ଠରେ କହିଲେ ଅରବିନ୍ଦ ।

 

–ହଁ, ମୁଁ ଆଉ ଜୟା ଆସିଚୁଁ । ଆପଣଙ୍କର ଅସ୍ଥା ଦେଖି ଜୟା ଏକାଥରେ ମର୍ମାହତ ହେଇପଡ଼ିଚି । ଆପଣଙ୍କ ଭଉଣୀଙ୍କ କଥା ତ ଛାଡ଼ନ୍ତୁ । ଆପଣ ଉଠିଲେ...

 

ହାତରେ କମଳାଲେମ୍ବୁ, ସେଓ, ବେଦାନା ଆଉ ଅନ୍ୟାନ୍ୟ ଜିନିଷପତ୍ର ନେଇ ଫେରିଆସିଲେ ଜୟା ଆଉ ଲତା । ଆଶ୍ଚର୍ଯ୍ୟ ହୋଇ ଜୟାକୁ ଚାହିଁ ରହିଥିଲେ ଅରବିନ୍ଦ । ସେ ଭାବି ପାରୁ ନ ଥିଲେ କିଛି ।

 

କମଳା ଲେମ୍ବୁ ଛଡ଼ାଇ ଅରବିନ୍ଦଙ୍କୁ ଦେଉଥିଲା ଜୟା । ଭିତରକୁ ଆସି ଏମାନଙ୍କୁ ଦେଖି ହଠାତ୍ ଯେମିତି ସ୍ତମ୍ଭିତ ହୋଇଉଠିଲେ ଅରବିନ୍ଦ ।

 

ଠିକ୍ ପରେ ପରେ ପ୍ରବେଶ କଲେ ବୃଦ୍ଧ ପ୍ରକାଶକ, ବିଶ୍ୱମାୟା ଆଉ ସଂଗ୍ରାମକେଶରୀ । ଜୟା, ଶୁଭେନ୍ଦୁ ଆଉ ଅରବିନ୍ଦଙ୍କୁ ସେଠାରେ ଦେଖି ଯେମିତି ଆଶ୍ଚର୍ଯ୍ୟ ହେଇଗଲେ ସେ ।

 

ରୋଗକ୍ଳିଷ୍ଟ ମୁଖମଣ୍ଡଳରେ ଗଭୀର ବିସ୍ମୟର ରେଖା ଫୁଟି ଉଠିଲା ଅରବିନ୍ଦଙ୍କର । ଉଠିବାକୁ ଉପକ୍ରମ କରୁଥିଲେ ସେ ।

 

ହଠାତ୍ ତାଙ୍କୁ ଧରିପକାଇ ସଂଗ୍ରାମବାବୁ କହିଲେ, “ବ୍ୟସ୍ତ ହୁଅ ନାହିଁ, ବାପ । ବାପ ଆସିଚି ପୁଅର ଘରକୁ, ଏଥିରେ ବ୍ୟସ୍ତ ହେବାର କ’ଣ ଅଛି ?”

 

ହାତ ଯୋଡ଼ି ନମସ୍କାର କଲେ ଅରବିନ୍ଦ ।

 

–ହଠାତ୍ ମୋତେ ଦେଖି ତୁମେ ନିଶ୍ଚୟ ଆଶ୍ଚର୍ଯ୍ୟ ହେଇଯାଇଥିବ, ଅରବିନ୍ଦ । ହେଲେ ମୁଁ ଆସିବାକୁ ବାଧ୍ୟ ହେଲି । ତୁମରି “କ୍ଷମା କରିବେ” ଶଶାଙ୍କର ଚକ୍ରାନ୍ତରେ ବିଶ୍ୱାମାୟା ନାଆଁରେ ବାହାରିଥିଲା । କିନ୍ତୁ ଆଜି ବିଶ୍ୱମାୟ ତୁମ ପାଖରୁ ଫେରି ମୋହରି ପିସ୍ତଲରେ ଆତ୍ମହତ୍ୟା କରିବା ସମୟରେ ମୁଁ ଅକସ୍ମାତ୍ ପହଞ୍ଚିଯାଇ ଧରିନେଲି; ଆଉ ସେ କାନ୍ଦ କାନ୍ଦ ହେଇ ମୋତେ ସବୁ କଥା ଜଣେଇଲା । ତମର ଅମର ସୃଷ୍ଟି ଏ “କ୍ଷମା କରିବେ” । ବିଶ୍ୱମାୟା ଆଜି ପେପର ଡିକ୍ଳାରେସନ କରିଦେଇଚି । ତମର ସମ୍ମାନ ତମର । ଆଉ ଶଶାଙ୍କ... ତା’ର ବ୍ୟବସ୍ଥା ମୁଁ କରିବି ।

 

–ଶଶାଙ୍କ...ଶଶାଙ୍କ ଶେଖର ମହାପାତ୍ର ! ଚମକିଲା ଭଙ୍ଗୀରେ କହିଲେ ବାରିଷ୍ଟର ଅରବିନ୍ଦ ଦାସ ।

 

–କିନ୍ତୁ ଆପଣ କାହିଁକି ଇମିତି ଅସ୍ଥିର ହେଇଉଠିଲେ, ଆଜ୍ଞା ! ବିସ୍ମିତ କଣ୍ଠରେ କହିଲେ ସଂଗ୍ରାମ କେଶରୀ ।

 

ଘଟିଯାଇଥିବା ଘଟଣାବଳୀ ବର୍ଣ୍ଣନା କଲେ ଅରବିନ୍ଦ ।

 

–ଏଡ଼େ ସୈତାନ ବୋଲି ମୁଁ ତାକୁ ଜାଣି ନ ଥିଲି ଆଜ୍ଞା, ସେ ଏତେ ଷଡ଼ଯନ୍ତ୍ରକାରୀ ବୋଲି ମୋର ତିଳେ ହେଲେ ବି ଧାରଣା ନ ଥିଲା । ସେ ଯେ କେବଳ ଆପଣଙ୍କର ସର୍ବନାଶ କରିଛି ତାହା ନୁହେଁ, ଏଇ ପାଣ୍ଡୁଲିପି ଅପହରଣ ମୂଳରେ ତା’ର ଏକ ଗଭୀର ଷଡ଼ଯନ୍ତ୍ର ଲୁକ୍‍କାୟିତ ହୋଇଥିଲା । ନିଜେ ପାଣ୍ଡୁଲିପି ଅପହରଣ କରି ମାୟା ନାମରେ ତାହା ପ୍ରକାଶ କରାଇଥିଲା । ଆଉ ଯେତେବେଳେ ମାୟା ଏତେବଡ଼ ସମ୍ମାନର ଅଧିକାରୀ ହେଇଉଠିଲା, ଠିକ୍ ସେତିକିବେଳେ ଏଇ କ୍ଳୁ ଧରି ମାୟାକୁ କରଗତ କରିବାପାଇଁ ସେ ଚେଷ୍ଟା କରିଥିଲା ।

 

–ତାକୁ ମୁଁ ଉପଯୁକ୍ତ ଶାନ୍ତି ନ ଦେଇ ଛାଡ଼ୁନି, ଆଜ୍ଞା ।

 

–ଆପଣମାନଙ୍କ ପୂର୍ବରୁ ଶୁଭେନ୍ଦୁଭାଇ ତାକୁ ଗିରଫ କରିଛନ୍ତି । କହିଲା ଜୟା ।

 

ଆଶ୍ଚର୍ଯ୍ୟରେ ଶୁଭେନ୍ଦୁଙ୍କୁ ଅନାଇ ରହିଥିଲେ ସମସ୍ତେ ।

 

–ସେ ଯେ କେବଳ ଆପଣମାନଙ୍କର ସର୍ବନାଶ କରିଥିଲା, ତାହା ନୁହେଁ । ଏ ଦେଶର ବହୁତ ସାମ୍ବାଦ ସେ ପଡ଼ୋଶୀ ରାଷ୍ଟ୍ରକୁ ଯୋଗାଏ । ଚୋରା ସୁନାର କାରବାର ତାହାରି ଦ୍ୱାରା ସଂଗଠିତ ହୁଏ । ଆଜି ମୁଁ ସଦଳବଳେ ହଠାତ୍ ତା’ ଘର ଘେରାଉ କରି କୋଡ଼ିଏ କିଲେ ଚୋରୀ ସୁନା, କେତେକ ମ୍ୟାପ ଆଉ ଗୋଟିଏ ଓୟାରଲେସ ସେଟ୍ ଜବତ କରିଛି ।

 

ବିସ୍ମିତ ବିମୂଢ଼ ଭାବରେ ଶୁଭେନ୍ଦୁଙ୍କୁ ଅନାଇ ରହିଥିଲେ ସମସ୍ତେ । ଜୟା କହିଲା, “ସେ ହେଉଚନ୍ତି C. I.D. Central.”

 

ହଠାତ୍ ଅରବିନ୍ଦ ଅସହ୍ୟ ଯନ୍ତ୍ରଣାରେ ଚିତ୍କାର କରିଉଠିଲେ । ଡାକ୍ତର ନଇଁପଡ଼ିଲେ ତାଙ୍କ ପାଖରେ ।

 

–ଯେକୌଣସି ମତେ ତାଙ୍କୁ ବଞ୍ଚାଅ, ଡାକ୍ତର । ଯେତେ ଟଙ୍କା ପଡ଼ିବ ଚିନ୍ତା ନାହିଁ । ଚିତ୍କାର କରିଉଠିଲେ ସଂଗ୍ରାମ କେଶରୀ ।

Image